ଧରାପଡ଼ିଲା ଚନ୍ଦନ କାଠ ମାଫିଆ:୪୮୯ କେଜି ଚନ୍ଦନ କାଠ ଜବତ, ଜଣେ ଗିରଫ

କୋରାପୁଟ: କୋରାପୁଟ ବନଖଣ୍ଡ ଏନଫୋର୍ସମେଣ୍ଟ ଟିମ୍ ଜଣେ କୁଖ୍ୟାତ ଆନ୍ତଃରାଜ୍ୟ ଚନ୍ଦନ କାଠ ଚୋରା ଚାଲାଣକାରୀଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ ହେଲେ ପାଡୁଆ ଥାନା ପୂଜାରୀପୁଟ ଗ୍ରାମର ନିମାଁଇ ବଳ। ଏକ ନିର୍ଦ୍ଦିଷ୍ଟ ସୂତ୍ରରୁ ଖବର ପାଇ ଗତକାଲି ରାତିରେ ବନ ବିଭାଗ ପକ୍ଷରୁ ନିମାଇଁଙ୍କ ଘରେ ଚଢ଼ାଉ କରାଯାଇଥିଲା। ଏହି ସମୟରେ ଅଭିଯୁକ୍ତ ନିମାଇଁଙ୍କ ଘରୁ ୨୦ବସ୍ତା ଚନ୍ଦନ କାଠ ମିଳିଥିଲା। ଏହାର ଓଜନ ୩୮୮ କେଜି। ସେ ଏଠାରୁ କଲିକତା ପଠାଇବା ପାଇଁ ଏହି ଚନ୍ଦନ କାଠ ରଖିଥିବା ସ୍ବୀକାର କରିଛନ୍ତି। ବନବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସେ କୋରାପୁଟର ବିଭିନ୍ନ ସ୍ଥାନରୁ କେଜି ପିଛା ୫ଶହ ଟଙ୍କାରେ ଚନ୍ଦନ କାଠ କିଣୁଥିଲେ। ପରେ କିଲୋ ପ୍ରତି ହଜାରେ ଟଙ୍କା ଦରରେ ଏହାକୁ ରାଜ୍ୟ ବାହାରେ ବିକ୍ରି କରୁଥିଲେ। ବିଶେଷକରି କଲିକତାକୁ ଏଠାରୁ ଚନ୍ଦନ କାଠ ପଠାଉଥିଲେ। ସେହିପରି ଗ୍ରାମ ପାଖରୁ ବନ ବିଭାଗ ୭ ବସ୍ତା ଚନ୍ଦନ କାଠ ପାଇଛି। ଏଥିରେ ୧୦୧ କେଜି କାଠ ରହିଥିଲା। ତେବେ ଏହା କିଏ ରଖିଥିଲା ତାହା ଜଣା ପଡିନାହିଁ। ଏଥିନେଇ ଅଧିକ ତଦନ୍ତ ଚାଲିଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ଅଭିଯୁକ୍ତ ନିମାଇ ବଳଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଥିବା କୋରାପୁଟ ରେଂଜ ଅଧିକାରୀ ସୁବାସ ଚନ୍ଦ୍ର ଖୁଂଟିଆ ସୂଚନା ଦେଇଛନ୍ତି। ଏହି ଚଢ଼ାଉରେ ଏସିଏଫ ଉମା ମହେଶ, ଡେପୁଟି ରେଂଜର ଆନନ୍ଦ କିର୍ସାନୀ, ଫରେଷ୍ଟର ଏନ.ନିରଞ୍ଜନ ଶତପଥୀଙ୍କ ସମେତ ବିନ ବିଭାଗ ଅନ୍ୟ କର୍ମଚାରୀ ସାମିଲ ଥିଲେ।

ସମ୍ବନ୍ଧିତ ଖବର