ଜୟପୁର: ରାସ୍ତା କଡରେ ଜମୁଛି ଆଡ୍ଡା। ବାଇକୁ ବାଇକ ଲଗାଇ ବସୁଛନ୍ତି। ବିଭିନ୍ନ ସରକାରୀ ଓ ବେସରକାରୀ କଲେଜ ତଥା ହଷ୍ଟେଲ ଏମାନଙ୍କ ପେଣ୍ଠସ୍ଥଳୀ। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ବାଇକରେ ବୁଲିବା ଓ ସ୍କୁଲ ତଥା କଲେଜ ଛାତ୍ରୀଙ୍କୁ କମେଣ୍ଟ କରିବା ନିତି ଦିନିଆ କାମ। ଟ୍ୟୁସନ ହବ କୁହାଯାଉଥିବା ସ୍ଥାନୀୟ ରାଜନଗର, ଦାଶ ସାହି, ପାଇଲ ସାହି, ପିଆର ପେଟା, ପାରାବେଡ଼ା, େଓ୍ଵଲକମ୍ ଜଙ୍କସନରେ ଘେରା ମାରି କଲେଜ ପଢୁଆ ଯୁବତୀ, କର୍ମଜୀବୀ ମହିଳା, ନର୍ସିଂ ଛାତ୍ରୀ ଓ ମଧ୍ୟମ ବୟସ୍କ ମହିଳାଙ୍କୁ କମେଣ୍ଟ ମାରିବାକୁ ପଛାଉ ନାହାନ୍ତି। ଏମିତି ଚାଲିଛି ଜୟପୁର ସହରରେ ରୋଡ ରୋମିଓଙ୍କ ରାଜ୍। ଆଜି ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା େଓ୍ଵଲକମ ଜଙ୍କସନରେ। ସ୍ଥାନୀୟ ଭିଡି କଲେଜ ଓ ସରକାରୀ ମହିଳା କଲେଜରୁ କିଛି ଯୁବତୀ ଫେରୁଥିବା ବେଳେ ଦ୍ରୁତ ଗତିରେ ଆସି ସେମାନଙ୍କ ପାଖରେ ଗତି କମାଇ ଦେଇଥିଲା। ଯୁବତୀଙ୍କୁ କିଛି କହିବାରୁ ସେମାନେ ଏହାର ପ୍ରତିବାଦ କରିଥିଲେ। ଏସବୁ ଦୃଶ୍ୟକୁ ସ୍ଥାନୀୟ କିଛି ଲୋକ ଦେଖିଥିଲେ ହେଁ ଆଦୌ ପ୍ରତିବାଦ କରି ନଥିଲେ। ଜଳକା ହୋଇ ଦୃଶ୍ୟକୁ ବେଶ୍ ଉପଭୋଗ କରିଥିଲେ। ନିକଟରେ ଥିବା ପୁଲିସକୁ ଯୁବତୀମାନେ ଏନେଇ କହିଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା।
ଜୟପୁର ପୁଲିସ ହେଲମେଟ୍ ଚେକିଂରେ ବ୍ୟସ୍ତ ରହିଥିବା ବେଳେ ଏହାର ସୁଯୋଗ ନେଉଛନ୍ତି ରୋଡ ରୋମିଓ। ଦ୍ରୁତ ଗତି ଓ କର୍ଣ୍ଣଭେଦି ହର୍ଣ୍ଣରେ ଲୋକଙ୍କୁ ଅତିଷ୍ଠ କରୁଛନ୍ତି। ବିଭିନ୍ନ ଛକରେ ଜଗୁଥିବା ଟ୍ରାଫିକ ପୁଲିସ ବି ସେଥିପ୍ରତି ବିଶେଷ ଧ୍ୟାନ ଦେଉ ନାହିଁ। ଏଭଳି ଘଟଣା ଜୟପୁର ଭଳି ସହରରେ ବଢି ଚାଲିଥିବା ବେଳେ ଛାତ୍ରୀ ଓ ଯୁବତୀମାନେ ଅସୁରକ୍ଷିତ ମଣିଲେଣି।
ଏନେଇ ବୁଦ୍ଧିଜୀବୀ ଶରତ ପାଢୀ କହିଛନ୍ତି ଯେ ଦିନକୁ ଦିନ ସହରରେ ଟ୍ରାଫିକ ବ୍ୟବସ୍ଥା ବିଗୁଡୁଥିବା ବେଳେ ରୋଡ ରୋମିଓଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ଛକ ଛକରେ ଏମାନେ ବାଇକ ଉପରେ ବସି ଯାଆସ କରୁଥିବା ଯୁବତୀଙ୍କୁ ହଇରାଣ କରିବା ସହ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରୁଛନ୍ତି। ଏନେଇ କିଏ ପ୍ରତିବାଦ କଲେ ସେମାନେ ରୀତିମତ ହଇରାଣ ହରକତ କରୁଥିବା ବେଳେ ଉପସ୍ଥିତ ଥିବା ପିସିଆର ବାଇକ୍ ସେମାନଙ୍କୁ ଦେଖି ନ ଦେଖିଲା ପରି ରହୁଥିବା ସେ ଅଭିଯୋଗ କରିଛନ୍ତି।
ଏନେଇ ଟାଉନଥାନା ଅଧିକାରୀ ପ୍ରିୟଷ ଛୋଟରାୟ କହିଛନ୍ତି ଯେ ଆମେ ଜନସାଧାରଣଙ୍କୁ ସବୁବେଳେ ଅନୁରୋଧ କରୁଛୁ କି ସେମାନେ ସ୍ପିଡ ବାଇକିଂ କରୁଥିବା ବାଇକର ନମ୍ବର ଟିପି ଆମକୁ ଦିଅନ୍ତୁ। ଆମ ପିସିଆର ବାଇକ୍ ତୁରନ୍ତ ପହଞ୍ଚି ସେମାନଙ୍କୁ ଆଇନ ଅନୁସାରେ ଯାହା କରାଯିବା କଥା କରାଯିବ। ଏହାସହ କମେଣ୍ଟ ପାସ୍ ଓ ମହିଳାଙ୍କ ସୁରକ୍ଷା ପାଇଁ ଆମର ଏକ ଟିମ୍ ସହର ସାରା ପଇଁତରା ମାରୁଛନ୍ତି। ନଜର ପଡିଲେ ସେମାନଙ୍କୁ ଥାନାକୁ ଆଣି ପଚରା ଉଚୁରା କରୁଛନ୍ତି ବୋଲି ସେ କହିଛନ୍ତି।
ବଢ଼ୁଛି ରୋଡ ରୋମିଓଙ୍କ ଉତ୍ପାତ
/sambad/media/post_attachments/wp-content/uploads/2018/03/declaration-of-love_23-2147517078-2.jpg)