ପଥର କୁଆଁରି ଧସିବା ଘଟଣା:ଆଶଙ୍କାରେ ରହିଛନ୍ତି ସହଯୋଗୀ

ଜୟପୁର: ସକାଳୁ ସଂଜ ପର୍ଯ୍ୟନ୍ତ ଭିଡ଼ କମୁନି। ମାଳମାଳ ଅଧିକାରୀଙ୍କ ଗହଳି ଚହଳି। ଉଦ୍ଧାର ପାଇଁ ସମସ୍ତେ ତତ୍ପର। କିନ୍ତୁ ରାତି ହୋଇଗଲେ ଭିଡ଼ କମିବା ପରେ ଖାଁ ଖାଁ ଲାଗୁଛି ଠିକା କ୍ୟାମ୍ପ। ସ୍ତବ୍ଧ ହୋଇଯାଇଥିବା କର୍ମଚାରୀ ଆଶଙ୍କାରେ ବିତାଉଛନ୍ତି ପୂରା ରାତି। ଅଜଣା ଆତଙ୍କରେ ଶିହରି ଯାଉଥିବା ବି କହିଛନ୍ତି। ଭୋକ, ଶୋଷ ଭୁଲି ପଥର ତଳେ ଚାପି ହୋଇ ରହିଥିବା ଦୁଇ ସହଯୋଗୀଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି। ଉଦ୍ଧାର କାର୍ଯ୍ୟରେ ବି ପୂରା ଜୋର ଲଗାଇ ଦେଇଛନ୍ତି। କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ଗୁମ୍ମା ପଥର କୁଆଁରି ନିକଟସ୍ଥ ଡିଡି ବିଲଡର୍ସର ଠିକା କ୍ୟାମ୍ପରେ ଗତ ୮ଦିନ ହେଲା ଏମିତି ଦୃଶ୍ୟ ଦେଖିବାକୁ ମିଳିଛି।
ପୂର୍ବରୁ ଏହି ଠିକା କ୍ୟାମ୍ପରେ ଅଳ୍ପ କେତେ ଜଣ କର୍ମଚାରୀ ଥିଲେ। ତେବେ ଅଘଟଣ ପରେ ଆହୁରି ୧୦ରୁ ୧୨ଜଣ କର୍ମଚାରୀ ଆସି ପହଞ୍ଚିଛନ୍ତି। କିଏ ରାଜ୍ୟ ଭିତରର କିଏ ରାଜ୍ୟ ବାହାରର। ଏତେ ଲୋକଙ୍କ ଚଳ ପ୍ରଚଳ ସତ୍ତ୍ୱେ ସେମାନେ ଏକା ଏକା ଅନୁଭବ କରୁଛନ୍ତି। ଦେବଗଡର ଘନଶ୍ୟାମ ଗୁରୁ ଓ ଆଠଗଡ ସଞ୍ଜୟ ଦାସଙ୍କ ସହ ସମସ୍ତେ ବହୁ ଦିନ ଧରି କାମ କରିଛନ୍ତି। ଭଲ ରୂପେ ଅତି ନିକଟରୁ ବି ଜାଣିଥିଲେ। ତେଣୁ ବାରମ୍ବାର ପୁରୁଣା ଦିନର ସ୍ମୃତି ସବୁ ସେମାନଙ୍କୁ ବିଚଳିତ କରୁଛି। ମା’ ଭିନ୍ନ ଭିନ୍ନ ହୋଇଥିଲେ ବି ଦୁହେଁ ଦୁଇ ଭାଇ ଭଳି ଥିଲେ। ଜଗା-ବଳିଆଙ୍କ ଯୋଡ଼ି ବୋଲି ପରିଚିତ ଥିଲେ। ପରସ୍ପରକୁ ଯେତିକି ସ୍ନେହ, ଶ୍ରଦ୍ଧା କରୁଥିଲେ ଅନ୍ୟମାନଙ୍କ ପ୍ରତି ବି ସେତିକି ସମ୍ମାନ ରହିଥିଲା। ସବୁବେଳେ ପାଖେ ପାଖେ ରହି ସବୁ ପ୍ରତିବନ୍ଧକକୁ ଏକାଠି ସାମ୍ନା କରୁଥିଲେ। ଘଟଣାକୁ ୭ରାତି ହେଲାଣି ବିତି ଗଲାଣି। ଏବେ ବି ଦୁହେଁ ଆମ ପାଖେ ପାଖେ ଥିବା ଭଳି ଲାଗୁଛି। ଦୁହଁଙ୍କର ହସ, ଖୁସି, ଗମାତ ଓ ନାଲି ଆଖି ଆମ ଚାରିପଟେ ଘୂରି ବୁଲୁଛି ବୋଲି କହିଛନ୍ତି ଏବେ ଠିକା କ୍ୟାମ୍ପରେ ରହିଥିବା ଅନ୍ୟ ସହଯୋଗୀମାନେ।
ବଡ ଭାଇ ଭଳି ଭଲ ପାଇବା ଦେବା, ସୁଖ ହେଉ କିମ୍ବା ଦୁଃଖ ସବୁବେଳେ ବାପା, ମାଙ୍କ ପରି ମନୋବଳ ବଢାଉଥିଲେ। ଯଦିଓ ଦୁହେଁ ଅପରେଟର ଥିଲେ ଏବଂ ଆମେ ସବୁ ସହଯୋଗୀ ଥିଲୁ, ତଥାପି ଆମକୁ ସାନ ଭାଇଙ୍କ ଭଳି ବ୍ୟବହାର ଦେଖାଉଥିଲେ। କାମ ଶିଖାଇବା ସହ ଭୁଲ କଲେ ଆକଟ ବି କରୁଥିଲେ ବୋଲି କହିଛନ୍ତି ସହଯୋଗୀ ସଦାନନ୍ଦ ମାଝି, ଜଗା ନାୟକ, ଅମରେଶ ଓ ମୋହନ କିଶନ। ଘଟଣା ଦିନ ପାହାଡ ଧସିବା ପରେ ପ୍ରଥମେ ମୋହନ କିଶାନ ହିଁ ଘଟଣା ସ୍ଥଳକୁ ଯାଇଥିଲେ। ପଥର ଯେଉଁଭଳି ଭାବେ ଖସିଥିଲା ତାହା ଦେଖି ସେ କିଛି ସମୟ ପାଇଁ ସ୍ତବ୍ଧ ହୋଇଯାଇଥିଲେ। କିଛି ବର୍ଷର ତଳର ସଂପର୍କ ଏତେ ନିବିଡ଼ ଥିଲା ଯେ ଦୁହେଁ ପରସ୍ପର ଠାରୁ ବହୁ ଦିନ ପର୍ଯ୍ୟନ୍ତ ଅଲଗା ହୋଇପାରୁ ନଥିଲେ। ପାହାଡ଼ ଧସିବା ଦିନ ବି ଦୁହେଁ ଏକତ୍ର କାମ କରିବାକୁ ଯାଇଥିବା ତାହାର ଏକ ଉଦାହରଣ ମାତ୍ର। ସେମାନେ ଶୋଉଥିବା ସ୍ଥାନ ଏବେ ଖାଲି ପଡିଛି। ଯେଉଁଠି ପୂର୍ବରୁ ବ୍ୟାୟାମ କରୁଥିଲେ ସେଠାରେ ବର୍ତମାନ ବଡ଼ବଡ଼ ଅଧିକାରୀ ଡେରା ପକାଇଛନ୍ତି। ଆଖପାଖ ଅଞ୍ଚଳକୁ ଦେଖିଲେ ସେମାନଙ୍କ ଉପସ୍ଥିତି ଏବେ ବି ଆଖି ସାମ୍ନାରେ ସ୍ମୃତି ହୋଇ ଘୂରି ବୁଲୁଛି। ସଞ୍ଜୟ ଓ ଘନଶ୍ୟାମ ଭଲ ରୋଷେଇ କରୁଥିଲେ। ତେଣୁ ପ୍ରତିଦିନ ଖାଇବା ସାମ୍ନାରେ ସେମାନଙ୍କ ଅନୁପସ୍ଥିତି ବିବ୍ରତ କରୁଥିବା ଠିକା କ୍ୟାମ୍ପର ସହଯୋଗୀମାନେ କହିଛନ୍ତି।
ସ୍ଥିତି ଅନୁଧ୍ୟାନ କଲେ ଗୁପ୍ତ ଦାଶ
କୋରାପୁଟ,: ବରିଷ୍ଠ ବିଜେଡି ନେତା ଗୁପ୍ତ ପ୍ରସାଦ ଦାଶ ଆଜି ରାଣୀଗଡ ନିକଟସ୍ଥ ବରିପୁଟକୁ ଯାଇ ପଥର କୁଆଁରି ଧସିବା ଘଟଣାର ଅନୁଧ୍ୟାନ କରିଛନ୍ତି। କେଉଁ ପରିସ୍ଥିତିରେ ଏହି ପାହାଡ ଧସିଲା ଏବଂ ଉଦ୍ଧାର କାର୍ଯ୍ୟ କେମିତି ଶୀଘ୍ର ସରିବ ତାହା ଉପରେ ଶ୍ରୀ ଦାଶ ଗୁରୁତ୍ୱ ଦେଇଥିଲେ। ଏଥିନେଇ ସେ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ପରେ ସାଧାରଣ ଲୋକଙ୍କ ସହ ଆଲୋଚନା କରିବା ସହ ଏହି ଘଟଣା ଦୁର୍ଭାଗ୍ୟଜନକ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି।

ସମ୍ବନ୍ଧିତ ଖବର