ଜୟପୁର: ମାସେ ନୁହେଁ କି ଦୁଇ ମାସେ ନୁହେଁ ଗତ ଦେଢ ବର୍ଷ ହେଲା ବସିନି ରୋଗୀ କଲ୍ୟାଣ ସମିତି ବୈଠକ। କରୋନା ଯୋଗୁଁ କୋରାପୁଟ ଜିଲ୍ଲା ଚିକିତ୍ସାଳୟରେ ହୋଇପାରିନାହିଁ ଆରକେଏସ ବୈଠକ। ଯେଉଁ ବୈଠକ ପ୍ରତି ତିନିମାସରେ ଥରେ ହେବା କଥା ତାହା ଦେଢ ବର୍ଷ ହୋଇପାରିନାହିଁ। ଫଳରେ ଜିଲ୍ଲା ଚିକିତ୍ସାଳୟରେ ନାହିଁ ନ ଥିବା ସମସ୍ୟା ମୁଣ୍ଡ ଟେକି ଠିଆ ହେଲାଣି। କେତେବେଳେ ଡାକ୍ତର ଅଭାବ ତ କେତେବେଳେ ଆମ୍ବୁଲାନ୍ସ ନାହିଁ। ଆଉ କେତେବେଳେ ଭିତ୍ତିଭୂମିର ବିକାଶ ହୋଇପାରୁନି। ଏହାସହ ଷ୍ଟାଫଙ୍କ ମନମୁଖୀ କାର୍ୟ୍ୟକଳାପ ଜାରି ରହିଥିବାବେଳେ ଅତିଜରୁରୀ ରହିଥିବା ଅଲ୍ଟରାସାଉଣ୍ଡ ପୂର୍ଣ୍ଣ ଭାବେ କାର୍ୟ୍ୟକାରୀ ହୋଇପାରୁନାହିଁ। ଖାଲି ଯେ ଏହି ସମସ୍ୟା ତାହା ନୁହେଁ ୧୦୮ ଆମ୍ବୁଲାନ୍ସ ପରି ସମସ୍ୟା ମଧ୍ୟ ରହିଛି ଯାହାକୁ ଏବେ ଯାଏ ସମାଧାନ କରାଯାଇପାରୁନାହିଁ।
ମିଳିଥିବା ସୂଚନା ମୁତାବକ ୨୦୧୮ ଅକ୍ଟୋବର ମାସରେ ଜୟପୁର ସହର ମଧ୍ୟରେ ରହିଥିବା ଉପଖଣ୍ଡ ଚିକିତ୍ସାଳୟକୁ ଜିଲ୍ଲା ଚିକିତ୍ସାଳୟ ମାନ୍ୟତା ଦେଇ ଫୁଲବାଡସ୍ଥିତ ମାତୃ ଓ ଶିଶୁ ହସ୍ପିଟାଲ (ଏମସିଏଚ)କୁ ସ୍ତାନାନ୍ତର କରିଥିଲେ ତତକାଳୀନ ଜିଲ୍ଲାପାଳ ସୁଦର୍ଶନ ଚକ୍ରବର୍ତ୍ତୀ। ୫୦ ଶର୍ୟ୍ୟବିଶିଷ୍ଟ ଏହି ଏମସିଏଚରେ ଚାଲିଥିଲା ଜିଲ୍ଲା ହସ୍ପିଟାଲ। ଏହାପରେ ଏହିଠାରୁ ଆପତକାଳୀନ ୱାର୍ଡ, ଆଉଟଡୋର, ମେଲ୍ ମେଡିସିନ ୱାର୍ଡ ଇତ୍ୟାଦି ଆରମ୍ଭ ହୋଇଥିଲା। ଏବେ ମେଲ ମେଡିସିନ ୱାର୍ଡ ଉପରେ ନୂତନ ଗୃହ ଆରମ୍ଭ ହୋଇଥିବାବେଳେ କେବେ କାର୍ୟ୍ୟକାରୀ ହେବ ତାହା ଅସ୍ପଷ୍ଟ ରହିଛି। ତେବେ ଗତବର୍ଷ ଅଗଷ୍ଟ ମାସରେ ଜିଲ୍ଲା ଚିକିତ୍ସାଳୟରେ ବସିଥିଲା ଆରକେଏସ ବୈଠକ। ଏହାପରେ ସେହିବର୍ଷ ନଭେମ୍ବର ମାସରେ ବସିବା କଥା କିନ୍ତୁ ମେଡିକାଲର ବିରିଷ୍ଠ ଅଧିକାରୀଙ୍କ ଅଦଳବଦଳ ହେତୁ ଏହା ହୋଇପାରି ନ ଥିଲା। ଏହି ଅଦଳବଦଳ ପ୍ରିତ ତିନିମାସରେ ଥରେ ହେଉଥିବାରୁ ଫାଇଲ ପକ୍ରିୟାରେ ବିଳମ୍ବ ହେଉଥିବା ଜଣାପଡିଛି।
ଏହାପରେ ୨୦୨୦ ମସିହାର ଡିସେମ୍ବରରୁ ମାର୍ଚ୍ଚ ମଧ୍ୟରେ ହେବାର ନିୟମ ରହିଥିଲା। କିନ୍ତୁ ଠିକଣା ସମୟରେ କରୋନା କଟକଣା ଲାଗିବାରୁ ଏହା ହୋଇପାରି ନାହିଁ। କିନ୍ତୁ ଏକାଧିକ ଥର ୫ଟି ସଚିବ ଏହି ହସ୍ପିଟାଲକୁ ଆସି ସମୀକ୍ଷା କରିଥିଲେ ମଧ୍ୟ ଆରକେଏସ ବୈଠକ ହୋଇପାରି ନ ଜଣାପଡିଛି। ତେବେ ଏହି ବୈଠକ ନ ବସିଲେ ସମସ୍ୟାର ଚିହ୍ନଟ, ନିରାକରଣ, ଭିତ୍ତିଭୂମି ବିକାଶ, ଡାକ୍ତରଙ୍କ ଅଭାବୀ ପୂରଣ, ଔଷଧ ବିତରଣ, ପରିମଳ, ସ୍ବଚ୍ଛତା, ବର୍ୟ୍ୟବସ୍ତୁ ପରିଚାଳନା, ଅଭିଯୋଗ ପ୍ରତିକାର ପରିଚାଳନା, କେନ୍ଦ୍ରୀୟ ପଞ୍ଜୀକରଣ ସହ ବିଭିନ୍ନ ବିଭାଗରେ ଡାକ୍ତର ଅନୁପସ୍ଥିତ ଇତ୍ୟାଦି ଆଲୋଚନା ହେବା କଥା। କିନ୍ତୁ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଅନୁପସ୍ଥିତି ସହ ବାରମ୍ବାର ଜିଲ୍ଲାସ୍ତରୀୟ ମେଡିକାଲ କର୍ମଚାରୀଙ୍କର ପରିବର୍ତ୍ତନ ଏହି ବୈଠକ ବସିବା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ବୈଠକରେ ସ୍ଥାନୀୟ ପ୍ରତିନିଧି ଯଥା ଏମଏଲଏ/ଏମପି, ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀ, ସ୍ଥାନୀୟ ଜିଲ୍ଲା ପ୍ରଶାସନ, ବିଭିନ୍ନ ଗୋଷ୍ଠୀର ସଦସ୍ୟ, ବିଭିନ୍ନ ସିଏଚସି/ପିଏଚସିର ମୁଖ୍ୟ, ଭାରତୀୟ ମେଡିକାଲ ଆସୋସିଏସନର ପ୍ରତିନିଧିଙ୍କ ସହ ସ୍ଥାନୀୟ ପଞ୍ଚାୟତରାଜ ବିଭାଗର ମୁଖ୍ୟ ରହିବାର ଯୋଜନା ରହିଛି।
ଏନେଇ ଜିଲ୍ଲା ଚିକିତ୍ସାଳୟର ପରିଚାଳକ ବିଧାବସୁ ରାଉତ କହିଛନ୍ତି ଯେ ଗତ ଅଗଷ୍ଟ ମାସରୁ ରୋଗୀ କଲ୍ୟାଣ ସମିତି ବୈଠକ ବସିନାହିଁ। କିନ୍ତୁ ଗତବର୍ଷ ୫ଟି ସଚିବ ଆସି ସମୀକ୍ଷା କରି ଫେରିଯାଇଛନ୍ତି। ତେବେ ୨୦୨୧ ଜାନୁଆରୀ ମାସରେ ଏହି ବୈଠକ ବସିବା ନେଇ ଜିଲ୍ଲାପାଳଙ୍କ ନିକଟକୁ ଫାଇଲକୁ ଯାଇଛି। ସେଠାରୁ ଅନୁମତି ମିଳିବା ପରେ ବୈଠକ ବସିବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/1609159519652.jpg)