ରହସ୍ୟରେ ରହିଲା କେବିଡି ହତ୍ୟାକାଣ୍ଡ:ବର୍ଷକ ପରେ ବି ପୁଲିସ ହାତ ଖାଲି

ସୁରାକ ମିଳିବାକୁ ସମୟ ଲାଗେ: ଏସପି

ଜୟପୁର/କୋରାପୁଟ: କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅନ୍ତର୍ଗତ କୋରାପୁଟ-ରାଣିଗଡ ରାସ୍ତାର କେବିଡି ଛକରେ ଜଣେ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରିବା ପରେ ଶିଶୁ କନ୍ୟାକୁ ଛାଡିଯିବା ଘଟଣାକୁ ବର୍ଷେ ବିତିଛି। ଘଟଣାର ଏକ ବର୍ଷ ବିତିଯାଇଥିଲେ ହେଁ ହତ୍ୟାକାରୀ ନିକଟରେ ଆଜି ବି ପୁଲିସ ପହଞ୍ଚି ପାରିନାହିଁ। ମୂଳରୁ ପୁଲିସ ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ହାଲକା ଭାବେ ଗ୍ରହଣ କରିଥିବା ଯୋଗୁଁ ମହିଳାଙ୍କ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚିତ ହୋଇପାରିଲା ନାହିଁ।  ମୃତା ମହିଳାଙ୍କ ପରିଚୟ ମିଳିପାରି ନଥିବା ବେଳେ ଅଭିଯୁକ୍ତଙ୍କୁ ବି ପୁଲିସ ଧରିପାରିଲା ନାହିଁ। ପୁଲିସ ମାମଲାର ତଦନ୍ତ ଜାରି ରଖିଥିଲେ ହେଁ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିିବା ପାଇଁ ପୁଲିସ ନିକଟରେ କୌଣସି ସୁରାକ୍‌ ମଳିପାରିନାହିଁ। ତେବେ ଏଭଳି ଘଟଣାରେ ସମୟ ଲାଗେ ବୋଲି କୋରାପୁଟ ଏସପି କନଓ୍ଵର ବିଶାଲ ସିଂହ କହିଛନ୍ତି। ମୃତା ମହିଳାଙ୍କ ପରିଚୟ ମିଳିନଥିବା ଏବଂ ଅଭିଯୁକ୍ତ ଧରାପଡିନଥିବା ବେଳେ ଉଦ୍ଧାର ହୋଇଥିବା ଶିଶୁକୁ ପୋଷ୍ୟସନ୍ତାନ ଭାବେ ସରକାର ହସ୍ତାନ୍ତର କରିସାରିଛନ୍ତି। ଶିଶୁଟି ରାଜ୍ୟ ବାହାରେ ଥିବା ବେଳେ ସେ ହିଁ ତା ମା’ ହତ୍ୟାକାଣ୍ଡର ଏକ ମାତ୍ର ରାଜସାକ୍ଷୀ ।
କେବିଡି ଛକ ନୀଳବଣରେ ଅଜଣା ମହିଳାଙ୍କୁ ଦୁର୍ବୃତ୍ତ ହତ୍ୟା କରି ଶିଶୁଟିକୁ ସେଠାରେ ଛାଡି ଚାଲିଯାଇଥିଲା । ଏହି ଘଟଣାରେ ପୁଲିସ ଛତିଶଗଡ, ଆନ୍ଧ୍ରପ୍ରଦେଶର ହାଇଦ୍ରାବାଦ ଯାଇ ତଦନ୍ତ କରି ଫେରିଥିଲେ ହେଁ କୌଣସି ଆଖିଦୃଷ୍ଟିଆ ସଫଳତା ପାଇପାରିନାହିଁ । ମହିଳାଙ୍କର ପରିଚୟ ମିଳିପାରି ନ ଥିବା ଯୋଗୁଁ କୋରାପୁଟ ଶବଗୃହରେ କିଛି ଦିନ ରଖି ଆଇନଗତ ଭାବେ ସତ୍କାର କରାଯାଇଥିଲା। ଶବ ବ୍ୟବଚ୍ଛେଦ ପରେ ହସ୍ତଗତ ହୋଇଥିବା ଫିଙ୍ଗରପ୍ରିଣ୍ଟ ଯାଞ୍ଚ କରିବାକୁ ପୁଲିସର ଏକ ଟିମ୍‌ ଭୁବନେଶ୍ୱରକୁ ଯାଇଥିଲେ ହେଁ ସେଠାରୁ ବି କୌଣସି ସ୍ପଷ୍ଟ ସୁରାକ୍‌ ପାଇପାରିନଥିଲା । କୋରାପୁଟ ଏସପି କନଓ୍ଵର ବିଶାଲ ସିଂହ କହିଛନ୍ତି ଯେ ୭ଟି ରାଜ୍ୟର ବିଭିନ୍ନ ପୁଲିସ ଷ୍ଟେସନରେ ଫଟୋ ସହ ସୂଚନା ଜାରି କରାଯାଇଛି। ଯଦି କେଉଁଠି ସୂଚନା ମିଳେ ତେବେ ତୁରନ୍ତ ଜଣାଯିବାକୁ କୁହାଯାଇଛି। ଏଭଳି ହତ୍ୟାକାଣ୍ଡରେ ସାଧାରଣତଃ ସମୟ ଲାଗେ। ପରିଚୟ ପାଇଁ ଅନ୍ୟ ବ୍ୟବସ୍ଥା ଗ୍ରହଣ କରାଯାଉଛି ବୋଲି ସେ କହିଛନ୍ତି।
ଗତବର୍ଷ ଆଜିର ତାରିଖରେ ଜଣେ ଅଜଣା ମହିଳାଙ୍କୁ ହତ୍ୟା କରାଯାଇଥିଲା। ମୃତ ମହିଳା ଜଣକ କିଏ ? ଏବଂ କେଉଁ ପରିସ୍ଥିତିରେ ସେ ଏଠାକୁ ଆସିଥିଲେ, ହତ୍ୟାକାରୀ ମହିଳାଙ୍କୁ ହତ୍ୟା କରିବା ପରେ ଶିଶୁଟିକୁ କିଭଳି ଛାଡି ଚାଲିଗଲା ? କହିଁକି ତାଙ୍କୁ ହତ୍ୟା କରାଗଲା, ଏଭଳି ବହୁ ପ୍ରଶ୍ନ ଆଜି ବି ଅସମାହିତ ହୋଇରହିଛି । ମହିଳାଙ୍କ ପରିଚୟ ମିଳିପାରିନଥିବା ବେଳେ ପୁଲିସ ତାଙ୍କ ସ୍ୱାମୀଙ୍କୁ ସନ୍ଦେହ କରୁଛି । ମହିଳାଙ୍କ ପରିଚୟ ମିଳିବା ପରେ ହିଁ ଘଟଣା ପଦାକୁ ଆସିବ ବୋଲି ପୁଲିସ ଆଶା ବାନ୍ଧିଛି ।

ସମ୍ବନ୍ଧିତ ଖବର