ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ, ପୁଅ ମୃତ, ବାପା ଗୁରୁତର

ବୋରିଗୁମ୍ମା: କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ବିସିଂହପୁର ଥାନା ଅଧୀନସ୍ଥ ଘଟୁଆଳଗୁଡ଼ାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବାପା ଓ ପୁଅକୁ ଆକ୍ରମଣ ହୋଇଛି। ଘଟଣାସ୍ଥଳରେ ପୁଅର ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ହୋଇଥିବା ଜଣାପଡ଼ିଛି। ଗୁରୁତର ବାପାକୁ ପ୍ରଥମେ କୁମୁଲୀ ଓ ପରେ ବୋରିଗୁମ୍ମା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ମୃତକ ଜଣକ ହେଲେ ଫକୀର ବିଶୋଇ ଓ ତାଙ୍କ ବାପା ଦୟାନିଧୀ ବିଶୋଇ। ରକ୍ତାକ୍ତ ଅବସ୍ଥାରେ ଫକୀରଙ୍କ ଶବ ଗାଁ ଦାଣ୍ଡରେ ପଡି ରହିଥିଲା। ଖବର ପାଇ ବିସିଂହପୁର ପୁଲିସ ଘଟୁଆଳଗୁଡ଼ାରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଏନେଇ ଏକ ମାମଲା ଦାୟର କରିଛନ୍ତି ମୃତ ଫକୀରଙ୍କ ଭାଇ ବଳରାମ ବିଶୋଇ। ବିସିଂହପୁର ଥାନାରେ କେଶ ନମ୍ବର ୧୨୧/୨୧ ଅନୁଯାଇ ଗ୍ରାମର ବିଦ୍ୟାଧର ବିଶୋଇ ଓ ଦୟାନିଧୀ ବିଶୋଇଙ୍କ ପରିବାର ମଧ୍ୟରେ ପୂର୍ବରୁ ଏକ ଲିଫ୍ଟ ପଏଣ୍ଟକୁ ନେଇ ବିବାଦ ରହିଥିଲା। ତେବେ ଗତକାଲି ରାତିରେ ବିଦ୍ୟାଧର ତାଙ୍କର କିଛି ସହଯୋଗୀଙ୍କ ସହ ଆସି ଫକୀରଙ୍କୁ ଖଣ୍ଡାରେ ହାଣି ଥିଲେ। ପରେ ଦୟାନିଧୀଙ୍କୁ ମଧ୍ୟ ଆକ୍ରମଣ କରିଥିଲେ।

ଘଟଣାସ୍ଥଳରେ ଫକୀରଙ୍କ ମୃତ୍ୟୁ ହୋଇଥିବାବେଳେ ଦୟାନିଧୀଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ଗ୍ରାମରେ ସନ୍ଧ୍ୟା ସମୟରେ ଏକ ପୂଜା ଚାଲିଥିବା ବେଳେ ଏଭଳି ଘଟଣା ଘଟିଥିଲା। ହତ୍ୟାକାଣ୍ଡକୁ ନେଇ ଗ୍ରାମର ୪ଜଣଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି। ଆଜି ସାଇଣ୍ଟିଫିକ୍‌ ଟିମ୍‌ ସହିତ ବିସିଂହପୁର ପୁଲିସ ଗାଁରେ ପହଞ୍ଚି ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ଏହାସହ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ନେଇ ଥାନା ଅଧିକାରୀ ଦାମୋଦର ବିହାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର