ଜୟପୁର: ଧରାପୃଷ୍ଠରେ ନୂତନ ବର୍ଷ ପାଦ ଥାପିଛି। ଏଥିପାଇଁ ଲୋକଙ୍କ ମନରେ ନୂଆ ଆଶା ଓ ଉଦ୍ଦୀପନା ଦେଖାଯାଇଛି। ନୂଆବର୍ଷକୁ ଧୁମଧାମର ସହ ପାଳନ କରିବାକୁ ନାଚଗୀତର ଆୟୋଜନ କରାଯାଇଛି। ଘଣ୍ଟା କଣ୍ଟାର ଗତି ଯେତେ ଆଗକୁ ବଢ଼ୁଛି, ହୃଦ୍‌ସ୍ପନ୍ଦନ ସେତେ ତୀବ୍ର ହେଉଛି। ଘରେ ଆଉ ମନ ଲାଗୁନି। ପ୍ରକୃତି କୋଳରେ ବନ୍ଧୁମାନଙ୍କ ସାଙ୍ଗେ ବଣଭୋଜିରେ ମାତିଛି ତ ଆଉ କିଏ ପରିବାର ସହ ପର୍ଯ୍ୟଟନସ୍ଥଳୀ ବୁଲୁଛି। ପୁରୁଣା ବର୍ଷର ଶେଷ ମୁହୂର୍ତଗୁଡ଼ିକୁ ସ୍ମରଣୀୟ କରିବା ପାଇଁ ମସଗୁଲ ହୋଇଛି ସାରା ସହର। ପୁଣି ଅନେକ ନୂଆବର୍ଷକୁ ଟିକେ ନିଆରା ଢଙ୍ଗରେ ସ୍ୱାଗତ କରିବା ଓ 'ଜିରୋ ନାଇଟ୍‌'ରେ ମଜ୍ଜିଯିବାକୁ ଚାହିଁ ବସିଛନ୍ତି। ଶୁଭେଚ୍ଛା ବାର୍ତ୍ତା ଓ ନିଆରା ଉପହାର ଦେଇ ମଧ୍ୟ ବନ୍ଧୁତ୍ବର ସ୍ମୃତିକୁ ଅନେକ ତାଜା ରଖୁଛନ୍ତି। ସୋସିଆଲ୍‌ ମିଡିଆରେ ଶୁଭେଚ୍ଛା ବାର୍ତ୍ତା ଦିଆନିଆ ଜୋର ଧରିଛି।

Advertisment

ରାଜନୈତିକ ନେତାଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କ କାର୍ଯ୍ୟାଳୟ ଗୁଡିକରେ ଆଜି ବି ଭୀଡ଼ ଦେଖିବାକୁ ମିଳିଥିଲା। ଗତକାଲି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଜନ୍ମ ଦିନ ରହିଥିଲା। ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମ‌ୋହନ ସିଂଙ୍କ ବିୟୋଗରେ ସେ ନିଜ ଜନ୍ମଦିନ ପାଳନ କରି ନଥିଲେ। ଆଜି ଜୟପୁର ବ୍ଲକର ଉପାଧ୍ୟକ୍ଷ ଗଣେଶ ପାଢ଼ୀଙ୍କ ସହ ବିଭିନ୍ନ ପଂଚାୟତର ସରପଂଚ, ସମିତିସଭ୍ୟମାନେ କୋରାପୁଟସ୍ଥିତ ତାଙ୍କ ଘରକୁ ଯାଇ ଜନ୍ମଦିନ ଶୁଭେଚ୍ଛା ଞାପନ କରିବା ସହ ନୂଆ ବର୍ଷର ଅଭିନନ୍ଦନ ଜଣାଇଥିଲେ। ନୂଆ ବର୍ଷରେ ଜୟପୁର ବ୍ଲକର ସର୍ବାଙ୍ଗୀନ ବିକାଶ ଦିଗରେ ସେ ସମ୍ପୂର୍ଣ୍ଣ ସମର୍ପିତ ବୋଲି ବିଧାୟକ କହିଥିଲେ।

ନୂଆବର୍ଷରେ ପ୍ରଭୁଙ୍କ ଦର୍ଶନ ସହ ନୂଆ ସକାଳୁ ନୂଆ ସଂକଳ୍ପ ନେଇ ଦିନ ଆରମ୍ଭ କରିବାକୁ ଅନେକେ ନୂଆ ନୂଆ ଯୋଜନା କରିଛନ୍ତି। ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରୁ ନେଇ ଚର୍ଚ୍ଚ ସବୁଠି ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି। ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି। ଏଥିସହ ସାହି ଗଳିକନ୍ଦିରେ ଥିବା ପ୍ରମୁଖ ମନ୍ଦିରଗୁଡ଼ିକୁ ଆଲୋକମାଳାରେ ସଜାଯାଇଛି।

ଆଜି ବି ବିଭିନ୍ନ ଅଂଚଳର ଲୋକେ ଶାବରଶ୍ରୀକ୍ଷେତ୍ରକୁ ଆସି ଚାରି ଠାକୁରଙ୍କ ଦର୍ଶନ କରିଥିଲେ।  କିଛି ସାହି, କଲୋନୀ ମାନଙ୍କରେ ମଧ୍ୟ ସ୍ବତନ୍ତ୍ର ଭୋଜିର ଆୟୋଜନ ସହ ପ୍ରତିଯୋଗିତା ଓ ନାଚଗୀତର ଆସର ପାଇଁ ପ୍ରସ୍ତୁତି ହୋଇସାରିଛି। କ୍ୟାମ୍ପପାଇର୍ କରି ଡିଜେ ସହ ନାଚ ଗୀତ ବି ଆୟୋଜନ କରାଯାଇଛି। କିଛି ନୃତ୍ୟ ଅନୁଷ୍ଠାନ, ହୋଟେଲ  ଆଲିସାନ ସହ ଅନ୍ୟ କିଛି ହୋଟେଲରେ ଜିରୋନାଇଟ୍ ପାଇଁ ସ୍ବତନ୍ତ୍ର ଆୟୋଜନ କରାଯାଇଛି।

ଆଜି  କେନ୍ଦାର, ପଣ୍ଡିଘାଟ, କେଚଳା, ଲଙ୍କାପୁଟ, ମାଳିଗୁଡା, କୋଲାବ, ମୁରାନ, ଚମ୍ପାପଦର  ଆଦି  ସବୁଠି ଭୋଜିଭାତର ଭିଡ଼ ଦେଖିବାକୁ ମିଳିଥିଲା। ପୁଲିସ ପକ୍ଷରୁ ରାତ୍ର ତମାମ ପେଟ୍ରୋଲିଂର ବ୍ୟବସ୍ଥା କରାଯିବା ସହ ବିଭିନ୍ନ ଛକରେ ପୁଲିସ ମୁତୟନ କରାଯିବ ବୋଲି  କହିଛନ୍ତି ଟାଉନଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର।