ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗରେ ଗ୍ରାମୀଣ ଡାକ ସେବକ ଗିରଫ

ନାରାୟଣପାଟଣା: ନାରାୟଣପାଟଣା ବ୍ଲକ ଡାକ ବିଭାଗରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗରେ ଗ୍ରାମୀଣ ଡାକ ସେବକ ବୃନ୍ଦାବନ ଦଳେଇଙ୍କୁ ଗିରଫ କରାଯାଇଛି। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ନାରାୟଣପାଟଣା ଥାନା ଅଧିକାରୀ।
ନାରାୟଣପାଟଣା ଡାକଘରେ ଜମାଖାତାରୁ ଟଙ୍କା ଗାଏବ ଘଟଣାରେ ଶେଷରେ ପୁଲିସ ଫେରାର ଥିବା ଡାକ ବିଭାଗ କର୍ମଚାରୀ ବୃନ୍ଦାବନ ଦଳପତି (କୁନୁ)କୁ ଗିରଫ କରିବାରେ ସଫଳ ହୋଇଛି। କୁନୁ ରାୟଗଡ଼ା ଜିଲ୍ଲା ବିଷମକଟକ ଅଞ୍ଚଳରେ ନିଜ ସଂପର୍କୀୟଙ୍କ ଘରେ ଲୁଚି ରହିଥିବା ନେଇ ସ୍ଥାନୀୟ ପୁଲିସ ଜାଣିବାକୁ ପାଇଥିଲା। ଏହାପରେ ପୁଲିସର ଏକ ଟିମ୍ ଉକ୍ତ ଅଞ୍ଚଳରେ ଚଢ଼ଉ କରି କୁନୁଙ୍କୁ ଗିରଫ କରି ନାରାୟଣପାଟଣା ଆଣି ଥାନାରେ ଅଟକ ରଖି ପଚରାଉଚରା କରିଥିଲା। ତେବେ ଟଙ୍କା ହଡ଼ପ ଘଟଣା ସଂପର୍କରେ କୁନୁଙ୍କୁ ପଚାରିବାରୁ ବ୍ୟବସାୟରେ କ୍ଷତି ହୋଇଥିବା କହିଛନ୍ତି। ପୁଲିସକୁ ପଚାରିବାରୁ ତଦନ୍ତ ଚାଲିଥିବା ଥାନା ଅଧିକାରୀ କହିଛନ୍ତି। ଶେଷରେ ଅଭିଯୁକ୍ତକୁ ଗିରଫ କରିବାରେ ପୁଲିସ ସଫଳ ହେଲା। ହେଲେ ଜମାକାରୀ ସେମାନଙ୍କ ଟଙ୍କା କେବେ ଫେରିପାଇବେ ତାହା ଦେଖିବାକୁ ବାକି ରହିଲା।
ସୂଚନା ଥାଉକି, କୁଲି ମଜୁରି କରି କଷ୍ଟାର୍ଜିତ ଟଙ୍କା ସଂଚୟ କରିବା ଉଦ୍ଦେଶ୍ୟରେ ନାରାୟଣପାଟଣା ଅଞ୍ଚଳର ଅନେକ ଲୋକ ଡାକଘରେ ଆକାଉଣ୍ଟ ଖୋଲି ଟଙ୍କା ଜମା କରିଥିଲେ। ହେଲେ ଆବଶ୍ୟକ ସମୟରେ ଟଙ୍କା ଉଠାଇବା ପାଇଁ ଡାକଘରକୁ ଗଲା ବେଳକୁ ଆକାଉଣ୍ଟରେ ଟଙ୍କା ନଥିବା ଜଣାପଡ଼ିବା ପରେ ହିତାଧିକାରୀଙ୍କ ହୋସ୍ ଉଡ଼ିଯାଇଛି। ଏମିତି ଜଣେ କି ଦି ଜଣ ନୁହଁ ଶତାଧିକ ଜମାକାରୀଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ ହୋଇଥିବା ଜଣାପଡ଼ିଥିଲା। ପ୍ରଥମେ ନାରାୟଣପାଟଣା ବ୍ଲକ୍ ସଦର ମହକୁମା ଉପକଣ୍ଠସ୍ଥ ପାଲାପୁଟ ଗ୍ରାମର ଲାଛି ହୁଇକାଙ୍କ ଆକାଉଣ୍ଟରୁ ଟଙ୍କା ହଡ଼ପ ହୋଇଥିବା ଜଣାପଡ଼ିଥିଲା। ସେ ଗତ ୨୦୧୯ ମସିହାରେ ଆକାଉଣ୍ଟ ଖୋଲିଥିଲା ବେଳେ ତାଙ୍କ ଆକାଉଣ୍ଟ ନମ୍ବର ୪୩୩୩୨୩୧୯୮୮ ରହିଛି। ତେବେ ୨୦୨୧ ମସିହା ଅକ୍ଟୋବର ୨୭ ତାରିଖ ଦିନ ଲାଛି ତାଙ୍କ ଆକାଉଣ୍ଟରୁ ୧୦ହଜାର ଟଙ୍କା ଉଠାଇଥିଲେ। ଏହାପରେ ଜମାଖାତାରେ ୪୯୪୦୭ ଟଙ୍କା ବଳକା ରହିଥିଲା। ଏହାର କିଛିଦିନ ପରେ ଲାଛି ହୁଇକା ନାରାୟଣପାଟଣା ପୋଷ୍ଟ ଅଫିସକୁ ୧୫ହଜାର ଟଙ୍କା ନିଜ ଆକାଉଣ୍ଟରେ ଜମା କରିଥିଲେ। ଲାଛି ହୁଇକା ଆଦିବାସୀ ଏବଂ ଅଶିକ୍ଷିତ ହୋଇଥିବାରୁ ସେହି ସମୟରେ ଡାକଘରେ ପ୍ୟାକେଜ୍ ଏବଂ ଷ୍ଟାମ୍ପ ମ୍ୟାନ୍ ଭାବେ ଚାକିରି କରୁଥିବା ଏହି ଅଞ୍ଚଳରେ ସେଣ୍ଟ୍ରାଲ ନାମରେ ପରିଚିତ କୁନୁଙ୍କୁ ଡିପୋଜିଟ୍ ଫର୍ମ ପୂରଣ କରିବାକୁ ଲାଛି କହିଥିଲେ। କିନ୍ତୁ କୁନୁ ଆଦିବାସୀଙ୍କ ସରଳତାର ସୁଯୋଗ ନେଇ ଡିପୋଜିଟ୍ ଫର୍ମ ପୂରଣ କରିବା ବଦଳରେ ଟଙ୍କା ଉଠାଣ ଫର୍ମରେ ଟିପଚିହ୍ନ ନେଇଯାଇଥିଲେ। ଏଥିସହ ଗୋଟିଏ ସାଧା କାଗଜରେ ୧୫ହଜାର ଟଙ୍କା ଜମା କରିବା ଏବଂ ଆକାଉଣ୍ଟରେ ବଳକା ରହିଥିବା ଟଙ୍କା ଲେଖି ପାସବୁକ୍ ସହିତ ହିତାଧିକାରୀଙ୍କୁ ଧରାଇ ଦେଇଥିଲେ। ଲାଛି ପାକବୁକ୍ ଧରି ଘରକୁ ଫେରି ଯାଇଥିଲେ। ତେବେ ଗତକାଲି ଲାଛି ହୁଇକା ନିଜ ପାସବୁକ୍ ଧରି ପୋଷ୍ଟ ଅଫିସକୁ ଟଙ୍କା ଉଠାଇବାକୁ ଆସିଥିଲେ। ପାସବୁକ୍ ଯାଞ୍ଚ ପରେ ତାଙ୍କ ଆକାଉଣ୍ଟରୁ ଚଳିତ ମାସ ୯ ତାରିଖରେ ୩୦ ହଜାର ଟଙ୍କା ଉଠାଣ ହୋଇଥିବା ଏବଂ ବର୍ତ୍ତମାନ ଆକାଉଣ୍ଟରେ ୧୯୪୦୭ ଟଙ୍କା ଜମା ରହିଥିବା ଜାଣିବା ପରେ ତାଜୁବ୍ ହୋଇଯାଇଥିଲେ।

ଏହାକୁ ବିଶ୍ବାସ ନକରି କିଛି ଦିନ ତଳେ ପୋଷ୍ଟ ଅଫିସକୁ ଆସି ୧୫ହଜାର ଟଙ୍କା ଜମା କରିଥିବା ଏବଂ ଏନେଇ କୁନୁ ଏକ ସାଧା କାଗଜରେ ଲିଖିତ ଦେଇଥିବା କାଗଜଟିକୁ ପୋଷ୍ଟ ମାଷ୍ଟରଙ୍କୁ ଦେଖାଇଥିଲେ। ହେଲେ ପୋଷ୍ଟ ମାଷ୍ଟର କିଛି କରିପାରିବେ ନାହିଁ ବୋଲି ସିଧାସଳଖ କହିଦେବାରୁ ହିତାଧିକାରୀ ଲାଛି ନିରାଶ ହୋଇ ଗାଁକୁ ଫେରି ଘଟଣା ସଂପର୍କରେ ଜଣାଇଥିଲେ। ଏହି ଖବର ଚାରିଆଡ଼େ ପ୍ରଚାର ହେବା ପରେ ଆଜି ପାଲାପୁଟ ସମେତ ଆଖପାଖ ଅଞ୍ଚଳର ପ୍ରାୟ ୩୦ରୁ ଊର୍ଦ୍ଧ୍ବ ଜମାଖାତାଧାରୀ ପୋଷ୍ଟ ଅଫିସକୁ ଆସି ସେମାନଙ୍କ ପାସବୁକ୍ ଅପଡେଟ୍ କରାଇଥିଲେ। ତେବେ ସେମାନଙ୍କ ଆକାଉଣ୍ଟରୁ ମଧ୍ୟ ଟଙ୍କା ହଡ଼ପ ହୋଇଥିବା ଜଣାପଡ଼ିଥିଲା। ତେବେ ଅଭିଯୁକ୍ତ ସିନା ଧରାପଡ଼ିଲା ହେଲେ ଜମାକାରୀ ସେମାନଙ୍କ ଟଙ୍କା କେବେ ଫେରିପାଇବେ ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର