ଜୟପୁର: ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଥିବାରୁ କୋଲାବ ଡ୍ୟାମ୍ର ଜଳସ୍ତର ବଢୁଛି। ଫଳରେ ରବିବାର ଅପରାହ୍ନରେ ଡ୍ୟାମ୍ର ଗୋଟିଏ ଗେଟ୍ ଖୋଲା ଯାଇଛି। ଡ୍ୟାମ୍ର ତଳିଆ ଅଞ୍ଚଳରେ ସତର୍କ ସୂଚନା ଜାରି କରାଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ଡ୍ୟାମ୍କୁ ସେକେଣ୍ଡ ପ୍ରତି ୩୬୫ କ୍ୟୁବିକ ମିଟର ଜଳ ପ୍ରବେଶ କରୁଥିବା ବେଳେ ୪୦୦ କ୍ୟୁବିକ ମିଟର ଜଳ ନିଷ୍କାସନ କରାଯାଉଛି ବୋଲି ଉପର କୋଲାବର ମୁଖ୍ୟ ଇଞ୍ଜିନିୟର ସୂଚନା ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସେହିପରି ଇନ୍ଦ୍ରାବତୀ ଡ୍ୟାମ୍ର ଜଳସ୍ତର ବୃଦ୍ଧି ପାଇ ୬୪୦.୧୨ମିଟରରେ ପହଞ୍ଚିଛି। ଜଳସ୍ତର ବୃଦ୍ଧି ପାଇବା ପରେ ଡ୍ୟାମ୍ର ସୁରକ୍ଷା ତଥା ଆଗକୁ ଅଧିକ ବର୍ଷା ହେବା ସମ୍ଭାବନାକୁ ଦୃଷ୍ଟିରେ ରଖି ଆଜି ଇନ୍ଦ୍ରାବତୀ ଓ ମୁରାନ ଡ୍ୟାମ୍ର ୫ଟି ଗେଟ୍ ଖୋଲାଯାଇଥିବା ତହସିଲଦାର ଦେବେନ୍ଦ୍ର ସିଂ ଧାରୁଆ ସୂଚନା ଦେଇଛନ୍ତି। ଆଜି ରାତି ୭ଟାରେ ଇନ୍ଦ୍ରାବତୀ ଡ୍ୟାମ୍ର ୭ଟି ଗେଟ୍ ମଧ୍ୟରୁ ୨,୩ ଓ ୪ନମ୍ବର ଏବଂ ମୁରାନ ଡ୍ୟାମ୍ର ୫ଟି ଗେଟ୍ ମଧ୍ୟରୁ ୨ ଓ ୩ନମ୍ବର ଗେଟ୍ ଖୋଲାଯାଇଛି। ଜଳଭଣ୍ଡାର ମଧ୍ୟକୁ ସେକେଣ୍ଡ ପ୍ରତି ୧ହଜାର ଘନମିଟର ଜଳ ପ୍ରବେଶ କରୁଥିବା ବେଳେ ୫ଟି ଗେଟ୍ ଦେଇ ସେକେଣ୍ଡ ପ୍ରତି ୮ଶହ ଘନମିଟର ଜଳ ନିଷ୍କାସିତ ହେଉଛି। ଅନ୍ୟପଟେ ଉଭୟ ଡ୍ୟାମ୍ର ୫ଟି ଗେଟ୍ ଖୋଲାଯିବା ପରେ ନନ୍ଦାହାଣ୍ଡି, ନବରଙ୍ଗପୁର, କୋଷାଗୁମୁଡା, ବୋରିଗୁମ୍ମା ଓ କୋଟପାଡ ବ୍ଲକର ୨୪ଟି ଗ୍ରାମ ଜଳବନ୍ଦୀ ହେବା ନେଇ ଆଶଙ୍କା ଦେଖାଦେଇଛି।