କୋରାପୁଟ: ଜାପାନ ପଦ୍ଧତିରେ ନୂଆ ଜଙ୍ଗଲ ସୃଷ୍ଟି କରିବା ଲକ୍ଷ୍ୟରେ ଆରମ୍ଭ ହୋଇଛି କୋରାପୁଟ ବନଖଣ୍ଡର ମାନବର ନିକଟରେ ମିୱାୱାକି ଫରେଷ୍ଟ କ୍ୟାମ୍ପା ୧ମିଟର ଓସାରକୁ ୧ମିଟର ଲମ୍ବରେ ୫ଏକର ପରିଧିରେ ୯୦ରକମର ୧୬ହଜାର ଔଷଧୀୟ, ଫଳନ୍ତି ଓ ଫୁଲ ବୃକ୍ଷ ଲାଗିଛି। ଦୁଇଟି ସ୍ଥାନରେ ୧୬ହଜାର ଗଛ ଗତ ୨୦୨୦-୨୧ ଓ ୨୦୨୧-୨୨, ଲଗାଯାଇଥିବା ବେଳେ ଗଛ ଗୁଡିକ ବି ସୁନ୍ଦର ଭାବେ ବଢ଼ିଗଲାଣି।
କୋରାପୁଟ ବନଖଣ୍ଡର କୋରାପୁଟ ବନାଂଚଳ ପକ୍ଷରୁ ଏହି ବନ ଗତ ୨୦୨୦-୨୧ ଓ ୨୦୨୧-୨୨ରେ ଆରମ୍ଭ କରାଯାଇଥିଲା। ସାଢ଼େ ୨ଏକର ଲେଖାଏଁ ୫ଏକର ପରିଧିରେ ଆମ୍ବ, ପଣସ, ସାପଟା, କଦଳୀ, ସୀତାଫଳ, ଲିଚୁ, ବାଉଁଶ ସହ ଆମ୍ବଡା, ଆମଳା, ଅଜୁର୍ନ, ଆସନ, ଅଶୋକ, ବାହାଡା, ବଳଦିଆ, ବରା, ବେଲ, ବଣ ଭାଲିଆ, ଚମ୍ପା, ଚନ୍ଦନ, ଚାର, ଦେବଧାରୁ, ଡିମିରୀ, ହଳଦୁ, ହରିଡା, ହିଂଜାଳ, ଜାମୁ, ଜାଫରା, ଜେଉଟ, କଦମ୍ବ, କାଜୁ, କାଂଚନ, କରଂଜ, କଷି, କେନ୍ଦୁ, କୁସୁମ, ମୁଛକୁନ୍ଦ, ମହାଗନି, ମହୁଲ, ନିମ୍ବ, ପଲାସ, ପାଇନ, ସହଜ, ରୁଦ୍ରାକ୍ଷ, ରକ୍ତଚନ୍ଦନ, ନାଗେଶ୍ବର, ଡାଲଚିନି, ସର୍ବମସଲା, ପିସ୍ତାବାଦମ, ଲିଚି, ଲେମ୍ବୁ, ଏପୁଲ, ଗୁଲବଜାମୁନ, ବରକୁଳି, ନାଗଲିଙ୍ଗ ଏଭଳି ୯୦ ରମକର ଗଛ ଲଗାଯାଇଛି ବୋଲି କହିଛନ୍ତି ବନାଂଚଳଅଧିକାରୀ ଏସକେ ପାହାଡସିଂ।
ସଂପ୍ରତି ପରିବେଶ ପ୍ରଦୁଷିତ ହେବା ସହ ଲୋକେ ଭଲ ଓକ୍ସିଜେନ(ଅମ୍ଲଜାନ) ଟିକକ୍ ସହ ଭଲ ଔଷଧୀୟ ଗୁଳ୍ମ ପାଇ ପାରୁନାହାନ୍ତି। ସହରର ଅତି ନିକଟରେ ଏହା ରହିଥିବା ବେଳେ ଏହି ପାର୍କରେ ଲୋକେ ପିକନିକ୍ କିମ୍ବା ଭୋଜିଭାତ କରି ସବୁଜ ପରିବେଶରେ ଦିନ ଅତିବାହିତ କରି ପାରିବେ। ଏହା ପରିସରରେ ଭୋଜିଭାତ କରିବା ପାଇଁ ରୁମ ବି ରହିଥିବା ବେଳେ ପାଣି ସୁବିଧା ବି କରାଯାଇଛି। ଯେଉଁ ମହତ ଉଦେଶ୍ୟ ନେଇ ଏହା ଆରମ୍ଭ କରାଯାଇଛି ତାହା ସଫଳ ହେବା ସହ ସହରବାସୀଙ୍କ କାମରେ ଲାଗି ପାରିଲେ ଲକ୍ଷ୍ୟ ସାଧିତ ହେବ।
ଜାପାନ ପଦ୍ଧତିରେ ୧ଫୁଟ ଓସାରରେ ଏକଫୁଟ ଲମ୍ବରେ ଗଛ ଲଗାଯାଇଥିବାରୁ ବନଟି ପୁରା ଘଂଛ ହୋଇ ରହିଛି। ଶୀଘ୍ର ଶୀଘ୍ର ବୃଦ୍ଧି ପାଇବାରେ ଲାଗିଛି ବୋଲି କହିଛନ୍ତି ବନାଂଚଳ ଅଧିକାରୀ। ଗତ ୫ବର୍ଷ ମଧ୍ୟରେ ଘଂଚ ଜଙ୍ଗଲ ସୃଷ୍ଟି ହୋଇଥିବାରୁ ଅନ୍ୟସ୍ଥାନରେ ବି ଏଭଳି କମ୍ ସ୍ଥାନ ମଧ୍ୟରେ ବଡ଼ ଜଙ୍ଗଲ ସୃଷ୍ଟି କରିବା ଆଗାମୀ ଦିନରେ ଲକ୍ଷ୍ୟ ରହିଛି ବୋଲି କହିଛନ୍ତି ବନାଂଚଳ ଅଧିକାରୀ।