କୋରାପୁଟରେ ଶାନ୍ତିପୂର୍ଣ୍ଣ ମତଦାନ

୬୦ ପ୍ରତିଶତରୁ ଅଧିକ ମତଦାନ ମୋଟ ୩୯ ପ୍ରାର୍ଥୀଙ୍କ ଭାଗ୍ୟ ସିଲ ଇଭିଏମରେ ତ୍ରୁଟି ଯୋଗୁଁ ବିଳମ୍ବ

କୋରାପୁଟ: କାଁ ଭାଁ ଅଘଟଣକୁ ବାଦ ଦେଲେ କୋରାପୁଟ ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ଶେଷ ହୋଇଛି। ଆଜି ଜିଲ୍ଲାର ସମସ୍ତ ୧୧୪୧ଟି ବୁଥ୍‌ରେ ଭୋଟ ଗ୍ରହଣ କରାଯାଇଥିଲା ବେଳେ ଲୋକଙ୍କ ଭୋଟ ବର୍ଜନ କାରଣରୁ କୋଲାବରେ ହୋଇଥିବା ବୁଥରେ ଖ‌ଣ୍ଡେ ବି ଭୋଟ ପଡିନି। ଉଭୟ ‌ଲୋକସଭା ଓ ବିଧାନସଭା ପାଇଁ ଏଥର ବେଶ ଉତ୍ସାହରେ ଲୋକମାନେ ସେମାନଙ୍କ ସାମ୍ବିଧାନିକ ମତାଧିକାର ସାବ୍ୟସ୍ତ କରିଥିଲେ। ଶେଷ ଖବର ସୁଦ୍ଧା ଜିଲ୍ଲାରେ ୬୪.୬୭ ପ୍ରତିଶତ ମତଦାନ ହୋଇଛି। ଏହା ସହ ଆଜି ୭ ଜଣ ସାଂସଦ ପ୍ରାର୍ଥୀ ଓ ୩୨ଜଣ ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇ ଯାଇଛି।
ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିଥିଲା। ଏପରିକି ୪ଟା ବେଳକୁ ଭୋଟ ଗ୍ରହଣ କେନ୍ଦ୍ରରେ ବହୁ ଭୋଟର ରହି ଯାଇଥିବାରୁ କିଛି କେନ୍ଦ୍ରରେ ଭୋଟ ଗ୍ରହଣ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିଥିଲା। ପରେ ପୋଲିଂ ପାର୍ଟି ଇଭିଏମ ସିଲ କରି ଷ୍ଟ୍ରଙ୍ଗ ରୁମ ଅଭିମୁଖେ ବାହାରିଥିଲେ। ସଂଧ୍ୟା ୬ଟାରୁ ପୋଲିଂ ପାର୍ଟି ସବୁ ଫେରିବା ଆରମ୍ଭ ହୋଇଥିଲା ବେଳେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହା ଚାଲିଥିଲା। କୋରାପୁଟ ସରକାରୀ କଲ‌େଜ ଓ ଜୟପୁର ବିକ୍ରମ ଦେବ କଲେଜରେ ହୋଇଥିବା ଷ୍ଟ୍ରଙ୍ଗ ରୁମରେ ଇଭିଏମ ଗୁଡିକୁ ରଖାଯାଉଛି। ଏପରିକି ବିଳମ୍ବିତ ରାତି ପର୍ଯ୍ୟନ୍ତ କିଛି ପୋଲିଂ ପାର୍ଟି ପହଞ୍ଚି ନ ଥିବାରୁ ସେମାନଙ୍କୁ ଅପେକ୍ଷା କରାଯାଇଛି।
ମାଓ ପ୍ରଭାବିତ ଅଂଚଳରେ କଡ଼ା ସୁରକ୍ଷାରେ ଭୋଟ ଗ୍ରହଣ କରାଯାଇଥିଲା। ଲୋକମାନେ ସକାଳୁ ଆସି ଭୋଟ ଦେବାକୁ ଇଛା ପ୍ରକାଶ କରିଥିଲେ। ତେବେ ବହୁ ସ୍ଥାନରେ ଇଭିଏମରେ ତ୍ରୁଟି ଥିବାରୁ ଭୋଟଦାନ ପ୍ରକ୍ରିୟା ବିଳମ୍ବିତ ହୋଇଥିଲା। ଏପରିକି କିଛି ସ୍ଥାନରେ ଇଭିଏମ ମେସିନ ବଦଳାଇବାକୁ ପଡିଥିଲା। ତେବେ ପୂର୍ବାହ୍ନ ୯ଟା ସୁଦ୍ଧା ସମସ୍ତ ବୁଥ୍‌ରେ ଭୋଟଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବା ସରକାରୀ ଭାବେ କୁହାଯାଇଛି। ଲୋକମାନେ ଲମ୍ବା ଲାଇନରେ ରହି ସେମାନଙ୍କ ମତଦାନ କରିବାକୁ ଅପେକ୍ଷା କରିଥିଲେ। ବିଶେଷକରି ଯୁବ ଓ ମହିଳା ଭୋଟର ଏଥର ବେଶ ଉତ୍ସାହର ସହ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିଲେ। ବିଭିନ୍ନ ବୁଥରେ ସ୍ବେଚ୍ଛାସେବୀ ରହିଥିବାରୁ ଏହା ମତଦାନ ପ୍ରକ୍ରିୟାକୁ ସୁଗମ କରିଥିଲା। ଏପଟେ ଦିବ୍ୟାଙ୍ଗ ମତଦାତାଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବାରୁ ଏହା ବେଶ ସହାୟକ ହୋଇଥିଲା। ଦିନ ତମାମ ପୁଲିଂ ବୁଥରେ ଗହଳି ଲାଗି ରହିଥିଲା ବେଳେ କେଉଁଠି କିଛି ବଡ ଧରଣର ଅଘଟଣ ଘଟିନାହିଁ। ଜୟପୁର ନିର୍ବାଚନ ମଣ୍ଡଳୀର ମୁଖି ଖୁଡୁପି ଗ୍ରାମରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ କାରଣରୁ ଭୋଟ ଗ୍ରହଣ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ୪ ଜଣଙ୍କୁ ଅଟକ ରଖିବା ପରେ ମତଦାନ ସ୍ବାଭାବିକ ଚାଲିଥିଲା। ସେହିପରି ଟାଙ୍କୁଆ, କାଳିଆଗାଁ, ବାଗରାଗୁଡା, ଫାମ୍ପୁଣୀ, କୋରାପୁଟର ବଣ୍ଡାଗୁଡା, ଗଂଜେଇ ପଦର, ପଟାଙ୍ଗୀର ପେଟରୁ ଆଦି ଗାଁରେ ମଧ୍ୟ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ଅନ୍ୟ କୌଣସି ସ୍ଥାନରେ ଗଣ୍ଡଗୋଳ ହୋଇଥିବାର ଖବର ଆସିନି।
ବିଭିନ୍ନ ଦାବି ଦେଇ ଆଜି କିଛି ଗ୍ରାମରେ ଲୋକମାନେ ଭୋଟ ବର୍ଜନ କରିବାକୁ ଧମକ ଦେଇଥିଲେ। ହେଲେ ପ୍ରଶାସନ ବୁଝାସୁଝା କରିବା ପରେ ଭୋଟଦାନ କରିଥିଲେ। କିନ୍ତୁ କୋଲାବ ସ୍ଥିତ ବୁଥ‌ରେ ଲୋକମାନେ ସମ୍ପୂର୍ଣ୍ଣ ଭୋଟ ବର୍ଜନ କରିଥିଲେ। ପ୍ରଶାସନ ବୁଝାଇବା ସତ୍ତ୍ବେ ସେମାନେ ଭୋଟଦାନ କରି ନ ଥିଲେ। ପଟାଙ୍ଗୀ ବ୍ଲକ କୋଟିଆ ପଞ୍ଚାୟତ ଉପରେ ସମସ୍ତଙ୍କ ନଜର ରହିଥିଲା ବେଳେ ବିବାଦୀୟ ଗ୍ରାମ ଗୁଡିକରେ ଶାନ୍ତି ଶୃଙ୍ଖଳାର ସହ ଭୋଟ ଗ୍ରହଣ ଶେଷ ହୋଇଛି। ଲୋକମାନେ ଉଭୟ ଆନ୍ଧ୍ର ଓ ଓଡ଼ିଶାରେ ଭୋଟ ଦେଇଛନ୍ତି।

ସମ୍ବନ୍ଧିତ ଖବର