ଜୟପୁର: ଏଥରକ ପୌର ଅଧ୍ୟକ୍ଷ ପଦବୀ ପାଇଁ ହେବ ସିଧାସଳଖ ନିର୍ବାଚନ। ଭୋଟରମାନେ ହିଁ ନିର୍ଣ୍ଣୟ କରିବେ ତାଙ୍କ ଅଧ୍ୟକ୍ଷ। ଏଥିପାଇଁ ଜୟପୁରରେ ରାଜନୈତିକ ଉଷ୍ମତା ଦେଖାଦେଇଛି। ତିନି ରାଜନୈତିକ ଦଳରୁ ପ୍ରମୁଖ ଦାବିଦାର ଓ ଟିକେଟ ଲବିରେ ଥିବା ପ୍ରାର୍ଥୀ କିଏ କିଏ ତାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।
ଧୀରେ ଧୀରେ ଆଶାୟୀଙ୍କ ସଂଖ୍ୟା ବି ବଢ଼ିବାରେ ଲାଗିଛି। ବିଭିନ୍ନ ରାଜନୈତିକ ଦଳ ବି ଯୁବକ, ଯୁବତୀଙ୍କୁ ଅଧିକା ପ୍ରାଧାନ୍ୟ ଦେଉଛନ୍ତି। ତେଣୁ ଏଥରକ ହେବାକୁ ଥିବା ନିର୍ବାଚନରେ ବହୁ ଯୁବ ମୁହଁକୁ ବି ଦେଖିବାକୁ ମିଳିବା ସମ୍ଭାବନା ରହିଛି।
୧୯୯୧-୯୨ମସିହାରେ ୩୦ ବର୍ଷ ତଳେ ଶେଷ ଥର ପାଇଁ ସିଧାସଳଖ ପୌରାଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ କଂଗ୍ରେସ ପ୍ରାର୍ଥୀ ଭାବେ ସ୍ବର୍ଗତ ଜଗଦୀଶ ପ୍ରସାଦ ସାହୁ ଓ ଜନତା ଦଳ ପକ୍ଷରୁ ସ୍ବର୍ଗତ ସତ୍ୟନାରାୟଣ ଅଧିକାରୀ ପ୍ରାର୍ଥୀ ହୋଇଥିଲେ। ଏଥିରେ କଂଗ୍ରେସ ପ୍ରାର୍ଥୀ ସ୍ବର୍ଗତ ସାହୁ ଜିତିଥିଲେ। ଏହା ଦ୍ବିମୁଖୀ ପ୍ରତିଦ୍ବନ୍ଦିତା ହୋଇଥିଲା। ଗତ ସାଧାରଣ ନିର୍ବାଚନରେ କଂଗ୍ରେସର ପଲା ଭାରି ରହିଥିଲା। ସହରାଞ୍ଚଳରେ ବି କଂଗ୍ରେସ ପ୍ରଥମ, ଦ୍ବିତୀୟରେ ବିଜେପି ଓ ତୃତୀୟ ସ୍ଥାନରେ ବିଜେଡି ଭୋଟ ପାଇଥିଲା। ତେବେ ଏହାର ପ୍ରଭାବ ପଡ଼ୁନି ବୋଲି ରାଜନୈତିକ ସମୀକ୍ଷକମାନେ କହୁଛନ୍ତି। ଖାସ୍ କରି ଅଧ୍ୟକ୍ଷ ପଦବୀର ପ୍ରାର୍ଥୀଙ୍କ ବ୍ୟକ୍ତିତ୍ବ, ଜନସଂପର୍କ, ରାଜନୈତିକ ଦକ୍ଷତା, ସବୁଦଳର ଉପରି ନେତାଙ୍କ ସହ ସଲାସୁତରା ଓ ଗୋଟି ଚାଳାନାର ଦକ୍ଷତା ଉପରେ ନିର୍ଭର ବୋଲି କହୁଛନ୍ତି।
ବିଜେଡିରେ ଆଶାୟୀ ତାଲିକାରେ ପୂର୍ବତନ ପୌର ଉପାଧ୍ୟକ୍ଷ ମୁନ୍ନା ରଥ, ପୂର୍ବତନ କାଉନସିଲର ବାଲା ରାୟ, ଅନୁପ ପାତ୍ର, ଦୁର୍ଗା ପ୍ରସାଦ ମିଶ୍ର, ଯଶପାଲ ସିଂ, ମନୋଜ ବେହେରା, ନଗର ବିଜେଡି ସଭାପତି ହର ପ୍ରସାଦ ମିଶ୍ର, ବିଜେଡି ଯୁବ ନେତା ଧର୍ମେନ୍ଦ୍ର ଅଧିକାରୀ, ବରିଷ୍ଠ ନେତା ରମାକାନ୍ତ ରାଉଳ, ଜିଲ୍ଲା ପରିଷଦ ସଭ୍ୟା ବିନ୍ଦୁରାଣୀ ମିଶ୍ର ରହିଥିବା ଚର୍ଚ୍ଚା ଚାଳିଛି।
ସେଭଳି କଂଗ୍ରେସରେ ନଗର କଂଗ୍ରେସ ସଭାପତି ନରି ମହାନ୍ତି, ଇଂ.ନିହାର ରଂଜନ ବିଷୋଇ, ଜ୍ୟୋତି ରଂଜନ ମହାପାତ୍ର, ବୁଲୁ ସାହୁ, ଜିଲ୍ଲା ସଭାନେତ୍ରୀ ମୀନାକ୍ଷୀ ରାଣୀ ବାହିନୀପତି, ଓ ଭଗବାନ ବାହିନୀପତି ବି ଆଶାୟୀ ତାଲିକାରେ ରହିଥିବା ସୂଚନା ମିଳିଛି। ବିଜେପିରେ ନଗର ସଭାପତି ସାଧୁ ଦାଶ ଚୌଧୁରୀ, ବୈଦ୍ୟନାଥ ମିଶ୍ରଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି। ସେଭଳି ସ୍ବାଧୀନ ପ୍ରାର୍ଥୀଙ୍କ ଭୂମିକାରେ ପବ୍ଲିକ ରାଇଟସ୍ ଆସୋସିଏସନର ସଭାପତି ଦେବେନ୍ଦ୍ର ବାହିନୀପତି, ଅମରଲାଲ ଆହୁଜା, ଜିଲ୍ଲା ଯୁବ ସଂଗଠନର ରବୀନ୍ଦ୍ର ମହାପାତ୍ର, ୟୁଥ୍ ଫୋର ଆକ୍ସନର ଏ.ଦୁର୍ଗା ପ୍ରସାଦ ବି ନିର୍ବାଚନ ମଇଦାନରେ ଓହ୍ଲାଇବା ସମ୍ଭାବନା ରହିଛି। ଗତ କିଛି ମାସ ହେବ ସହରର ସବୁ ଗଳି, ସାହିରେ ବୁଲି ଲୋକଙ୍କ ସମସ୍ୟା ସହ ଜଡ଼ିତ ହେବାକୁ ପ୍ରୟାସ କରୁଥିବା ଦେଖିବାକୁ ମିଳିଛି। ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରଘୁନାଥ ପଟ୍ଟନାୟକଙ୍କ ସାନ ପୁଅ ଧୀରେନ୍ ପଟ୍ଟନାୟକଙ୍କ ନାଁକୁ ନେଇ ବି ଚର୍ଚ୍ଚା ହେଉଛି। ଆଶାୟୀଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଆଗାମୀ ଦିନରେ ପୁଣି ଆଉ କେତେ ଜଣ ପ୍ରାର୍ଥୀ ବାହାରିବେ ତାହା ସ୍ପଷ୍ଟ ହେବ।
ସିଧାସଳଖ ପୌର ଅଧ୍ୟକ୍ଷ ନିର୍ବାଚନକୁ ନେଇ ବଢ଼ୁଛି ଉଷ୍ମତା: ଆଶାୟୀଙ୍କ ସଂଖ୍ୟା ଲମ୍ବୁଛି
/sambad/media/post_attachments/wp-content/uploads/2021/09/Untitled.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)