ଜୟପୁର: ଜୟପୁର ଟାଉନ ଥାନା ଅନ୍ତର୍ଗତ ଇକ୍ଷ୍ମୀପଣ୍ଡା ଛକ ଠାରେ ଜଣେ ବ୍ୟକ୍ତିଙ୍କୁ ଇଟାରେ ଛେଚି ହତ୍ୟା କରାଯାଇଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ପରିଚୟ ମିଳିପାରିନଥିବା ବେଳେ ପୁଲିସ ପଚରାଉଚାରା କରୁଛି। ଏଥିସହ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ଆସି ଘଟଣାର ତଦନ୍ତ କରିବା ନେଇ ଜୟପୁର ଏସ୍ଡିପିଓ ଅରୂପ ଅଭିଷେକ ବେହେରା କହିଛନ୍ତି।
ସୂଚନା ଯୋଗ୍ୟ, ଲକ୍ଷ୍ମୀ ପଣ୍ଡା ଛକ ନିକଟରେ ଗୋଟିଏ ଚା’ ଦୋକନରେ ରାତିରେ ଜଣେ ବ୍ୟକ୍ତି ଆସି ସବୁଦିନେ ଶୋଇଥାଏ। ଦିନ ସାରା ବାହାରେ ବୁଲାବୁଲି କରେ ଓ ପାଞ୍ଜି ଦେଖି ଲୋକଙ୍କ ଠାରୁ କିଛି ଟଙ୍କା ପାଇଥାଏ। ସେଥିରେ ସେ ଚଳିଯାଉଥିବା ବେଳେ ରାତି କାଟିବା ପାଇଁ ଦୋକାନରେ ଆଶ୍ରୟ ନେଇଥାଏ। ଗତକାଲି ବର୍ଷା ହେଉଥିବାରୁ ବ୍ୟକ୍ତି ଜଣକ ସନ୍ଧ୍ୟା ସମୟରୁ ଦୋକାନକୁ ଆସିଥିଲା ଏବଂ ସବୁଦିନ ପରି ରାତିରେ ମଧ୍ୟ ସେଠାରେ ଶୋଇଥିଲା।
ସକାଳୁ ଦୋକାନ ମାଲିକ ଆସି ଦେଖିବା ବେଳକୁ ରକ୍ତାକ୍ତ ଅବସ୍ଥାରେ ମୃତ ଦେହ ପଡ଼ିଛି। କେହି ବ୍ୟକ୍ତିଙ୍କ ମୁହଁକୁ ଛେଚି ରକ୍ତାକ୍ତ କରି ଦେଇଥିବା ବେଳେ ମୃତ ଦେହ ନିକଟରେ ରକ୍ତଭିଜା ଇଟାଗୁଡ଼ିକ ପଡ଼ିଥିବାର ଦେଖିବାକୁ ମିଳିଛି। ଘଟଣା ସ୍ଥଳରେ ଏସ୍ଡିପିଓ, ଟାଉନ ଥାନା ଅଧିକାରୀ ସଞ୍ଜୟ ମଣ୍ଡଳ, ସଦର ଥାନା ଅଧିକାରୀ ଆଦିତ୍ୟ ମହାକୁର ଓ ପୁଲିସ ଟିମ୍ ପହଞ୍ଚି ତଦନ୍ତ କରୁଛନ୍ତି।