ଜୟପୁର: ଗତ ୨୪ତାରିଖ ରାତି ସାଢ଼େ ୧୧ଟା ବେଳେ  ଜୟପୁର ସଦରଥାନା ଅର୍ନ୍ତଗତ ଉମୁରୀରେ ପୁଟିଥିଲା ଗୁଳି। ଦୁଇ ଗ୍ୟାଙ୍ଗଷ୍ଟାର ମଧ୍ୟରେ ପତିଆରା ଲ‌ଢ଼େଇକୁ ନେଇ  ହୋଇଥିଲା ପାଙ୍କା ଗୁଳି ଚାଳନା। ଜୟପୁର ସଦରଥାନା ପୁଲିସ ଘଟଣାସ୍ଥଳରୁ ୨ରାଉଣ୍ଡ ଖୋକା ଜବତ କରିଥିଲେ। ଗତ ୨୪ତାରିଖ ଦିନ ଏହି ମାମଲାରେ ସଦରଥାନା ପୁଲିସ ଜଣେ ଅଭିଯୁକ୍ତ ସଂଜୀବ ଖୋସ୍ଲା(୨୨)କୁ ଗିରଫ କରି କୋର୍ଟକୁ ଚାଲାଣ କରିଥିବା ବେଳେ ଗତ କାଲି ରାତିରେ ଆଉ ଜଣେ ଅଭିଯୁକ୍ତ ବାଦଲ ବାଘଙ୍କୁ ଗିରଫ କରିଥିବା କହିଛନ୍ତି ସଦରଥାନା ଅଧିକାରୀ ଇଶ୍ବର ତାଣ୍ଡି। ମୁଖ୍ୟଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ଏବେ ବିଭିନ୍ନ ପଇଁତରା ଅପଣାଇବା ସହ ଚଢ଼ାଉ ଜାରୀ ରଖିଛି।

Advertisment

ସୂଚନା ଅନୁଯାୟୀ, ଗତ ୨୪ତାରିଖ ଦିନ ରାତି ସାଢ଼େ ୧୧ଟା ବେଳେ ଉମୁରୀରେ ରହୁଥିବା ଗୋଟିଏ ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତ ରଂଜିତ ବାଘ, ଗୌତମ ବାଘ, କାର୍ତ୍ତିକ ବାଘ ଓରଫ ପାମ୍ପୁଡୁଙ୍କ ସହ ସଦସ୍ୟ ମାନେ ଅନ୍ୟ ଗ୍ୟାଙ୍ଗର ସଂଜୟ ସୁନା ଓ ସୁରେନ୍ଦ୍ର ନାୟକ ଓରଫ ସିଂହଲ ଆଦି ବିରୋଧୀ ଗ୍ୟାଙ୍ଗ ଉପରେ ରହିଥିବା  ପୂର୍ବ ଶତ୍ରୁତାର ପ୍ରତିଶୋଧ ନେବା ପାଇଁ ଉମୁରୀ ବସଷ୍ଟାଣ୍ଡ ନିକଟରେ ପହଚିଂଥିଲେ। ଏବଂ ସେଠାରେ ଏହି ଗ୍ୟାଙ୍ଗ ପାଙ୍କା ଗୁଳି ଚାଳନା କରିଥିଲେ। ଏହା ପରେ ଅଭିଯୋଗକାରୀ ସୁରେନ୍ଦ୍ରଙ୍କ ଘରେ ପଶି ଅନ୍ୟ ଗ୍ୟାଙ୍ଗର ମୁଖିଆ ସୁରେନ୍ଦ୍ରଙ୍କୁ ଖୋଜିଥିଲେ। ବନ୍ଧୁକ ଓମାରଣାସ୍ତ୍ର ଦେଖାଇ ଭୟଭୀତ କରିଥି‌ବା ପୁଲିସ ନିକଟରେ ଅଭିଯୋଗ ହୋଇଥିଲା।

ସୂଚନା ପାଇ ଜୟପୁର ସଦରଥାନା ଅଧିକାରୀ ସଦଳବଳ ଘଟଣାସ୍ଥଳକୁ ଯାଇଥିଲେ। ତେବେ ଅଭିଯୁକ୍ତ  ଗ୍ୟାଙ୍ଗର ସଦସ୍ୟ ମାନେ ଗାଡ଼ି ଗୁଡିକରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଘଟଣାସ୍ଥଳରୁ ପୁଲିସକୁ ଦୁଇଟି  ପୁଟି ଯାଇଥିବା ଖୋକା ମିଳିଥିଲା। ସଦରଥାନା ପୁଲିସ ମିଶନ ଉମୁରୀ ଅଭିଯାନ ଜାରର ରଖିବା ସହ ୨୬ତାରିଖ ଦିନ ଅଭିଯୁକ୍ତ ସଂଜୀବଙ୍କୁ ଗିରଫ କରି କୋର୍ଟକୁ ଚାଳାଣ କରିଥିଲେ। ପୁଲିସ ଏବେ ଅଭିଯୁକ୍ତ ମାନଙ୍କର ମୋବାଇଲ ଫୋନକୁ ଟ୍ରାକିଂ ଆରମ୍ଭ କରିବା ସହ କିଭଳି ସବୁ ଅଭିଯୁକ୍ତଙ୍କୁ ଧରିବେ ସେ ନେଇ ଯୋଜନା ପ୍ରସ୍ତୁତ କରିଛନ୍ତି। ଅପରପକ୍ଷରେ ସ୍ବତନ୍ତ୍ର ପୁଲିସ ଟିମ୍  ଗଠନ କରି ଅନ୍ତଃଜିଲ୍ଲା ଓ ଆନ୍ତଃରାଜ୍ୟରେ ଚଢ଼ାଉ ଜାରୀ ରଖିଥିବା କହିଛନ୍ତି ସଦରଥାନା ଅଧିକାରୀ। ଅଭିଯୁକ୍ତ ମାନେ ମୋବାଇଲ ବ୍ୟବହାର ନ କରି ବାରମ୍ବାର ସ୍ଥାନ ପରିବର୍ତ୍ତନ କରୁଥିବାରୁ ପୁଲିସ ହାତରୁ ଖସି ଯାଉଛନ୍ତି, ତଥାଫି ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ପ୍ରୟାସରେ ଲାଗିଥିବା କହିଛନ୍ତି ସଦରଥାନା ଅଧିକାରୀ।

ନିର୍ବାଚନ ପୁର୍ବରୁ ଅଶାନ୍ତ ବାତାବରଣ ସୃଷ୍ଟି କରାଯାଉଛି। ଅପରାଧି କାହାରି ନୁହନ୍ତି। ସାମାଜିକ ବ୍ୟବସ୍ଥାରେ ଏଭଳି ଅପରାଧି ମାନେ  ଗୋଟିଏ କଳଙ୍କ। ଏଭଳି ଅପରାଧିଙ୍କୁ ଦୃଢ଼ ଭାବେ ଦମନ କରାଯାଉ ବୋଲି କହିଛନ୍ତି ପୂର୍ବତନ ବିଧାୟକ ରବି ନାରାୟଣ ନନ୍ଦ। ଗଂଜେଇ ବେପାର, ଡରାଇ ଧମକାଇ  ବଟି ଆଦାୟ କରିବା , ମାରଣାସ୍ତ୍ର ଦେଖାଇ ଭୟଭୀତ କରି ଠିକା ନେଇ ଠିକାଦାରି କରିବା , ଟେଣ୍ଡରରେ ଭାଗ ନେଉଥିବା ଅପରାଧିଙ୍କୁ ଚିହ୍ନଟ କରି ପୁଲିସ  ଆଇନଗତ କାର୍ଯ୍ୟାନୁଷ୍ଠାନ ନେଉ ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ। ଏଭଳି ଅପରାଧ କରି ବିପୁଳ ଟଙ୍କା ଜମା କରୁଥିବା ଅପରାଧିଙ୍କୁ ପୁଲିସ ଚିହ୍ନଟ କରି ସେମାନଙ୍କ ସଂପତ୍ତି ବ୍ୟାଜାପ୍ତି କରାଯାଉ ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ।