କାମ ଛୋଟ କି ବଡ଼ ନୁହେଁ : କୋରିୟର ବୟ ରାଜୁ ଏବେ ପାଲଟିଛନ୍ତି ୨୬ ପରିବାରକୁ ଆହାର ଯୋଗାଉଥିବା ରାଜୁ ସାର୍

ଜୟପୁର: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଭାଷାରେ କୌଣସି କାମ ଛୋଟ କିମ୍ବା ବଡ ନୁହେଁ ।  କାମକୁ ଭଲ ପାଇ ଦୃଢ଼ ଇଛା ଶକ୍ତି, ମନୋବଳ, ଲକ୍ଷ୍ୟ ଏବଂ ଧୈଯ୍ୟ ଧରି କରିଲେ ସମସ୍ତ କାମରେ ନିଶ୍ଚିତ ରୂପେ ଯେ ସଫଳତା ମିଳିପାରିବ ସେଥିରେ କୌଣସି ସନ୍ଦେହର ଅବକାଶ ନାହିଁ ।  ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ଜୟପୁର ସହରର ୪୬ ବର୍ଷୀୟ ସିଦ୍ଧାର୍ଥ ଲିମା ଓରଫ ରାଜୁ । କଲେଜ ପଢ଼ୁଆ ରାଜୁ ବିନା ଦ୍ଵିଧାରେ ଜଣେ କୋରିୟର ବୟ ଭାବେ ନିଜ କାମ ଆରମ୍ଭ କରିଥିଲେ। ଆଜି ସେ ଜଣେ ସଫଳ କୋରିୟର ଏବଂ ଇ-କମର୍ସ ଆଦିରେ ଆସୁଥିବା ସାମଗ୍ରୀ ଯୋଗାଇବା  ସଂସ୍ଥାର ଜୟପୁର ଶାଖାର ମାଲିକ।  ଏବେ ନିଜ ସଂସ୍ଥା ମାଧ୍ୟମରେ ୨୬ଜଣ ବେକାର ଶିକ୍ଷିତ ଯୁବକଙ୍କୁ କର୍ମସଂସ୍ଥାନ ଯୋଗାଇବା ସହ ସେମାନଙ୍କ ପରିବାରକୁ ପ୍ରତିପୋଷଣ କରିବାରେ   ପ୍ରମୁଖ ପୁରୋଧା।

୧୯୯୧-୯୨ ମସିହାରେ କେସିସି ବ୍ୟାଙ୍କରେ କାମ କରୁଥିବା ବାପା ଚାକିରିରୁ ଅବସର ନେଇଥିଲେ। ସେ ସମୟରେ ରାଜୁ ଯୁକ୍ତ ୨ ବାଣିଜ୍ୟରେ ସ୍ଥାନୀୟ ବିକ୍ରମ ଦେବ ସ୍ବୟଂଶାସିତ ମହାବିଦ୍ୟାଳୟରେ ଆଡମିସନ୍ କରିଥିଲେ। ବାପାଙ୍କ ସ୍ବଳ୍ପ ପେନସେନ୍ , ଅଧିକା ପରିବାରର ସଦସ୍ୟଙ୍କ ଯୋଗୁଁ ଘରର ଆର୍ଥିକସ୍ଥିତି ବହୁତ ଖରାଫ ଥିଲା। ଏସବୁ ଦେଖିକି ରାଜୁ ଏକ କୋରିୟର୍‌ ସଂସ୍ଥାରେ କୋରିୟର ବୟ ଭାବେ କାମରେ ଯୋଗ ଦେଇଥିଲେ। ଦରମା ବାବଦକୁ ୨୩୦ଟଙ୍କା ପାଉଥିଲେ। ଏହି ଟଙ୍କାରେ ହିଁ ସେ ପାଠ ପଢ଼ିବା, ପରୀକ୍ଷା ଫିଜ୍, ବହି ଖାତା କିଣିଥିଲେ। ଏଭଳି ଭ‌ାବେ ସେ  ଯୁକ୍ତ ୩ ବାଣିଜ୍ୟ ପଢ଼ିଥିଲେ। ଏହି ସମୟରେ ସେ ସାଇକେଲରେ ୮ କିଲୋ ମିଟର ଚଳାଇ ପେପରମିଲ୍, ବାଲଟିଆ ଭଳି  କଂପାନିକୁ ଯାଇ ଚିଠି  ନେବା ଆଣିବା ସହ ସହରରେ ବି ବୁଲି ବୁଲି ଚିଠି ବି ବିତରଣ କରୁଥିଲେ। ସେ କାମ କରୁଥିବା କୋରିୟର ସଂସ୍ଥାର ମାଲିକ ଜଣକ ଅଚାନକ ଭାବେ ଏହି ସମୟରେ ନିଜ ଗାଁ ବାଲେଶ୍ବରକୁ ପଳାଇ ଯାଇଥିଲେ। ବାପାଙ୍କୁ ମିଳିଥିବା ଅବସରକାଳୀନ  ୨୫ହଜାର ଟଙ୍କା ଏବଂ ହାତଉଧାର କରି ଏହି କୋରିୟର ସଂସ୍ଥାକୁ ସେ ନିଜେ ସମ୍ଭାଳିଥିଲେ। ଏଭଳିକି ସମୟରେ ‌କୋରିୟରର ଗୁରୁତ୍ବ ସେତେଟା ନଥିଲା। ସବୁ ଡାକରେ ହିଁ ଚିଠି ଦିଆନିଆ ହେଉଥିଲା।  ୧୯୯୨ମସିହାରେ ସ୍ବଳ୍ପ ସମୟ ପାଇଁ ଆସିଥିବା ବିଜେପି ନେତୃତ୍ବାଧୀନ ଏନିଡିଏ ସରକାର ଚିଠିରେ ମରାଯାଉଥିବା ଷ୍ଟାମ୍ପ ବ୍ୟବସ୍ଥାକୁ ଉଛେଦ କରିଥିଲେ। ଏହା ରାଜୁଙ୍କ ପାଇଁ ପ୍ରଥମ ଆଶୀର୍ବାଦ ପାଲଟିଥିଲା। ଧିରେଧିରେ ସରକାରୀ, ବେସରକାରୀ ଅନୁଷ୍ଠାନର ଚିଠିଗୁଡିକ କୋରିୟର ମାଧ୍ୟମରେ ଦିଆନିଆ ଆରମ୍ଭ ହୋଇଥିଲା। ତେବେ ୨୦୦୫-୦୬ ବେଳେ ପୁଣି ମୋବାଇଲ୍ ଫୋନ ଆସିବା ପରେ ଏସଏମଏସ୍ ଏବଂ ନେଟ୍ , ମେଲ୍ ଆଦି ଆରମ୍ଭ ହେବା ପରେ କିଛି ଦିନ ବ୍ୟବସାୟ ମାନ୍ଧା ପଡ଼ିଥିଲା। ଏହି ସମୟରେ ବହୁ କୋରିୟର ସଂସ୍ଥା ବନ୍ଦ ହେବା ସହ ଜୟପୁରରେ ବି କୋରିୟର ଚଳାଉଥିବା ଅନ୍ୟ ମାନେ ବି କୋରିୟର ବ୍ୟବସାୟ ବନ୍ଦ କରି ଦେଇଥିଲେ। ତେବେ ରାଜୁ ହାର ନ ମାନି ଏହି ବ୍ୟବସାୟ କରିବା ସହ ଯୁଗକୁ ତାଳ ଦେଇ ବ୍ୟବସାୟ କରିଥିଲେ। ଧିରେ ଧିରେ ଲୋକେ କୋରିୟରରେ ଜିନିଷ ପଠାଇବା ଏବଂ ମଗାଇବା କରୁଥିଲେ।

ତେବେ ଇ-କମର୍ସ ବ୍ୟବସାୟ ଆରମ୍ଭ ହେବା ସହ ବିଭିନ୍ନ ଅନଲାଇନ୍ କଂପାନିଗୁଡିକ ସାମଗ୍ରୀଗୁଡିକର ବିକ୍ରି ଆରମ୍ଭ କରିବା ପରେ ପୁଣି ଥରେ କୋରିୟରର ବ୍ୟବସାୟ ଜୋର ଧରିଛି ବୋଲି କହିଛନ୍ତି ରାଜୁ। ଏବେ ତାଙ୍କ କୋରିୟର ମାଧ୍ୟମରେ ଜୟପୁର ସହରକୁ ବିଭିନ୍ନ ଅନଲାଇନ୍ କଂପାନିରେ ଆସୁଥିବା ସାମଗ୍ରୀଗୁଡିକ ଆସୁଛି। ଏବଂ ଏ ସବୁକୁ ଡେଲିଭେରି ଦେବା ପାଇଁ ୩ ଜଣ ପରିଚାଳକଙ୍କ ସହ ୨୩ ଜଣ ଡେଲିଭରି ଏଜେଣ୍ଟବି ସେ ରଖିଛନ୍ତି। ୨୩୦ଟଙ୍କାରେ ନିଜ ଜୀବନ ଆରମ୍ଭ କରିଥିବା ରାଜୁ ଏବେ ପ୍ରତିବର୍ଷ ୨୫ଲକ୍ଷ ବ୍ୟବସାୟ କରୁଛନ୍ତି। ରାଜୁ କରୁଥିବା କାମକୁ କେବେ ବି ଛୋ‌ଟ ଭାବି ନ ଥିଲେ। ସେହି କାମକୁ ଭଲପାଇ , ଲକ୍ଷ୍ୟ ରଖି ଦୃଢ଼ ଇଛା ଶକ୍ତି ବଳରେ ସଫଳତା ପାଇଛନ୍ତି।  ଆଜି ୨୬ଜଣଙ୍କୁ କର୍ମସଂସ୍ଥାନ ଯୋଗାଇଥିବାରୁ ବହୁତ ଖୁସି ବୋଲି କହିଛନ୍ତି।  ସ୍ବଳ୍ପ  ଦରମାରେ କୋରିୟର ବୟ ଭାବେ କାମ ଆରମ୍ଭ କରିଥିବା ରାଜୁ ପ୍ରତିକୁଳ ପରିସ୍ଥିତିରେ ହାର ନ ମାନି ସେହି କୋରିୟରକୁ ହିଁ  ନିଜ ପେସା ଭାବେ ବାଛି ନେବାରୁ ସଫଳତାର ସ୍ବାଦ ଚାଖିବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ମଧ୍ୟ ପାଲଟି ପାରିଛନ୍ତି।

ସମ୍ବନ୍ଧିତ ଖବର