୧୮ରୁ ୪୪ବର୍ଷ ବର୍ଗର ଟୀକା ଜୟପୁରବାସୀ ପାଇବେ କେବେ ?

ଜୟପୁର : ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ୧୮ରୁ ୪୪ବର୍ଷ ବର୍ଗର ଟୀକା ଦାନ  କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ତେବେ ଜିଲ୍ଲାର କୋରାପୁଟ,ସେମିଳିଗୁଡା ଓ ସୁନାବେଡ଼ାରେ ଟୀକାଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଜୟପୁରରେ ଆରମ୍ଭ ହୋଇ ପାରିନି। ଏହାକୁ ନେଇ ଏବେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇବା ସହ ତୁରନ୍ତ ଜୟପୁର ସହରରେ ଟୀକା ଦେବା ପାଇଁ ଦାବି ହୋଇଛି। ଏକ୍ସକ୍ଲୁସିଭ୍ ଗ୍ରୃପ, ବିଜେପି ନଗର , ବରିଷ୍ଠବୁଦ୍ଧିଜୀବୀ ମଂଚ, ବରିଷ୍ଠ ନାଗରିକ ମଂଚ, ସିଟିଜେନ୍ କମିଟି ସହ ବିଭିନ୍ନ ଯୁବ ସଂଗଠନ ପକ୍ଷରୁ ବି ଦାବି ହୋଇଛି।

ଜିଲ୍ଲାର ସର୍ବାଧିକ ସଂକ୍ରମିତ ଜୟପୁର ପୌରାଂଚଳରେ । ଦିନକୁ ଦୁଇ ଅଙ୍କ କମିବା ନାଁ ନେଉନି। ଜୟପୁର ସହର ଓ ପୌରାଂଚଳର ବହୁ‌ ଲୋକେ କୋୱିନ୍ ଫୋର୍ଟାଲରେ ପଂଜିକୃତ କରି ସ୍ଲଟ୍ କେବେ ଖୋଲିବ ବୋଲି ସବୁ ଦିନ ଯାଂଚ କରିବାରେ ଲାଗିଛନ୍ତି। ଜୟପୁର ସହରରେ ୧୨ଶହରୁ ଉର୍ଦ୍ଧ୍ବ ସଂକ୍ରମିତ ହୋଇଛନ୍ତି। ଏବେ ବି ୪୦୦ ଉପରେ ସଂକ୍ରମିତ ରହିଛନ୍ତି। ଏହା ବାଦେ ବି ଜୟପୁରରେ ଟୀକାଦାନ ହୋଇ ନ ପାରିବା ପଛରେ କାରଣ କଣ ବୋଲି ଏବେ ସାଧାରଣରେ ପ୍ରଶ୍ନ ଉଙ୍କି ମାରିଛି। ତୁରନ୍ତ ୧୮ରୁ ୪୪ବର୍ଷ ବର୍ଗର ଟୀକାଦାନ ଏବଂ ଆଣ୍ଟିଜେନ୍ ପରୀକ୍ଷା ଜିଲ୍ଲା ମୁଖ୍ୟଚିକିତ୍ସାଳୟ ସହ ସହରର ବିଭିନ୍ନ ସ୍ଥାନରେ କରାଯାଉ ବୋଲି ବିଜେପି ନଗର ପକ୍ଷରୁ ଦାବି କରାଯାଇଛି। ଉପଜିଲ୍ଲାପାଳଙ୍କୁ ସ୍ମାରକପତ୍ର ବି ପ୍ରଦାନ କରାଯାଇଛି। ବିଭିନ୍ନ ସାମାଜିକ ଗଣମାଧ୍ୟମରେ ବି ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

 

ସମ୍ବନ୍ଧିତ ଖବର