କୋରାପୁଟ: କୋରାପୁଟ ଜିଲ୍ଲାରେ ଗତକାଲି ଠାରୁ ବର୍ଷା ଲାଗି ରହିଥିବା ବେଳେ ଆଜି ଅପରାହ୍‌ଣ ୨ଟାରୁ ସନ୍ଧ୍ୟା ୫ଟା ମଧ୍ୟରେ ୪୦୨ ମିମି ବର୍ଷା ରେକର୍ଡ ହୋଇଛି। ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି। କୋରାପୁଟ-ରାୟଗଡ଼ା (କେକେ ଲାଇନ୍‌)ରେ ପାହାଡ଼ରୁ ପଥର ଖସିଛି। ରେଳ ଟ୍ରାକ ଉପରେ ପଥର ଖସିଛି। ସେହିପରି ରେଳଲାଇନ୍‌ ଉପରେ ମାଟି ପଡ଼ିଛି। ପ୍ରବଳ ବର୍ଷାରେ ଡୁମୁରିପୁଟ-ଦାମନଯୋଡ଼ି ମଝିରେ ଡାଉନ ଲାଇନ ୧୩/୨୨ରେ ପଡିଛି ମାଟି ଓ ପଥର।

Advertisment

ସେହିପରି ବିଶାଖାପାଟଣାରୁ କୋରାପୁଟ ଭିତରେ ଟାଇଡା-ଚିମିଦିପାଲି ମଝିରେ ବିଦ୍ୟୁତ ତାର ଉପରେ ଗଛ ପଡିଛି, ଯାହା ଫଳରେ ବିଶାଖାପାଟଣା-କିରଣ୍ଡୁଲ ଟ୍ରେନ ବାତିଲ କରାଯାଇଛି।

ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ଜାରି ରହିଛି। ଦକ୍ଷିଣ ଓଡ଼ିଶାରେ ବର୍ଷା ତାଣ୍ଡବ ରଚିଛି। କୋରାପୁଟ, ରାୟଗଡ଼ା ଓ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ପରିସ୍ଥିତି ଦେଖାଯାଇଛି। ଅନେକ ସ୍ଥାନରେ ଗଛ ଉପୁଡ଼ି ଥିବା ବେଳେ କେକେ ଲାଇନ୍‌ରେ ପଥର ପଡ଼ିବାରୁ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି। 

କୋରାପୁଟରୁ ସୁନାବେଡ଼ଶକୁ ସଂଯୋଗ କରୁଥିବା ୨୬ ନମ୍ବର ଜାତୀୟ ରାଜପଥ ମୋହନପଡ଼ା ନିକଟ ଅସ୍ଥାୟୀ ପୋଲ ଉପରେ ଆଜି ଅପରାହ୍‌ଣରେ ୫ ଫୁଟ ଉଚ୍ଚର ପାଣି ପ୍ରବାହିତ ହୋଇଥିଲା। ପୋଲ ଉପରେ ପାଣି ପ୍ରବାହିତ ହେବା କାରଣରୁ ଉଭୟ ପାର୍ଶ୍ୱରେ ଗାଡ଼ିଗୁଡିକ ଅଟକି ରହିଥିଲା। ୩୨୬ ନମ୍ବର ଜାତୀୟ ରାଜପଥ କୋରାପୁଟ-ରାୟଗଡ଼ା ରାସ୍ତାରେ ବଙ୍ଗଳାଗୁଡ଼ା ନିକଟରେ ଅସ୍ଥାୟୀ ପୋଲ ଉପରେ ୫ଫୁଟ ଉଚ୍ଚରେ ପ୍ରଖର ସ୍ରୋତରେ ପାଣି ପ୍ରବାହିତ ହେବାରୁ ସମସ୍ତ ଯାନବାହନକୁ ବିକଳ୍ପ ରାସ୍ତା ଦେଇ ଯିବା ଆସିବା କରୁଛନ୍ତି।

ଦଶମନ୍ତପୁର ବ୍ଲକ ବାଲିଘାଟ ଗାଁ ହାଇସ୍କୁଲ ନିକଟ ପୋଲ ନିକଟରେ ଆପ୍ରୋଚ ରୋଡ଼ ଧୋଇ ହୋଇଯାଇଛି। ପ୍ରବଳ ବର୍ଷାରେ ମୁରାନ ନଦୀରେ ଆସିଲା ପାଣି। ବ୍ରିଜର ଗୋଟେ ପଟେ ପୁରା ଭାସିଗଲା ରାସ୍ତା। ବାଲିଘାଟ, ବଗେଇପଦର ପରଜା ଗଦରୀ ଯିବା ଆସିବାରେ ସମସ୍ୟା ଦେଖାଦେଇଛି।

Rain in Odisha

ରିପୋର୍ଟ: ପ୍ରଦୀପ ପାଢ଼ୀ