କୋରାପୁଟ: ଦେହରେ ସେଲୋ ଟେପ୍ ମାରି ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ପାଡୁଆ ପୁଲିସ ଦ୍ବାରା ଜଣେ ଅଭିଯୁକ୍ତ ଧରାପଡ଼ିଛି। ଘଟଣାସ୍ଥଳରୁ ୨୮ କେଜି ଗଞ୍ଜେଇ ଜବତ କରାଯାଇଛି। ଅଭିଯୁକ୍ତ ହେଲା ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲ୍ଲା ମଣ୍ଡଳପଡ଼ା ଗାଁର ବାବର ଅଲି ଖାନଙ୍କ ପୁଅ ଦୁଲହନ୍ ଖାନ୍ (୨୪)। ସୀମାନ୍ତ ଆନ୍ଧ୍ରରୁ ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ବେଳେ ଧରାପଡ଼ିଛି ଅଭିଯୁକ୍ତ।
ଦୁଲହନ୍ ନିଜ ଦେହରେ ସେଲୋ ଟେପ୍ ଦ୍ୱାରା ଗୋଟିଏ ଜରି ବ୍ୟାଗକୁ ଧରି ରଖିଥିଲା। ଏହାଛଡ଼ା ଗୋଟିଏ ଟ୍ରାଭେଲ ବ୍ୟାଗ ବି ଥିଲା ତା ପାଖରେ।  ସେଥିରେ ସେ ଗଞ୍ଜେଇ ‌ଭର୍ତ୍ତି କରି ରଖିଥିଲା। ବଡ଼ଦେବତା ଛକରେ ବାଂଲାଦେଶ ସୀମାନ୍ତ ପଶ୍ଚିମବଙ୍ଗକୁ ଯିବା ଲାଗି ସେ ବସକୁ ଅପେକ୍ଷା କରିଥିବା ବେଳେ ପାଡ଼ୁଆ ପୁଲିସ ଦୁଲହନ୍ ଖାନକୁ ଧରିଥିଲା। ତାର ଦେହରେ ଲାଗିଥିବା ଜରିରୁ ୭ କିଲୋଗ୍ରାମ୍ ଏବଂ ଅବଶିଷ୍ଟ ୨୧ କିଲୋଗ୍ରାମ୍ ଗଞ୍ଜେଇ ଟ୍ରାଭେଲ ବ୍ୟାଗରୁ ଜବତ କରାଯାଇଥିଲା। ଏସ ଆଇ ଦୀପକ ବାରିକ ଏହି ମାମଲାର ତଦନ୍ତ କରୁଛନ୍ତି। ଏହି ଚଢ଼ଉରେ ପାଡ଼ୁଆ ଥାନାଧିକାରୀ ଅଶୋକ ବିଶୋଇ,ଏସଆଇ ବେନିଆ ଏବଂ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।