ଜମି ବିବାଦରୁ ବୀଭତ୍ସ ହତ୍ୟା

ବଡ଼ ଭାଇ, ଦୁଇ ପୁତୁରା କୋରାପୁଟରୁ ଗିରଫ

ଲମତାପୁଟ : କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଲକ ଜଲ୍ଲାହଞ୍ଜର ପଞ୍ଚାୟତ ଅନ୍ତର୍ଗତ ଜଲାଗୁଡା ଗ୍ରାମରେ ଆଜି ଜମି ବିବାଦକୁ ନେଇ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ହତ୍ୟାର ଶିକାର ହୋଇଛନ୍ତି ଜଲାଗୁଡ଼ା ଗ୍ରାମର ଶୁକ୍ରା ବଡନାୟକ(୪୦)। ତାଙ୍କ ବଡ଼ଭାଇ ଏବଂ ଦୁଇ ପୁତୁରା ମିଶି ଟାଙ୍ଗିଆରେ ଆକ୍ରମଣ କରିବା ସହ ପରେ ମୁଣ୍ଡରେ ପଥର ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଶୁକ୍ରାଙ୍କ ପତ୍ନୀ ମଧ୍ୟ ଆହତ ହୋଇଛନ୍ତି। ଘଟଣା ପରେ ଅଭିଯୁକ୍ତ ବଡ଼ଭାଇ ଚଣ୍ଡାଳ ବଡନାୟକ(୪୫) ଏବଂ ତାଙ୍କର ଦୁଇ ପୁଅ ଚନ୍ଦ୍ର ବଡନାୟକ ଓ ଖଗପତି ବଡନାୟକ ଫେରାର ହୋଇ ଯାଇଥିଲେ। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ୨ଟି ଟିମ୍‌ ଗଠନ କରାଯାଇଥିଲା। ତେବେ ରାତିରେ ୩ ଅଭିଯୁକ୍ତଙ୍କୁ ପୁଲିସ କୋରାପୁଟରୁ ଗିରଫ କରିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ଘଟଣାରୁ ପ୍ରକାଶ ଯେ ଜଲାପୁଡ଼ା ଗ୍ରାମର ଦୁଇ ଭାଇ ଶୁକ୍ରା ଏବଂ ଚଣ୍ଡାଳଙ୍କ ମଧ୍ୟରେ ଜମି ବିବାଦକୁ ନେଇ ଶତ୍ରୁତା ରହିଥିଲା। ଆଜି ସକାଳୁ ଶୁକ୍ରା ବଡନାୟକ ନିଜ ଜମିକୁ ହଳ କରିବାକୁ ଯାଇଥିଲେ । ସେଠାରୁ ଫେରିବା ପରେ ମାଣ୍ଡିଆ ପଦାକୁ ଯିବା ସମୟରେ ବଡଭାଇ ଚଣ୍ଡାଳ ଏବଂ ଦୁଇ ପୁତୁରା ଚନ୍ଦ୍ର ଓ ଖଗପତି ଟାଙ୍ଗିଆରେ ଆକ୍ରମଣ କରିଥିଲେ। ଟାଙ୍ଗିଆ ଚୋଟ ବାଜିବା ପରେ ଜୀବନ ବଞ୍ଚାଇବାକୁ ଶୁକ୍ରା ଦୌଡ଼ି ପଳାଇବା ବେଳେ ପଡ଼ି ଯାଇଥିଲେ। ଏହି ସମୟରେ ଶୁକ୍ରାଙ୍କ ପତ୍ନୀ ସମାରୀ ପହଞ୍ଚି ପ୍ରତିରୋଧ କରିବାରୁ ୩ଜଣ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ପରେ ସେଠାରେ ଥିବା ଏକ ପଥରକୁ ଶୁକ୍ରା ମୁଣ୍ଡରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଗ୍ରାମବାସୀ ଏବଂ ମୃତକଙ୍କ ପତ୍ନୀଙ୍କ ଠାରୁ ଅଭିଯୋଗ ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିିଛି। ଘଟଣାସ୍ଥଳରେ ନନ୍ଦପୁର ଏସଡିପିଓ ଶିବରାମ ନାୟକ,ମାଛକୁଣ୍ଡ ଥାନା ଅଧିକାରୀ ତପନ କୁମାର ନାହକ ,ଲମତାପୁଟ ଫାଣ୍ଡି ଅଧିକାରୀ ଶିବ ପ୍ରସାଦ ଷଢ଼ଙ୍ଗୀ ପହଞ୍ଚି ତଦନ୍ତ କରିବା ସହ ଶବକୁ ବ୍ୟବଚ୍ଛେଦ ପାଇଁ ନନ୍ଦପୁର ପଠାଇଥିଲେ। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସର ୨ଟି ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲେ। ତେବେ ରାତିରେ ଅଭିଯୁକ୍ତ ୩ଜଣଙ୍କୁ ପୁଲିସ କୋରାପୁଟରୁ ଗିରଫ କରିଥିବା ଜଣାପଡିଛି।

ଗ୍ରାମବାସୀଙ୍କ ଠାରୁ ପ୍ରକାଶ ଯେ ୨ ଏକର ଜମିକୁ ନେଇ ଏହି ଦୁଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ହେଉଥିଲା। ତଥାପି ଶୁକ୍ରା ବଡନାୟକର କୌଣସି ସନ୍ତାନ ନଥିବାରୁ ବଡଭାଇର ପୁଅ ଚନ୍ଦ୍ରକୁ ନିଜର ପୁଅ ଭଳି ଗ୍ରହଣ କରି ତାର ପାଠପଢ଼ା ସହ ସବୁକିଛି ବୁଝିି ଆସୁଥିଲେ। ତେବେ ଚନ୍ଦ୍ର ଏହି କଥାକୁ ଭୁଲି ବାପା ସହ ମିଶି ନିଜ ଦାଦାକୁ ହତ୍ୟା କରିବାକୁ ପଛାଇଲାନି ବୋଲି ଗ୍ରାମରେ ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର