କୋଟପାଡରେ ପଢିବେ କୁନ୍ଦୁଲି ପୀଡିତା

କୋରାପୁଟ: କୁନ୍ଦୁଲି ଗଣ ଦୁଷ୍କର୍ମ ମାମାଲାର ପୀଡିତାଙ୍କୁ କୋଟପାଡର ଏକ ସରକାରୀ ବିଦ୍ୟାଳୟରେ ପଢାଇବାକୁ ନିଷ୍ପତ୍ତି ନିଆଯାଇଛି। ସେଥିପାଇଁ ତାଙ୍କୁ କୋରାପୁଟର ଶିଶୁ ପରିଚର୍ଯ୍ୟା କେନ୍ଦ୍ରରୁ କୋଟପାଡର ଏକ ଛାତ୍ରୀନିବାସକୁ ନିଆଯାଇଛି। ସେଠାରେ ରହି ସେ ପାଠ ପଢିବେ ବୋଲି ଜଣାପଡିଛି।
କୋରାପୁଟ ଜିଲ୍ଲା କୁନ୍ଦୁଲି ଅଂଚଳରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲା ନେଇ ମାନବାଧିକାର କମିଶନଙ୍କ ପାଖରେ ପିଟିସନ ଦାଖଲ ହୋଇଥିଲା। କମିଶନର ଏହାର ବିଚାରଣା କରି ପୀଡିତାଙ୍କ ପରିବାରକୁ ୫୦ହଜାର ଟଙ୍କାର ସହାୟତା ସହ ତାଙ୍କୁ ବିନା ମୂଲ୍ୟରେ ପଢାଇବା ପାଇଁ ମଧ୍ୟବର୍ତ୍ତୀ କାଳୀନ ନିର୍ଦ୍ଦେଶ ଦେଇଥିଲେ। ଏପଟେ ପୀଡିତାଙ୍କୁ କୋରାପୁଟର ଏକ ଶିଶୁ ପରିଚର୍ଯ୍ୟା କେନ୍ଦ୍ରରେ ସାମୟିକ ଭାବେ ରଖାଯାଇଥିଲା। ଛାତ୍ରୀ ଜଣଙ୍କ ବେଶୀ ଦିନ ନ ରହି ପାଠ ପଢିବାକୁ ଇଛା ପ୍ରକାଶ କରିବା ପରେ ଗତକାଲି ସନ୍ଧ୍ୟାରେ ତାଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଆଗରେ ହାଜର କରାଯାଇଥିଲା।

ସେଠାରେ ଛାତ୍ରୀଙ୍କ ଆଲୋଚନା ଓ ପ୍ରଶାସନର ପରାମର୍ଶ ପରେ ତାଙ୍କୁ କୋଟପାଡ ବାଳିକା ଉଚ୍ଚ ବିଦ୍ୟାଳୟରେ ପଢାଇବାକୁ ନିଷ୍ପତ୍ତି ହୋଇଥିଲା। ଏହା ପରେ ପୁଲିସ ଓ ପ୍ରଶାସନ ପକ୍ଷରୁ ତାଙ୍କୁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ କୋଟପାଡ ନିଆଯାଇଥିଲା। ସେଠାରେ ରହି ସେ ପାଠ ପଢିବେ। ପାଠ ପଢା ପାଇଁ ସମସ୍ତ ଖର୍ଚ୍ଚ ସରକାର ବହନ କରିବେ। ଏଥିସହ ଛାତ୍ରୀଙ୍କୁ ଉପଯୁକ୍ତ ସୁରକ୍ଷା ମଧ୍ୟ ଯୋଗାଇ ଦିଆଯିବ। ଏଥିନେଇ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଉମା ଚରଣ ଚୌଧୁରୀ କହିଛନ୍ତି ଯେ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଛାତ୍ରୀଙ୍କୁ ଶିଶୁ ମଙ୍ଗଳ କମିଟି ଆଗରେ ହାଜର କରାଇଥିଲେ।

ଏହି ସମୟରେ ଛାତ୍ରୀ ଜଣଙ୍କ କହିଥିଲେ ଯେ, ଏକ ଭଲ ସ୍କୁଲରେ ତାଙ୍କର ପାଠ ପଢିବାର ବ୍ୟବସ୍ଥା କରାଯାଉ। ଯେହେତୁ ସେ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପଢି ପାରିବେ ନାହିଁ, ତେଣୁ ଏକ ଭଲ ଓଡ଼ିଆ ମାଧ୍ୟମ ବିଦ୍ୟାଳୟରେ ତାଙ୍କୁ ପଢାଯାଉ। ଛାତ୍ରୀଙ୍କ ଏହି ଇଛା ଅନୁସାରେ, ତାଙ୍କୁ କୋଟପାଡ ସରକାରୀ ବାଳିକା ବିଦ୍ୟାଳୟରେ ପଢାଇବାକୁ ବ୍ୟବସ୍ଥା କରାଯାଇଛି। ଏହି ବିଦ୍ୟାଳୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଏବଂ ସୁରକ୍ଷିତ। ସେଠାରେ ୫ଶହରୁ ଅଧିକ ଛାତ୍ରୀ ରହୁଛନ୍ତି। ତେଣୁ ସେଠାରେ ଛାତ୍ରୀଙ୍କର କୌଣସି ଅସୁବିଧା ହେବନି। ଯେଉଁଠି ରହିବେ, ସେଇଠି ପଢିବେ। ତେଣୁ ସୁରକ୍ଷା ଦୃଷ୍ଟିରୁ ଛାତ୍ରୀଙ୍କର କୌଣସି ସମସ୍ୟା ରହିବ ନାହିଁ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି। ଅପରପକ୍ଷରେ ତାଙ୍କର ନିୟମିତ କାଉନସେଲିଂ ଚାଲିଛି। ପୀଡିତା ଏବେ ସ୍ୱାଭାବିକ ହୋଇଗଲେଣି ଏବଂ ତାଙ୍କ ଅବସ୍ଥାରେ ଉନ୍ନତି ଆସିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର