ନାମାଙ୍କନ ପତ୍ର ଯାଞ୍ଚ ଶେଷ

କୋରାପୁଟ ଲୋକସଭା ପାଇଁ ୭ ପ୍ରାର୍ଥୀ କୋରାପୁଟ ବିଧାନସଭାରେ ୧୦, ଲକ୍ଷ୍ମୀପୁରରେ ୫ ଓ ପଟାଙ୍ଗୀରେ ୬ ପ୍ରାର୍ଥୀ

କୋରାପୁଟ: ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଯାଂଚ ଶେଷ ହୋଇଛି। ଏହାପରେ ଚିତ୍ର ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି। କୋରାପୁଟ ଲୋକସଭା ପାଇଁ ୭ ଜଣ ପ୍ରାର୍ଥୀ ରହିଥିଲା ବେଳେ କୋରାପୁଟ ବିଧାନସଭା ପାଇଁ ୧୦ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି। ଲକ୍ଷ୍ମୀପୁର ଆସନରେ ୫ ଓ ପଟାଙ୍ଗୀ ଆସନରେ ୬ଜଣ ପ୍ରାର୍ଥୀ ଅଛନ୍ତି। ଆସନ୍ତା ୨୮ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ।
କୋରାପୁଟ ଲୋକସଭା ଆସନ ପାଇଁ ଏଥର ୭ଜଣ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଥିଲା ବେଳେ ସମସ୍ତଙ୍କ ନାମାଙ୍କନ ପତ୍ର ବୈଧ ରହିଛି। କୌଣସି ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଖାରଜ ହୋଇ ନ ଥିବାରୁ ଏହି ୭ଜଣଙ୍କ ଭିତରେ ଲଢ଼େଇ ହେବ ବୋଲି ଅନୁମାନ କରାଯାଉଛି। ପ୍ରମୁଖ ଦଳ ଗୁଡ଼କ ମଧ୍ୟରେ ବିଜେଡିରୁ କୌଶଲ୍ୟା ହିକକା, କଂଗ୍ରେସରୁ ସପ୍ତଗିରି ଉଲ୍ଲାକା ଓ ବିଜେପିରୁ ଜୟରାମ ପାଙ୍ଗୀ ରହିଛନ୍ତି। ସେହିପରି ସିପିଆଇ ଏମଏଲରୁ ଦାମ‌ୋଦର ଶବର, ସିପିଆଇ ଏମଏଲ ରେଡଷ୍ଟାରରୁ ରାଜେନ୍ଦ୍ର କେଣ୍ଡ୍ରୁକା, ଏପିଆଇରୁ ବନମାଳୀ ମାଝୀ ଓ ବିଏସପିରୁ ଭାସ୍କର ମୁଟୁକା ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କେହି ସ୍ବାଧୀନ ପ୍ରାର୍ଥୀ ନାହାନ୍ତି।
ଲକ୍ଷ୍ମୀପୁର ବିଧାନସଭା ଆସନ ପାଇଁ ଏଥର ୬ଜଣ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଥିଲା ବେଳେ ଜଣଙ୍କର ନାମାଙ୍କନ ପତ୍ର ନାକଚ ହୋଇ ଯାଇଛି। ଏପିଆଇରୁ ପ୍ରାର୍ଥୀ ହୋଇଥିବା ବଙ୍ଗାରୁ ମାଝୀଙ୍କ ନାମାଙ୍କନ ଆଜି ଯାଂଚ ସମୟରେ କଟି ଯାଇଥିଲା। ଫଳରେ ଏବେ ମଇଦାନରେ ଆଉ ୫ ଜଣ ପ୍ରାର୍ଥୀ ରହିଛନ୍ତି। ସେମାନେ ହେଲେ ବିଜେଡିରୁ ପ୍ରଭୁ ଜାନୀ, କଂଗ୍ରେସରୁ କୈଳାସ କୁଲେସିକା, ବିଜେପିରୁ କୁମୁଦ ସାଉଁତା, ବିଏସିପରୁ ଅନୀତା ସଗରିଆ ଓ ସିପିଆଇ ଏମଏଲ ରେଡଷ୍ଟାରରୁ ପୂର୍ଣ୍ଣ ମାଣ୍ଡିଙ୍ଗି। କୋରାପୁଟ ବିଧାନସଭା ଆସନ ପାଇଁ ୧୨ଜଣ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଥିଲେ। ହେଲେ ଆଜି ଯାଂଚ ସମୟରେ ଦୁଇଜଣଙ୍କ ନାମାଙ୍କନ ନାକଚ ହୋଇ ଯାଇଛି। ସେମାନେ ହେଲେ ସ୍ବାଧୀନ ପ୍ରାର୍ଥୀ ଗୁରୁ ଖରା ଓ ଏପିଆଇର ରେଖିତ କୁଲଦୀପ। ଫଳରେ ଏବେ ୧୦ଜଣ ପ୍ରାର୍ଥୀଙ୍କ ଭିତରେ ଲଢ଼େଇ ହେବ। ବି‌ଜେଡିରୁ ରଘୁରାମ ପଡାଲ, ବିଜେପିରୁ ତ୍ରିପୁରାରି ଗରଡା, କଂଗ୍ରେସରୁ କୃଷ୍ଣଚନ୍ଦ୍ର କୁଲଦୀପ, ବିଏସପିରୁ ଭାଗିରଥୀ ପାଟନିଆ, ଏସୟୁସିଆଇରୁ ରାମ ବାରିକ, ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକରୁ ଧନୁର୍ଜୟ ହନ୍ତାଳ ପ୍ରାର୍ଥୀ ହୋଇଛନ୍ତି। ସେହିପରି ସ୍ବାଧୀନ ପ୍ରାର୍ଥୀ ଭାବେ ଖଗପତି ଖୋସଲା, ବିପଦ ଭଂଜନ ଦାଶ, ପୂର୍ଣ୍ଣଚନ୍ଦ୍ର ପାଙ୍ଗୀ ଓ ନବ କିଶୋର ବାଘ ରହିଛନ୍ତି। ପଟାଙ୍ଗୀ ଆସନରେ ସର୍ବାଧିକ ୧୪ସେଟ ନାମାଙ୍କନ ଦାଖଲ ହୋଇଥିଲା ବେଳେ ଯାଂଚ ପରେ ଆଉ ୬ଜଣ ପ୍ରାର୍ଥୀ ଲଢ଼େଇରେ ରହିଛନ୍ତି। ଏଠାରୁ କଂଗ୍ରେସର ରାମଚନ୍ଦ୍ର କାଡାମ, ବିଜେଡିରୁ ପ୍ରୀତମ ପାଢୀ, ବିଜେପିରୁ ରାମଚନ୍ଦ୍ର ପାଙ୍ଗୀ, ବିଏସପିରୁ ମୁରଲୀଧର ଗୁଣ୍ଠା ପ୍ରାର୍ଥୀ ହୋଇଛନ୍ତି। ସେହିପରି ସ୍ବାଧୀନ ଭାବେ ଦୁଇ ବିଦ୍ରୋହୀ ନେତା ଚୈତନ୍ୟ ନନ୍ଦିବାଲି ଓ କୃଷ୍ଣଚନ୍ଦ୍ର ଜାନୀ ଲଢ଼େଇରେ ଅଛନ୍ତି।

ସମ୍ବନ୍ଧିତ ଖବର