ଗର୍ଜିଲେ ରବି: ବିଧାୟକଙ୍କୁ ରାସ୍ତାଘାଟ ଓ ଉନ୍ନୟନକୁ ନେଇ କଲେ ପ୍ରଶ୍ନ?

ଧାନ କୁଇଣ୍ଟାଲକୁ ୩୩୦୦ ଟଙ୍କା ନ ଦେଲେ ଆନ୍ଦୋଳନର ଚେତାବନୀ

ଜୟପୁର : ଜୟପୁର ବିଧାନସଭା ନିର୍ବାଚନ ମଣ୍ଡଳୀସ୍ତରୀୟ ୨୪ତମ ବିଜୁ ଜନତା ଦଳର ପ୍ରତିଷ୍ଟା ଦିବସରେ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ ଯୋଗ ଦେଇ ଗର୍ଜି ଉଠିଛନ୍ତି । ନିର୍ବାଚନ ପର ଠାରୁ ତାଙ୍କର ଏଭଳି ରୁପ ଆଉ ଦେଖିବାକୁ ମିଳି ନଥିଲା। ଦୀର୍ଘ ଦେଢ଼ ବର୍ଷ ପରେ ମଂଚରେ ସେ ୨୭ମିନିଟର ଭାଷଣ ଦେଇ ଜୟପୁର ବିଧାୟକ ଓ ବିଜେପିକୁ ପ୍ରଶ୍ନ କରିଥିଲେ।

ଜୟପୁର ଠାରୁ ବୋରିଗୁମ୍ମା ପର୍ଯ୍ୟନ୍ତ ଚାଳିଥିବା ଜାତୀୟ ରାଜପଥର ପ୍ରଶସ୍ତିକରଣ କାମରେ ବିଳମ୍ବ ହେବା ସହ ଏହା ମରଣଯନ୍ତ୍ରା ପାଲଟିଛି ବୋଲି କହିଥିଲେ। ଏହାର କାମ  ଠିକରେ ହେଉନଥିବା ବେଳେ ଏହାକୁ ବିଧାୟକଙ୍କ ବନ୍ଧୁ ବାନ୍ଧବ ଠିକା ନେଇ କାମ କରୁଛନ୍ତି, ତେବେ ଏଥିରେ ତାଙ୍କର ଆପତ୍ତି ନାହିଁ  ବୋଲି ଶ୍ରୀ ନନ୍ଦ କହିଥିଲେ। ବିଧାୟକ ଏହି କାମରେ ବାଧକ ନ ସାଜି ତୁରନ୍ତ କାମ ସାରିଲେ ଏହି ରାସ୍ତା ଦେଇ ଯାଆସ କରୁଥିବା ହଜାର ହଜାର ଯାନବାହନ , ବାଇକ୍ ଆଦି ଲୋକେ ଉପକୃତ ହୋଇପାରିବେ ବୋଲି  କହିଥିଲେ। ବିଜେଡି ନେତୃତ୍ବାଧୀନ ଜୟପୁର ପୌରପାଳିକାରେ ରହିବା ସମୟରେ ସହରର ସବୁ ସାହି ଓ ଗଳିର ରାସ୍ତା ଠିକରେ ଥିଲା। ସଂପ୍ରତି ସହରର ସାହି, ଗଳିର ରାସ୍ତା ଅବସ୍ଥା ଅତ୍ୟନ୍ତ ଦୟନୀୟ। ନୂଆ ନୂଆ ସାହି ଓ ଗଳି, କଲୋନୀକୁ ରାସ୍ତା, ପିଇବାକୁ ମୁନ୍ଦେ ପାଣି ମିଳୁନି ବୋଲି ଅଭିଯୋଗ କରିଥିଲେ। ସହରରେ ଥିବା ୮୩୦୦ବିଦ୍ୟୁତ ଖୁଣ୍ଟ ମଧ୍ୟରୁ ମାତ୍ର ୩୦୦୦ଖୁଣ୍ଟରେ ହିଁ ଲାଇଟ୍ ଜଳୁଛି ବୋଲି କହିଥିଲେ ଶ୍ରୀ ନନ୍ଦ। ଜଗନ୍ନାଥ ସାଗରର ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇ ପଡିଥିବା ଏବଂ ସେ ବିଧାୟକ ଥିବା ସମୟରେ ସାଢ଼େ ୫କୋଟି ଟଙ୍କା ଖର୍ଚ୍ଚ କରି ଏହାର ସଫା କରାଯାଇଥିଲା ବୋଲି କହିଥିଲେ।  ତାଙ୍କ ପ୍ରଚେଷ୍ଟାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୋରାପୁଟରୁ ଜୟପୁରକୁ ସ୍ଥାନାନ୍ତର ହୋଇଥିବା , ନୂଆ ଓଏସଆରଟିସି ବସଷ୍ଟାଣ୍ଡ ନିର୍ମାଣାଧିନ ଥିବା ଏବଂ ଅଡିଟୋରିୟମ, ଇନଡୋର ଷ୍ଟାଡିୟମ ହୋଇଥିବା କହିଥିଲେ। ଅଡିଟୋରିୟମର ଦେଖାରଖା ଅଭାବରେ ଏହା ଭଙ୍ଗାରୁଜା ହୋଇ ପଡ଼ିଛି। ଜୟପୁର ସହର ଏବଂ ନିର୍ବାଚନମଣ୍ଡଳୀର ସାମଗ୍ରୀକ ବିକାଶ ପାଇଁ ଲୋକଙ୍କ ଭୋଟରେ ଜିତି ଥିବା ଜନପ୍ରତିନିଧି ଭାବେ ତଥା ଜୟପୁର ସହରବାସୀଙ୍କ ଲୁହ ପୋଛିବା ପାଇଁ ବିଧାୟକ ସମୟ ବାହାର କରିବାକୁ କହିଥିଲେ ପୂର୍ବତନ ମନ୍ତ୍ରୀ ନନ୍ଦ।  ଏମ୍ ଏସ୍ ସ୍ବାମୀନାଥନ କମିଶନର ରିପୋର୍ଟ ଅନୁଯାୟୀ ଧାନର ଏମଏସପି ୩ହଜାର୩୦୦ଟଙ୍କା କରିବାକୁ ଦାବି କରିବା ସହ ଏହା କରାନଗଲେ ଆଗାମୀ ଦିନରେ ଜୟପୁର,ବୋରିଗୁମ୍ମା ଓ କୋଟପାଡ଼୍ ବ୍ଲକର ଚାଷୀଙ୍କୁ ନେଇ ସେ ଅନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଥିଲେ ପୁର୍ବତନ ମନ୍ତ୍ରୀ ଶ୍ରୀ ନନ୍ଦ। ଅଚାନକ ଭାବେ ଦେଢ଼ ବର୍ଷ ପରେ ମଂଚ ଉପରେ ଚଢ଼ି ପୂର୍ବତନ ମନ୍ତ୍ରୀଙ୍କ ଏଭଳି ଗର୍ଜନ ଏବଂ ପ୍ରଶ୍ନବାଣ ଆଗାମୀ ଦିନରେ ହେବାକୁ ଥିବା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଓ ପୌରନିର୍ବାଚନ ରଣନିତୀ ପାଇଁ ପ୍ରସ୍ତୁତି ନୁହେଁ ତ ବୋଲି କର୍ମୀ ମହଲରେ ଚର୍ଚ୍ଚା ଜୋର ଧରିଥିଲା।

ସମ୍ବନ୍ଧିତ ଖବର