ବୈପାରିଗୁଡା: ବାପା ହତ୍ୟାର ପ୍ରତିଶୋଧ ନେବାକୁ ଯାଇ ହତ୍ୟାକାରୀକୁ ଟାଙ୍ଗିଆରେ ହାଣି ପୋତି ଦେଇଥିଲେ ତିନି ଭାଇ। ଆଜି ଦୁଇ ଭାଇକୁ ଗିରଫ କରାଯାଇଥିବା ବେଳେ ଜଣେ ଭାଇ ଫେରାର ଥିବା ପୁଲିସ ସୂଚନା ଦେଇଛି। ଘଟଣା ଅନୁଯାୟୀ, ଗତ ମାସ ଅଗଷ୍ଟ ୪ ତାରିଖ ଦିନ ବୈପାରିଗୁଡା ବ୍ଲକର ଦଣ୍ଡାବାଡି ବିଏସଏଫ କ୍ୟାମ୍ପ ନିକଟସ୍ଥ ଚାଷ ଜମିରୁ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତ ଦେହଟି ଦଣ୍ଡାବାଡି ପଞ୍ଚାୟତର ଅଣ୍ଡରାଯୋଡି ଗ୍ରାମର ଧନ ଭୁମିଆ ବୋଲି ଜଣାପଡିଥିଲା। ଧନ ଭୁମିଆଙ୍କ ଭଉଣୀ ଫୁଲମତୀ ଭାଇର ହତ୍ୟା କରାଯାଇଥିବା ନେଇ ଥାନାରେ ହତ୍ୟା ଅଭିଯୋଗ ଆଣି ଏତଲା ଦେଇଥିଲେ।

Advertisment

ପୁଲିସ ଏତଲା ଅନୁଯାୟୀ ତଦନ୍ତ ଆରମ୍ଭ କରିଥିଲା। ହତ୍ୟା ଘଟଣାରେ ସଂପୃକ୍ତ ଥିବା ମାଠପାଡିଆଗୁଡା ଗ୍ରାମର ମହିଳା ମୋତି ଦେଳେଇ ବୋଲି ଜଣାପଡ଼ିଥିଲା। ମୋତି ଦଳେଇକୁ ଥାନାକୁ ଆଣି ପଚରାଉଚରା କରିବା ପରେ ସେ ଧନଙ୍କ ହତ୍ୟା କରିଥିବା ସ୍ବୀକାର କରିଥିଲା। ମୋତି ଦଳେଇକୁ କୋର୍ଟ ଚାଲାଣ କରାଯିବା ପରେ ଧନ ଭୁମିଆଙ୍କ ତିନି ପୁଅ ମୋତି ବାପାଙ୍କ ହତ୍ୟା ଘଟଣାରେ ଅନ୍ୟ ଜଣେ ସଂପୃକ୍ତ ଥିବା ନେଇ ସନ୍ଦେହ କରିଥିଲେ। ଅଣ୍ଡରାଯୋଡି ଗ୍ରାମର ସମାରୁ ପୂଜାରୀଙ୍କ ଚାଷ ଜମିରେ ବାପା ଧନଙ୍କ କ୍ଷତାକ୍ତ ମୃତଦେହ ପଡ଼ିଥିବାରୁ ମହିଳା ମୋତି ସହ ସମାରୁ ପୂଜାରୀ ମଧ୍ୟ ବାପାଙ୍କ ହତ୍ୟା ଘଟଣାରେ ସଂପୃକ୍ତ ଥିବା ନେଇ ସନ୍ଦେହ କରିଥିଲେ। ସନ୍ଦେହ ବଢିବାରୁ ସମାରୁ ନିକଟକୁ ଯାଇ ବାପା ଧନଙ୍କ ହତ୍ୟା ସଂପର୍କରେ ବାରମ୍ବାର ପଚାରୁଥିଲେ। ଏହାପରେ ସମାରୁ ପୂଜାରୀ କିଛି ଦିନ ଦଣ୍ଡାବାଡି ଗ୍ରାମରେ ଅନୁପସ୍ଥିତ ଥିବାରୁ ପୁଅ ଏବଂ ପରିବାର ଲୋକେ ଖୋଜାଖୋଜି କରିଥିଲେ। ବହୁ ଖୋଜାଖୋଜି ପରେ ନପାଇବାରୁ ଅଗଷ୍ଟ ୨୯ ତାରିଖ ଦିନ ବୈପାରିଗୁଡା ଥାନାରେ ନିଖୋଜ ନେଇ ଏତଲା ଦେଇଥିଲେ।

ପୁଲିସ ଖୋଜାଖୋଜି ଆରମ୍ଭ କରିବା ବେଳେ ପୁଣିଥରେ ସମାରୁ ପୂଜାରୀଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣି ଅଣ୍ଡରାଯୋଡି ଗ୍ରାମର ତିନି ଭାଇ ହରିଚନ୍ଦ୍ର ଭୁମିଆ (୩୦), ଭୀମ ଭୁମିଆ (୨୫) ଏବଂ ସୋମନାଥ ଭୁମିଆଙ୍କ ନାଁରେ ଏତଲା ଦେଇଥିଲେ। ବୈପାରିଗୁଡା ଥାନା ତଦନ୍ତକାରୀ ଅଧିକାରୀ ଓଆଇସି ଡମ୍ବରୁଧର ବାତ୍ରିଆ ଏତଲା ଅନୁଯାୟୀ ତଦନ୍ତ ଆରମ୍ଭ କରିଥିଲେ। ହରିଚନ୍ଦ୍ର ଭୁମିଆ ଏବଂ ଭୀମ ଭୁମିଆକୁ ଥାନାକୁ ଆଣି ପଚରାଉଚରା ଆରମ୍ଭ କରିଥିଲେ। ପୁଲିସ ତଦନ୍ତ ଆରମ୍ଭ କରିବା ପୂର୍ବରୁ ତିନି ଭାଇଙ୍କ ମଧ୍ୟରୁ ସୋମନାଥ ଭୁମିଆ ଫେରାର ହୋଇଯାଇଥିଲା। ପଚରାଉଚରା ପରେ ତିନି ଭାଇ ସମାରୁଙ୍କୁ ହତ୍ୟା କରିଥିବା ନେଇ ସ୍ବୀକାର କରିଥିଲେ ଦୁଇ ଭାଇ।

ବୈପାରିଗୁଡା ପୁଲିସ, ରାମଗିରି ଫାଣ୍ଡି ପୁଲିସ୍ ଏବଂ ସାଇଣ୍ଟିଫିକ ଟିମ ହରିଚନ୍ଦ୍ର ଏବଂ ଭୀମକୁ ନେଇ ହତ୍ୟାର ସିନ୍ ରିକ୍ରିଏସନ୍ କରିଥିଲେ। ସିନ୍ ରିକ୍ରିଏସନରେ ପ୍ରଥମେ ରାତି ୧୧ଟା ବେଳେ ଦଣ୍ଡାବାଡି ଗ୍ରାମରେ ପହଞ୍ଚି ସମାରୁଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ ହରିଚନ୍ଦ୍ର ଏବଂ ସୋମନାଥ ଦୁଇ ଭାଇ। କିନ୍ତୁ ସମାରୁ ବଞ୍ଚି ଯିବାରୁ କ୍ଷତାକ୍ତ ଶରୀରକୁ ଟେକି ଟେକି ୭ କିଲୋମିଟର ଦୂର ଅଣ୍ଡରାଯୋଡି ଜଂଗଲକୁ ନେଇଯାଇଥିବା କହିଥିଲେ। ସେହି ରାତିରେ ୨ଟା ବେଳେ ଘରେ ପହଞ୍ଚି ଅନ୍ୟଜଣେ ଭାଇ ଭୀମକୁ ହତ୍ୟା ବିଷୟରେ ଜଣେଇଥିଲେ। ତାପର ଦିନ ତିନି ଭାଇ ମିଶି ସମାରୁଙ୍କ ମୃତଦେହ ନେଇ ଅଣ୍ଡରାଯୋଡି ଜଂଗଲରେ ଗୋତ ଖୋଲି ପୋତି ଦେଇଥିଲେ। ଆଜି ମୃତଦେହ ଉଦ୍ଧାର କରାଯିବା ସହ ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ହତ୍ୟାକାରୀ ହରିଚନ୍ଦ୍ର ଭୁମିଆ ଏବଂ ଭୀମ ଭୁମିଆକୁ ଗିରଫ କରିବା ସହ କୋର୍ଟ ଚାଲାଣ କରାଯାଇଥିବା ବୈପାରିଗୁଡା ଥାନା ଓଆଇସି ଡମ୍ବରୁଧର ବାତ୍ରିଆ ସୂଚନା ଦେଇଛନ୍ତି। ସୋମନାଥ ଭୁମିଆ ଫେରାର ଥିବାରୁ ତାକୁ ଅତିଶୀଘ୍ର ଗିରଫ କରାଯିବ ବୋଲି ମଧ୍ୟ ପ୍ରକାଶ କରିଛନ୍ତି ଓଆଇସି ବାତ୍ରିଆ।