କୋରାପୁଟ: ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୪ଜଣ ଛାତ୍ରଛାତ୍ରୀଙ୍କ ଶେଷକୃତ୍ୟ ଆଜି ଶୋକାକୁଳ ପରିବେଶରେ ଶେଷ ହୋଇଛି। ବନ୍ଧୁ, ପରିଜନ, ସାଙ୍ଗସାଥୀ ଏମାନଙ୍କୁ ଅଶ୍ରୁଳ ବିଦାୟ ଦେଇଛନ୍ତି। କାନ୍ଦ ବୋବାଳିରେ ଡାକ୍ତରଖାନା, ସେମାନଙ୍କ ଘର ଫାଟି ପଡିଛି। ଏହି ଦୁର୍ଘଟଣାକୁ ନେଇ ସାରା କୋରାପୁଟରେ ଶୋକର ଛାୟା ଖେଳି ଯାଇଥିଲାବେଳେ ଏଥିନେଇ ସବୁଠି ଚର୍ଚ୍ଚା ଲାଗି ରହିଛି।
କୋରାପୁଟ ଉପକଣ୍ଠ କଫି ବୋର୍ଡ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ ହୁଣ୍ଡାଇ କାର(ଓଡ଼ି-୧୦-ଡି-୬୫୭୮) ସହ ଏକ ଟିପର ମୁହାଁମୁହିଁ ଧକ୍କା ହେବା ଫଳରେ ୪ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା। କାର୍‌ଚଳାଉଥିବା ରେଳବାଇ କଲୋନିର ରବୀନ୍ଦ୍ର କୁମାର ପାତ୍ରଙ୍କ ପୁଅ ରାଜୀବ ପାତ୍ର(୧୬ବର୍ଷ)ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲାବେଳେ ତାଙ୍କ ସାନ ଭାଇ ରୁବେନ ପାତ୍ର(୧୫ବର୍ଷ), କୋରାପୁଟ ଓଏମପି କଲୋନିର ଗୋକୁଳ ଭଂଜଙ୍କ ଝିଅ ନିହାରିକା(୧୫ବର୍ଷ), ସୁନାପୁରର ଜଗନ୍ନାଥ ରାଓଙ୍କ ଝିଅ ଏସ. ଜୟଶ୍ରୀ(୧୫ବର୍ଷ)ଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ରାଜୀବ ବିଜ୍ଞାନ କଲେଜରେ ଯୁକ୍ତ ଦୁଇ ପଢୁଥିଲାବେଳେ ଅନ୍ୟ ୩ଜଣ କେନ୍ଦ୍ରୀୟ ବିଦ୍ୟାଳୟର ଦଶମ ଶ୍ରେଣୀରେ ପଢୁଥିଲେ। ସ୍କୁଲରେ ବିଦାୟ ଭୋଜିରେ ଯୋଗ ଦେଇ ଫଟୋ ଉଠାଇବାକୁ ଯାଉଥିଲାବେଳେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।
ଆଜି ସକାଳେ ଏହି ୪ଜଣ ଛାତ୍ରଛାତ୍ରୀଙ୍କ ଶବ ବ୍ୟବଛେଦ କରାଯାଇଥିଲା। ପ୍ରଥମେ ଦୁଇ ଛାତ୍ରୀଙ୍କ ଶବ ବ୍ୟବଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ପରେ ଦୁଇ ଭାଇ ରାଜୀବ ଓ ରୁବେନଙ୍କ ଶବ ବ୍ୟବଛେଦ କରାଯାଇଥିଲା। ଏହି ସମୟରେ ମେଡିକାଲ ପରିସରରେ ଶୋକର ବାତାବରଣ ସୃଷ୍ଟି ହୋଇଥିଲା। ଆତ୍ମୀୟଙ୍କ କାନ୍ଦ ବୋବାଳିରେ ପରିବେଶ ଶୋକାକୁଳ ହୋଇଥିଲାବେଳେ ବହୁ ଲୋକ ସେଠାରେ ପହଞ୍ଚି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ। କୋରାପୁଟ ସାଂସଦ ଝିନ୍ନ ହିକକା, ପୁର୍ବତନ ବିଧାୟକ ରଘୁରାମ ପଡାଲ ପ୍ରମୁଖ ଶବ ବ୍ୟବଛେଦ ସମୟରେ ପରିବାର ଲୋକଙ୍କୁ ସାନ୍ତ୍ୱନା ଜଣାଇଥିଲେ। କୋରାପୁଟ ଏସପି ଡଃ କନଓ୍ଵର ବିଶାଳ ସିଂହ ମଧ୍ୟ ସେଠାରେ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରିଥିଲେ। ପରିବାର ଲୋକଙ୍କୁ ଶବ ହସ୍ତାନ୍ତର ପରେ ଶୋକାକୁଳ ପରିବେଶରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।
ଡକାଡକି ହୋଇ ସ୍କୁଲ ଯାଉଥିଲେ, ଶ୍ମଶାନକୁ ବି ଗଲେ
ନିହାରିକା ଓ ଜୟଶ୍ରୀ ଥିଲେ ଅନ୍ତରଙ୍ଗ ସାଙ୍ଗ। ନିତି ଡକାଡକି ହୋଇ ସ୍କୁଲ ଯାଉଥିଲେ। ଆଜି ସାଙ୍ଗ ହୋଇ ଶ୍ମଶାନକୁ ଚାଲିଗଲେ। ସବୁବେଳେ ଏକାଠି ଚଳୁଥିବା ଏହି ଦୁଇ ସାଙ୍ଗଙ୍କର ଜୁଇ ଆଜି ଏକାଠି ବି ଜଳିଥିଲା। ସୁନାପୁର ଶ୍ମଶାନର ଏହି ଦୃଶ୍ୟ ଆଜି ପରିବାର ଲୋକଙ୍କ ଆଖିରେ ଲୁହ ଆଣିଥିଲାବେଳେ ଅନ୍ୟମାନେ ମଧ୍ୟ କୋହ ସମ୍ଭାଳି ପାରି ନ ଥିଲେ। ନିହାରିକା ଓଏମପି କଲୋନିରେ ରହୁଥିଲାବେଳେ ଜୟଶ୍ରୀ ସୁନାପୁରରେ ରହୁଥିଲେ। ଉଭୟଙ୍କର ବାପା କୋରାପୁଟ ଓଏସଏପି ତୃତୀୟ ବାଟାଲିୟନର କର୍ମଚାରୀ। ପାଖାପାଖି ରହୁଥିବାରୁ ନିହାରିକା ଓ ଜୟଶ୍ରୀ ଭଲ ସାଙ୍ଗ ହୋଇ ଯାଇଥିଲେ। ସ୍କୁଲ, ଟ୍ୟୁସନ ଆଦି ସାଙ୍ଗ ହୋଇ ଯାଉଥିଲେ। ପରୀକ୍ଷା ପାଇଁ ପ୍ରସ୍ତୁତି ମଧ୍ୟ ଏକା ସାଙ୍ଗରେ କରୁଥିଲେ। କିନ୍ତୁ ଏମିତି ବନ୍ଧୁତ୍ୱକୁ ଯେମିତି ଦଇବ ସହିଲାନି। ଅକାଳରେ ଦୁଇ ବନ୍ଧୁଙ୍କ ଜୀବନ ନେଇଗଲା। ଆଜି ନିହାରିକାଙ୍କ ମୃତଦେହ ଜୟଶ୍ରୀଙ୍କ ଘର ଦେଇ ଯାଇଥିଲା। ସତେ ଯେମିତି ସେ ଜୟଶ୍ରୀକୁ ଡାକିବାକୁ ଆସିଥିଲେ। ପରେ ଉଠିଥିଲା ଜୟଶ୍ରୀଙ୍କ ଶବ। ଦୁଇ ଶବ ସୁନାପୁର ଶ୍ମଶାନରେ ପହଞ୍ଚିବା ପରେ ଏକା ସାଙ୍ଗରେ ଦୁହିଁଙ୍କ ଚିତା ଜଳିଥିଲା।
କ୍ଷତିପୂରଣକୁ ନେଇ ଉତ୍ତେଜନା
ଦୁର୍ଘଟଣାରେ ୪ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ପରେ ସଡକ ସୁରକ୍ଷା ନେଇ ଉଠିଛି ପ୍ରଶ୍ନ। କେଉଁ ପରିସ୍ଥିତିରେ ଏଇ ଦୁର୍ଘଟଣା ଘଟିଲା, ଏଥିପାଇଁ ଦାୟୀ କିଏ ତାହାକୁ ନେଇ ଆରମ୍ଭ ହୋଇଛି ଆଲୋଚନା। ଦୃତଗତିରେ ଗାଡି ଚାଳନାକୁ କେହି କେହି ଦାୟୀ କରୁଥିଲାବେଳେ ସଚେତନତାର ଅଭାବ ପାଇଁ ଏମିତି ଦୁର୍ଘଟଣା ବାରମ୍ବାର ଘଟୁଥିବା ଚର୍ଚ୍ଚା ହେଉଛି। ସେହିପରି ନାବାଳକଙ୍କ ହାତରେ ଗାଡି ଦେବା ବି ବିପଦଜନକ ହେଉଥିବା କୁହାଯାଇଛି। ତେବେ ଏହି ଦୁର୍ଘଟଣା ଘଟାଇଥିବା ଗାଡି ଡ୍ରାଇଭର ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଆଜି ମୃତକଙ୍କ ସଂପର୍କୀୟମାନେ ପାଟିତୁଣ୍ଡ କରିଥିଲେ। ଗାଡି ମାଲିକଙ୍କ ପକ୍ଷରୁ କ୍ଷତିପୂରଣ ପ୍ରଦାନ କରିବାକୁ ସେମାନେ ଅଡି ବସିଥିଲେ। ଏହାକୁ ନେଇ ମେଡିକାଲରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲାବେଳେ ପୁଲିସ ଆଲୋଚନା କରି ଏହାକୁ ସମାଧାନ କରିଥିଲା।