ଗର୍ଭବତୀ ଅଙ୍ଗନବାଡି କର୍ମୀଙ୍କୁ ଶାରୀରିକ ନିର୍ଯାତନା ଅଭିଯୋଗ

ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଓ ସିଡିପିଓଙ୍କ ତଦନ୍ତ

ଜୟପୁର: ସ୍ଥାନୀୟ ସ‌ୌରାଗୁଡା ହରିଜନ ସାହି ମିନି ଅଙ୍ଗନବାଡି କେନ୍ଦ୍ର‌ର କର୍ମୀ ଲକ୍ଷ୍ମୀ ଟାକିରିଙ୍କୁ ପରିଦର୍ଶନରେ ଯାଇଥିବା ସୁପରଭାଇଜର ଶାରରୀକ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ହୋଇଛି । ଗର୍ଭବତୀ ଥିବା ଅଙ୍ଗନବାଡି କର୍ମୀ ଜଣଙ୍କ ଏଥିନେଇ ସିଡିପିଓଙ୍କ ନିକଟରେ ଅଭିଯୋଗ କରିବା ପରେ ଆଜି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଓ ସିଡିପିଓ ଗ୍ରାମକୁ ଯାଇ ତଦନ୍ତ କରିଥିବା ସୂଚନା ମିଳିଛି ।
ମିଳିଥିବା ସୂଚନା ମୁତାବକ ଗତକାଲି ଉମୁରୀ ସେକ୍ଟର ସୁପରଭାଇଜର ସୌରାଗୁଡା ହରିଜନ ସାହି ମିନି ଆଙ୍ଗନବାଡି କେନ୍ଦ୍ରକୁ ପରିଦର୍ଶନରେ ଯାଇଥିଲେ । କେନ୍ଦ୍ର ପରିଦର୍ଶନ କରିବା ପରେ ସୁପରଭାଇଜର ଜଣକ ଅଙ୍ଗନବାଡି କର୍ମୀଙ୍କୁ ତୁମ ସ୍ବାମୀଙ୍କୁ ଡାକ ସେ ମୋତେ ଆଉ କିଛି କେନ୍ଦ୍ର ବୁଲାଇ ଆଣିବେ ବୋଲି କହିଥିଲେ। ଅଙ୍ଗନବାଡି କର୍ମୀ ଲକ୍ଷ୍ମୀ ସ୍ବାମୀ ଘରେ ନାହାନ୍ତି ବାହାରକୁ ଯାଇଛନ୍ତି ବୋଲି ସେ କହିଥିଲେ। ଏଥିରେ ସୁପରଭାଇଜର ଜଣକ ଉତ୍ତେଜିତ ହୋଇ ତାଙ୍କୁ ପ୍ରାକ୍ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଶିଖାଇବାକୁ ଥିବା ବିଭିନ୍ନ ଅଙ୍ଗଭଙ୍ଗୀ, ନୃତ୍ୟ ସହ ପୁଚିଖେଳ କରିବାକୁ ବାଧ୍ୟ କରିଥିବା ଅଭିଯୋଗ କରିଛନ୍ତି ଲକ୍ଷ୍ମୀ। ଏପରିକି ତାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ନଥିବାରୁ ସେ ଚିକିତ୍ସିତ ହୋଇ ଫେରିଥିବା କହିଥିଲେ । ଡାକ୍ତର ତାଙ୍କୁ ଓଜନିଆ ଜିନିଷ ନ ଉଠାଇବାକୁ ଏବଂ ବେଶି ଚଳାବୁଲା କରିବାକୁ ପରାମର୍ଶ ଦେଇଥିବ‌େ କହିଥିଲେ । ସ୍ବାସ୍ଥ୍ୟ ଭଲ ନଥିଲେ ହେଁ ତାଙ୍କୁ ସାଢ଼େ ୧୦ଟାରୁ ଗୋଟାଏ ୪୦ ପର୍ଯ୍ୟନ୍ତ ସେଭଳି ରଖିଥିବା ଅଭିଯୋଗ କରିଛନ୍ତି। ଲକ୍ଷ୍ମୀ ବାରମ୍ବାର କହିବା ସତ୍ବେ ସେ ଶୁଣିନଥିବା‌ ନେଇ ଜୟପୁର ସିଡିପିଓଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଏପରିକି ଲକ୍ଷ୍ମୀଙ୍କୁ ଗାଳି ଗୁଳଜ କରିବା ସହ ଏଭଳି ଆଚରଣ କରିବା ସମୟରେ ଗ୍ରାମବାସୀ ମଧ୍ୟସ୍ଥତା କରିଥିବା ଜଣାଇଛନ୍ତି। ଆଜି ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ଜୟପୁର ସିଡିପିଓ ଗାଁକୁ ଯାଇ ତଦନ୍ତ କରିଛନ୍ତି । ଗ୍ରାମର ଯେଉଁ ବାରଣ୍ଡାରେ ମିନି ଅଙ୍ଗନବାଡି କେନ୍ଦ୍ର ଚାଳିଛି ସେହି ଘରର ମାଲିକ ଅନୁପସ୍ଥିତ ଥିବାରୁ ତାଙ୍କ ବୟାନ ନିଆଯାଇନି ବୋଲି ସିଡିପିଓ କହିଛନ୍ତି। ସେଭଳି ସୁପରଭାଇଜରଙ୍କ ବିରୋଧରେ ଉମୁରୀ ସେକ୍ଟରର ୨୧ଜଣ ଅଙ୍ଗନବାଡି କର୍ମୀ ଗତ ୫ଦିନ ତଳେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର