ବୈପାରିଗୁଡ଼ା: ଗତ ତିନି ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ହେବା ଫଳରେ ବୈପାରିଗୁଡ଼ା ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖାଦେଇଛି। କେଉଁଠି ଗଛ ପଡ଼ି ରାସ୍ତା ଅବରୋଧ ତ କେଉଁଠି ଘର ଭାଙ୍ଗିବା ଭଳି ପରିସ୍ଥିତି ଦେଖାଦେଇଛି।
ଆଜି ସକାଳ ୮ଟା ବେଳେ ବୈପାରିଗୁଡ଼ା ବ୍ଲକ ଅନ୍ତର୍ଗତ ଅଟାଳଗୁଡା ଗ୍ରାମର ଡାଲି ପ୍ରଧାନୀ ଏବଂ ଦୁଇ ଝିଅ ନୟନା ଓ ଦୀପା ନିଜ ଚାଷ ଜମିରେ ଧାନ ରୋଇବାକୁ ଯିବା ପାଇଁ ବାହାରିଥିଲେ। ରନ୍ଧା କାମ ଶୀଘ୍ର ସାରିବା ପାଇଁ ଦୁଇ ଝିଅ ରୋଷେଇ କାମରେ ମାଙ୍କୁ ସାହାଯ୍ୟ କରୁଥିଲେ। ଏତିକି ବେଳେ ହଠାତ ବର୍ଷାରେ ରୋଷେଇ ଘରର ଛାତ ତିନି ଜଣଙ୍କ ଉପରେ ଚାପି ହୋଇଯାଇଥିଲା। ଚାପି ହୋଇ ତିନି ଜଣ ଯନ୍ତ୍ରଣାରେ ଚିତ୍କାର କରିଥିଲେ। ଚିତ୍କାର ଶୁଣିବା ପରେ ଗାଁ ଲୋକେ ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ବୈପାରିଗୁଡ଼ା ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ବୈପାରିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ମା ଏବଂ ଦୁଇ ଝିଅଙ୍କୁ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ ଉନ୍ନତ ଚିକିତ୍ସା ପାଇଁ ଜୟପୁର ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରିଛନ୍ତି।