ଜୁଆ ଆଡ୍ଡା ଓ କୁକୁଡା ଗାଲିରେ ଚଢାଉ, ୨୮ଟି ବାଇକ୍‌ ଜବତ

ବୋରିଗୁମ୍ମା : ବୋରିଗୁମ୍ମା ପୁଲିସ ପକ୍ଷରୁ ଜୁଆ ଆଡ୍ଡା ଓ କୁକୁଡା ଗାଲି ଉପରେ ଚଢାଉ କରି ୨୮ଟି ବାଇକ୍‌, ୨ଟି ସାଇକଲ ଓ ନଗଦ ୩୨୬୦ଟଙ୍କା ଜବତ କରାଯାଇଛି। ସୂଚନା ଅନୁଯାୟୀ, ବୋରିଗୁମ୍ମା ଥାନା ଅନ୍ତର୍ଗତ ଡାନିଡା ନର୍ସରୀରେ ଗତକାଲି ଜୁଆ ଖେଳ ଚାଲୁଥିବା ନେଇ ବୋରିଗୁମ୍ମା ପୁଲିସ ନିକଟରେ ଖବର ପହଞ୍ଚିଥିଲା। ପରେ ଥାନା ଅଧିକାରୀ ସୁଦାମ ସାହୁଙ୍କ ନେତୃତ୍ୱରେ ଏକ ଟିମ୍‌ ଏହି ଜୁଆ ଆଡ୍ଡା ଉପରେ ଚଢାଉ କରି ତାସ୍‌, ୫ଟି ବାଇକ୍‌,୨ଟି ସାଇକଲ ଓ ୧ହଜାର ଟଙ୍କା ଜବତ କରିଥିଲେ। ଏନେଇ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ଏସ୍‌ଆଇ ଅନୁସୟା ନାୟକ ସୂଚନା ଦେଇଛନ୍ତି। ସେହିପରି ବୋରିଗୁମ୍ମା ଥାନା ଅନ୍ତର୍ଗତ କେବିଡି ନିକଟରେ ଚାଲିଥିବା ଏକ କୁକୁଡ ଗାଲି ଉପରେ ଚଢାଉ କରାଯାଇ ୨୩ଟି ବାଇକ୍‌, ୨ଟି ଛୁରୀ ଓ ନଗଦ ୨୨୬୦ଟଙ୍କା ଜବତ କରାଯାଇଛି। ଏନେଇ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ତଦନ୍ତକାରୀ ଅଧିକାରୀ ଏସଆଇ ଚିନ୍ତେଶ୍ୱର ମୁଣ୍ଡା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର