ଠିକା କର୍ମଚାରୀଙ୍କ ବିଶୃଙ୍ଖଳା, ଜୟପୁର ଓଏସଆରଟିସି ବସ ଡିପୋ ସାମୟିକ ବନ୍ଦ

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସଆରଟିସି)ର ଜୟପୁର ଡିପୋକୁ ଗତ ସେପ୍ଟେମ୍ବର ୩୦ରୁ ସାମୟିକ ସମୟ ପାଇଁ ବନ୍ଦ କରାଯାଇଛି । କିଛି ଦିନ ପରେ ଏହା ପୁଣି କାର୍ଯ୍ୟାରମ୍ଭ କରିବ ବୋଲି ନିଗମ ପକ୍ଷରୁ ସୂଚନା ଦିଆଯାଇଛି ।

ଓଏସଆରଟିସି ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ କରୋନା ସମୟରେ ବ୍ୟବସାୟର ଅଭାବ ଓ କେତେକ ଠିକା କର୍ମଚାରୀଙ୍କ ବିଶୃଙ୍ଖଳା କାରଣରୁ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ସାଧାରଣ ଯାତ୍ରୀମାନଙ୍କର ଯେପରି କୌଣସି ଅସୁବିଧା ନହୁଏ ସେଥିଲାଗି ବିକଳ୍ପ ବ୍ୟବସ୍ଥା କରାଯାଇଛି ।
ଏ ସଂପର୍କରେ ଓଏସଆରଟିସିର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା କହିଛନ୍ତି ଯେ ଜୟପୁର ଡିପୋ ସାମୟିକ ସମୟ ପାଇଁ ବନ୍ଦ ରହିବା ସାଧାରଣ ଯାତ୍ରୀମାନଙ୍କୁ ପ୍ରଭାବିତ କରିବ ନାହିଁ । ଏହି ବନ୍ଦ ସମୟରେ ବସଗୁଡ଼ିକୁ ମାଲକାନଗିରି ଓ ରାୟଗଡ଼ା ଡିପୋରୁ ପରିଚାଳନା କରାଯିବ । ଜୟପୁର ଲୋକଙ୍କ ଅତିରିକ୍ତ ଆବଶ୍ୟକତା ମେଣ୍ଟାଇବାକୁ ଏହି ଦୁଇଟି ଡିପୋ ସକ୍ଷମ ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ କରୋନା ସମୟରେ ଯାତ୍ରୀମାନେ ଆସୁନଥିବାରୁ ବସଚଳାଚଳ ପ୍ରଭାବିତ ହୋଇଛି । ଏହା ଦ୍ୱାରା ଓଏସଆରଟିସି ଆର୍ଥିକ ସଂକଟର ସମ୍ମୁଖୀନ ହେଉଛି । ଏହା ସତ୍ତ୍ୱେ ନିଗମ ପକ୍ଷରୁ ନିଜର ସବୁ ନିୟମିତ, ଠିକା କର୍ମଚାରୀଙ୍କୁ ଆର୍ଥିକ ସହାୟତା କରିଆସୁଛି ।
ତେବେ ଜୟପୁର ଡିପୋରେ ହୋଇଥିବା କେତେକ ଆର୍ଥିକ ଅନିୟମିତତା ଅଭିଯୋଗ ଆସିବା ପରେ ତାହାର ତଦନ୍ତ କରି ତାହା ସତ ବୋଲି ଜଣାପଡ଼ିଛି ।

କରୋନା ସମୟରେ ଶ୍ରମିକମାନଙ୍କୁ ଆଣିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଓଏସଆରଟିସି ବସଗୁଡ଼ିକର ବ୍ୟବହାର କରାଯାଇଥିଲା । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବସର ଡ୍ରାଇଭରମାନଙ୍କୁ ତେଲ ଖର୍ଚ୍ଚ ଦିଆଯାଇଥିଲା । କିନ୍ତୁ ସେମାନେ ଏହି ଅର୍ଥର ବାଟମାରଣା କରିଥିବା ଅଭିଯୋଗ ଆସିବା ପରେ ତାହାର ତଦନ୍ତ କରାଯାଇଥିଲା । ତଦନ୍ତରୁ ତାହା ସତ ବୋଲି ଜଣାପଡ଼ିଛି ।

ଏହି ଅର୍ଥ ଫେରସ୍ତ ପାଇଁ ଦାବି କରାଯିବାରୁ କେତେକ ଠିକା କର୍ମଚାରୀଙ୍କ ଡିପୋରେ ଗଣ୍ଡଗୋଳ କରିଥିଲେ ଓ ଡିପୋ ମ୍ୟାନେଜରଙ୍କୁ ପିଟିଥିଲେ । ଏହାକୁ ନେଇ ପୁଲିସରେ ଏକ ମାମଲା ରୁଜ୍ଜୁ କରାଯାଇଛି । ଏହି ବିଶୃଙ୍ଖଳା ପରେ ଗତ ୩୦ରୁ ଡିପୋକୁ ସାମୟିକ ସମୟ ପାଇଁ ବନ୍ଦ କରିଦିଆଯାଇଛି ।

ସମ୍ବନ୍ଧିତ ଖବର