କୋଭିଡର କରାଳ ରୂପ: ୧୩ ଦିନ ବ୍ୟବଧାନରେ ମା’ ଓ ଭାଇ ଚାଳିଗଲେ, ପରିବାରର ଅନ୍ୟ ୯ଜଣ ସଂକ୍ରମିତ ହୋଇ ସୁସ୍ଥ ହେଲେ

ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି ସର୍ବସ୍ବାନ୍ତ, ବଡ ଭାଇ ମୁଣ୍ଡରେ ପୁରା ପରିବାରର ବୋଝ

ଜୟପୁର:  କୋଭିଡର କରାଳ ତଥା ଭୟଙ୍କର ରୁପ କିଛି ପରିବାର ଅତି ନିକଟରୁ  ଦେଖିଛନ୍ତି। କେଉଁଠି ପରିବାର ସଂପୂର୍ଣ୍ଣ ନିଶ୍ଚିହ୍ନ ହୋଇ ସାରିଛି ।ତ ଆଉ କେଉଁଠି ଆତ୍ମୀୟଙ୍କୁ ସମସ୍ତଙ୍କଠୁ ଅଲଗା କରିଦେଇଛି। ସେଭଳି କିଛି ପରିବାରର ପ୍ରମୁଖ ସଦସ୍ୟ ମାନେ ଆରପାରିକୁ ଚାଳିଯାଇଛନ୍ତି। ମାତ୍ର ୧୩ଦିନ ଅନ୍ତରାଳରେ ମା ଓ ପୁଅ ମରିଯିବା ପରେ ଏବେ ରହିଥିବା ପରିବାରର ଅନ୍ୟ ସଦସ୍ୟ ମାନେ ଭୟ, ଆତଙ୍କ ମଧ୍ୟରେ ନିଜର ଆତ୍ମୀୟଙ୍କୁ ମନେ ପକାଇ ପକାଇ ବଂଚିବା ପାଇଁ ପୁଣି ସଂଘର୍ଷ ଆରମ୍ଭ କରିଛନ୍ତି। ସେ ସମୟ‌ର ଘଟଣାକୁ ଆଉ ମନେ ପକାଇବାକୁ ବି ଭୟ କରୁଛନ୍ତି।  ଏଭଳି ଏକ ଘଟଣା ଜୟପୁର ସହରରେ ଦେଖିବାକୁ ମିଳିଛି।

ସହରର ଜ‌ଣାଶୁଣା ହୋଟେଲ ବ୍ୟବସାୟୀ ଭି.ଗ‌ୋବିନ୍ଦ ରାଜୁଙ୍କ ମା ଭି.ସୁରିୟାକାନ୍ତମ୍ (୭୫) ଓ ସାନ ଭାଇ ଭି.ସ‌ୋମେଶ୍ବର ରାଓ (୪୮) ୧୩ଦିନ ବ୍ୟବଧାନରେ କୋଭିଡରେ ପ୍ରାଣ ହରାଇଛନ୍ତି। ୨ବର୍ଷ ତଳେ ବାପା ମରିଯିବା ପରେ ଦୁଇ ଭାଇ ରାମଲକ୍ଷ୍ମଣ ଭଳି ଚଳି ଆସୁଥିଲେ। ମା ଏମାନଙ୍କର ପଥଦର୍ଶକ ଭାବେ ରହିଥିଲେ। ଦୁଇ ଭାଇ ନିଜ ବ୍ୟବସାୟ କରି ନିଜ ପରିବାର ସହ  ହସଖୁସିରେ  ଚଳି ଆସୁଥିଲେ। ତେବେ ଅଚାନକ ଭାବେ କୋଭିଡ୍ ଆସିବ ଏବଂ ପରିବାରର ୨ ପ୍ରମୁଖ ସଦସ୍ୟଙ୍କୁ ହରାଇବେ ବୋଲି କେବେ ବି ଚିନ୍ତା କରି ନଥିଲେ ଗୋବିନ୍ଦରାଜୁ।  ମା ଓ ଭାଇଙ୍କୁ ହରାଇ ପୁରା ଭାଙ୍ଗି ପଡ଼ିଛନ୍ତି ଗୋବିନ୍ଦ ରାଜୁ। ମୋ ଶରୀରର ଦୁଇ ଅଂଶ କଟି ଗଲା ଭଳି ଲାଗୁଛି ବୋଲି କହିଛନ୍ତି ଗୋବିନ୍ଦରାଜୁ।  ବର୍ତ୍ତମାନ ସେ ଖରାଫ ସମୟକୁ ଆଉ ମନେ ପକାଇବାକୁ ଚାହୁଁ ନି ବୋଲି କହି ଆଖିରୁ ଧାର ବୋହି ଚାଳିଥିବା ଦେଖିବାକୁ ମିଳିଥିଲା।

