ଜୟପୁର: କୋରାପୁଟ ଜିଲ୍ଲା ତଥା ଜିଲ୍ଲା ବାହାରେ ବାଇକ୍‌ ଚୋରି କରୁଥିଲେ। ଗୋଟିଏ ଜାଗାରୁ ବାଇକ୍‌ ଚୋରି କରି ଅନ୍ୟ ଜାଗାରେ କମ୍ ଦରରେ ସେକେଣ୍ଡ ହ୍ୟାଣ୍ଡ କହି ବିକ୍ରି କରୁଥିଲେ। ଗୋଟିଏ ପ‌ରେ ଗୋଟିଏ ବାଇକ୍‌ ଚୋରି କରିବାରେ ସଫଳ ହେଉଥିବା ଏଭଳି ଏକ ବାଇକ୍‌ ଚୋର ଗ୍ୟାଙ୍ଗ୍‌ ଏବେ ପୁଲିସ ହାବୁଡ଼ରେ ପଡ଼ିଛଛନ୍ତି। ଜୟପୁର ସହରରୁ ଗୋଟିଏ ବାଇକ୍‌ ଚ‌ୋରି ମାମଲାର ତଦନ୍ତ କରୁଥିବା ବ‌େଳେ ଜୟପୁର ଟାଉନ ପୁଲିସ ଏହି ଗ୍ୟାଙ୍ଗ୍‌ର ୨ ଜଣକୁ ଗିରଫ କରିଛି। ଅଭିଯୁକ୍ତ ଦ୍ବୟ ଜୟପୁର ସହରର ଖ୍ରୀଷ୍ଟିଆନପେଟାର ରୋହିତ ମେହେର  ଓ ହାନାଗୁଡ଼ାର ଇସାକ୍‌ ହରିଜନ ବୋଲି ଜଣାପଡ଼ିଛି। ପୁଲିସ ଉଭୟଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଏହି ଗ୍ୟାଙ୍ଗ୍‌ର ଅନ୍ୟମାନଙ୍କୁ ପୁଲିସ ଖୋଜୁଥିବା ନେଇ ଟାଉନ ଥାନା ଅଧିକାରୀ ସମ୍ବିତ କୁମାର ବେହେରା କହିଛନ୍ତି ।
ସୂଚନା ଅନୁଯାୟୀ, ଜୟପୁର ସହରର ଇରିଗେସନ କଲୋନିର ସିପୁନୁ ଟାକ୍ରି ଗତ ୨୩ ତାରିଖ ରାତିରେ ନିଜ ବାଇକ୍‌ ଘର ସମ୍ମୁଖରେ ରଖିଥି‌ଲେ। ସକାଳୁ ଉଠି ଦେଖିବାକୁ ବେଳକୁ ବାଇକ୍‌ ସେଠାରେ ନଥିଲା। ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ମଧ୍ୟ ବାଇକ୍‌ ନପାଇବାରୁ ଶେଷରେ ଏନେଇ ସିପୁନ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ପୁଲିସ କେଶ୍‌ ନଂ- ୩୫୦/୨୨ ଅନୁଯାୟୀ ଏକ ମାମଲା ରୁଜୁ କରିଥିବା ବେଳେ ଏସ୍‌ଆଇ ସିଦ୍ଧାନ୍ତ ବେହେରା ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଏହି ଘଟଣାରେ ପୁଲିସ ରୋହିତ ଓ ଇସାକକୁ କାବୁ କରି ପଚରାଉଚରା କରିବା ବାଇକ୍‌ ଚୋରି ବିଷୟରେ ବହୁ ତଥ୍ୟ ପାଇଥିଲା ପୁଲିସ। ଏହାପରେ ଚୋରି କରିବା ପରେ ବିକ୍ରି କରିଥିବା ଗୋଟିଏ ପରେ ଗ‌ୋଟିଏ ବାଇକ୍‌କୁ ପୁଲିସ ଜବତ କରିଥିଲା। ପୁଲିସ ଦୁଇ ଜଣ ଅଭିଯୁକ୍ତଠାରୁ ୫ଟି ବାଇକ୍‌ ଜବତ କରିଥିଲା। ଏଥିସହ ଏହି  ଗ୍ୟାଙ୍ଗ୍‌ର ଅନ୍ୟ ସଦସ୍ୟଙ୍କ ନାମ ପୁଲିସ ଜାଣିବାକୁ ପାଇବା ପରେ ସେମାନଙ୍କୁ ଖୋଜୁଛି। ଏହି ଗ୍ୟାଙ୍ଗ୍‌ରେ ଜୟପୁର ସହିତ ବାହାର ଅଞ୍ଚଳର କିଛି ଯୁବକ ମଧ୍ୟ ସାମିଲ ଥିବା ପୁଲିସ କହିଛି। ଜବତ ହୋଇଥିବା ୫ଟି ଚୋରି ବାଇକ୍‌ ମଧ୍ୟରୁ ଦୁଇଟି ଜୟପୁର ଟାଉନ ଥାନା ଅଞ୍ଚଳର ହୋଇଥିବା ବେଳେ ବି.ସିଂପୁର ଥାନା, ଡାବୁଗାଁ ଥାନା ଅଞ୍ଚଳର ଗୋଟିଏ ଲେଖାଏଁ ରହିଛି। ଆଉ ଗୋଟିଏ ବାଇକ୍‌ କାହାର ସେନେଇ ତଦନ୍ତ ଚାଲିଥିବା ଥାନା ଅଧିକାରୀ କହିଛନ୍ତି।