ଅସହାୟ ନାବାଳକକୁ ସହାୟତା ଦାବି

ମାଥାଲପୁଟ: କୋରାପୁଟ ଜିଲ୍ଲା କାକିରିଗୁମ୍ମା ନିକଟସ୍ଥ ବାରିଗାଁ ଗ୍ରାମର ଜଣେ ନାବାଳକ ଅସହାୟ ଅବସ୍ଥାରେ ମାଥାଲପୁଟରେ ବୁଲାବୁଲି କରୁଛନ୍ତି। ଆଜି ୯ବର୍ଷୀୟ ଏହି ନାବାଳକ ଜଣକ ମାଥାଲପୁଟ ସାପ୍ତାହିକ ହାଟରେ ପ୍ରବଳ ଖରାରେ ହାତରେ ଏକ ବାଡି ଧରି ଏଣେତେଣେ ବୁଲୁଥିବା ଦେଖିବାକୁ ମିଳିଥିଲା। ନାବାଳକର ନାଁ ଦୁରାନି ଖରା ବୋଲି ଜଣାପଡିଛି। ଗତ କିଛି ବର୍ଷ ତଳେ ବାପାଙ୍କ ମୃତ୍ୟୁ ହୋଇଯାଇଥିଲା। ପରେ ୨ଟି ସନ୍ତାନଙ୍କୁ ଛାଡି ଦେଇ ମା ଅନ୍ୟ କାହା ସହ ଚାଲି ଯାଇଥିଲେ। ଏହାପରେ ଦୁରାନି ମାଥାଲପୁଟ ହାଟପଦାରେ ରହୁଥିବା ନିଜ ଅଜା ଆଇଙ୍କ ପାଖରେ ରହୁଥିବା ବେଳେ ଭଉଣୀ ନିଜ ଗାଁ ବାରିଗାଁରେ ରହୁଛନ୍ତି।

ଆର୍ଥିକ ସ୍ୱଚ୍ଛଳ ନଥିବାରୁ ଅଜା ଆଇ ଦୁରାନିଙ୍କ ଯତ୍ନ ନେଇ ପାରୁନାହାନ୍ତି। ଦୁରାନି ଅନ୍ୟ କିଛି ପିଲାଙ୍କ ସହ ମିଶି ରାସ୍ତା ପାର୍ଶ୍ୱରୁ ଜରି, ପ୍ଲାଷ୍ଟିକ ଆଦି ଗୋଟାଇ ହାକୁ ବିକ୍ରି କରି କିଛି ଟଙ୍କା ଆଦାୟ କରୁଛି। ଦୁରାନିର ପାଠ ପଢିବା ପାଇଁ ବହୁତ ଇଚ୍ଛା ରହିଛି। ଆଜି ଦୁରାନିକୁଏଭଳି ଅସହାୟ ଅବସ୍ଥାରେ ବୁଲୁଥିବା ଦେଖି ମାଥାଲପୁଟ ସମ୍ବାଦ ପ୍ରତିନିଧି ମାନସ ରଂଜନ କର ତାଙ୍କୁ ବିସ୍କୁଟ ଓ ବ୍ରେଡ୍‌ କିଣି ଖାଇବାକୁ ଦେଇଥିଲେ। ଏହାକୁ ଖାଇ ସାରିବା ପରେ ଦୁରାନି ସମସ୍ତ ବିଷୟରେ କହିଥିଲା। ତୁରନ୍ତ ଅସହାୟ ଦୁରାନୀ ଓ ତାଙ୍କ ଭଉଣୀଙ୍କୁ ଥଇଥାନ ସହ ଅନ୍ୟ ସହାୟତା ଯୋଗାଇ ଦେବାକୁ ପ୍ରଶାସନ ତଥା ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦାବି ହୋଇଛି।

ସମ୍ବନ୍ଧିତ ଖବର