ତେବେ ସେ ସଂପୂର୍ଣ୍ଣ ରୁପେ ଘରେ ବିଶ୍ରାମ କରିଲେ ମୋର, ମୋ ଭାଇର ଦୁଇଟି ପରିବାର ସହ ମୋ ହୋଟେଲରେ କାମ କରୁଥିବା ୧୦ଜଣଙ୍କ ପରିବାର ପୂରା ଭୋକ ଉପବାସରେ ରହିବ ତେଣୁ ବାଧ୍ୟ ହୋଇ ହୋଟେଲ ଖୋଲିଛି ବୋଲି କହିଛନ୍ତି ଗୋବିନ୍ଦ ରାଜୁ।  ଗତ ଅଗଷ୍ଠ ୨୧ତାରିଖ ଦିନ ଜ୍ବରରେ ପୀଡିତ ହୋଇ ଗୋବିନ୍ଦରାଜୁଙ୍କ ମା ସୁରିୟାକାନ୍ତମ  ନିଶ୍ବାସ ନେଇ ନ ପାରି ଗୁରୁତର ହୋଇ ପଡ଼ିଥିଲେ। ମା ସୁରିୟାକାନ୍ତମଙ୍କୁ ଗୋବିନ୍ଦ ଓତାଙ୍କ ସାନ ଭାଇ ସୋମାଶ୍ବେର ସାଙ୍ଗରେ ନେଇ  ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଭର୍ତ୍ତି କରାଇଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ  ଓକ୍ସିଜେନ୍  ଓ ଔଷଧ ଆଦି ନେବା ପରେ ‌ସୁରିୟାକାନ୍ତମ୍ ସୁସ୍ଥ ହୋଇଥିଲେ। ରାତିରେ ଦୁଇ ପୁଅ ମାଙ୍କୁ ଘରକୁ ନେଇ ଆସିଥିଲେ। ତେବେ ୨୨ତାରିଖ ସକାଳୁ ଅଚାନକ ଭାବେ ପୁଣିଥରେ ସୁରିୟାକାନ୍ତମ ଗୁରୁତର ହୋଇ ପଡ଼ିଥିଲେ। ପୁଣି ଦୁଇ ପୁଅ ମାଙ୍କୁ ହାତରେ ଉଠାଇବା ବେଳେ ସେମାନଙ୍କ ହାତରେ ହିଁ ସେ ଟଳି ପଡ଼ିଥିଲେ ବୋଲି କହିବା ସହ ବାହୁନି ବାହୁନି କାନ୍ଧିଛନ୍ତି ଗୋବିନ୍ଦରାଜୁ।  ମା କେବେ ବି ବାହାରକୁ ଯାଇନଥାଏ, ସବୁ ବେଳେ ଘରେ ରହିଥାଏ। ତେବେ ସେ କିଭଳି ସଂକ୍ରମିତ ହେଲେ ବୋଲି କହିଛନ୍ତି ଗୋବିନ୍ଦରାଜୁ। ମା’ଙ୍କର ସବୁ ଶେଷକୃତ୍ୟ କାମ ଭାଇ ସୋମେଶ୍ବର କରିଥିଲେ।

ସେପ୍ଟମ୍ବର ୧ତାରିଖ ଦିନ ସୋମେଶ୍ବର ବି ଗୁରୁତର ହେବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ତେବେ ସେଠାରେ ଗୁରୁତର ହେବା ସହ ଶ୍ବାସ ନେବାରେ ସମସ୍ୟା ଦେଖାଦେଇଥିଲା। ଚିକିତ୍ସା କରୁଥିବା ଡାକ୍ତରଙ୍କ ପରାମର୍ଶରେ କୋରାପୁଟ ଏସଏଲଏନ୍ ମେଡିକାଲ କଲେଜକୁ ନିଆଯାଇଥିଲା। ସେଠାରେ ବି ସ୍ବାସ୍ଥ୍ୟରେ କିଛି ଉନ୍ନତି ନ ହେବାରୁ ସୋମେଶ୍ବରଙ୍କୁ ବିଶାଖାପାଟଣାର ଏକ ଘରୋଇ ନର୍ସିଂହୋମକୁ ୨ତାରିଖ ଦିନ ନିଆଯାଇଥିଲା। ସେଠାରେ ସେ ଦିନକ ଚିକିତ୍ସାଧୀନ ଅବସ୍ଥାରେ ରହିବା ସହ ୩ତାରିଖ ଦିନ ସକାଳୁ ସୋମେଶ୍ବରଙ୍କର ପ୍ରାଣବାୟୁ ଉଡିଯାଇଥିଲା। ଏହା ପରେ ମୃତ ସୋମେଶ୍ବରଙ୍କ ପୁଅ, ଝିଅ,ପତ୍ନୀ ଓ ଗୋବିନ୍ଦରାଜୁଙ୍କ ପରିବାରର ସମସ୍ତ ୧୨ଜଣ ସଦସ୍ୟ ବିଶାଖାପାଟଣାରେ ହିଁ କୋଭିଡ୍ ପରୀକ୍ଷା କରାଇଥିଲେ। ଏମାନଙ୍କ ମଧ୍ୟରୁ ୯ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ।  ବିଶାଖାପାଟଣାର ସେହି ଡାକ୍ତରଖାନାରେ ହିଁ ସବୁ ପରିବାରବର୍ଗ ଭର୍ତ୍ତି ହୋଇ ଚିକିତ୍ସା ସେବା ଲାଭ କରି  ଫେରିଥିଲେ। ତେବେ ଅନ୍ୟମାନଙ୍କ ତୁଳନାରେ ଗୋବିନ୍ଦରାଜୁଙ୍କ ଅବସ୍ଥା ଭଲ ନଥିବାରୁ ସେ ଆଉ କିଛି ଦିନ ରହି ଚିକିତ୍ସିତ ହେବା ସହ ମରଣ ମୁହଁରୁ ବଂଚିକି ଫେରିଛନ୍ତି।

କୋଭିଡ୍ ସଂକ୍ରମଣ ପାଇଁ ଗତ ୭ମାସ ହେବ  ହୋଟେଲ ଖୋଲି ନଥିବା ବେଳେ ପୁଣି ଚିକିତ୍ସା ପାଇଁ ଲକ୍ଷ ଲକ୍ଷରେ ଖର୍ଚ୍ଚ ହୋଇଛି । ଦୀର୍ଘ ଦିନ ଧରି ଯାହା କିଛି ଆୟ କରିଥିଲେ ଲକ୍ଷ ଲକ୍ଷ ଟଙ୍କା ଚିକିତ୍ସା ପାଇଁ ଖର୍ଚ୍ଚ କରି ସର୍ବସ୍ବାନ୍ତ ହୋଇଥିବା କହିଛନ୍ତି ଗୋବିନ୍ଦରାଜୁ। ଏଭଳି ଦୁଃଖ, କୋଭିଡ ରୁପକ ରାକ୍ଷସର କରାଳ ରୁପ ଅନ୍ୟ କୌଣସି ପରିବାର ନ ଦେଖୁ ଭଗବାନଙ୍କ ଠାରେ ଏହା ହିଁ ପ୍ରର୍ଥନା ବୋଲି କହିଛନ୍ତି ଗୋବିନ୍ଦ।

ସମ୍ବନ୍ଧିତ ଖବର