କୋରାପୁଟ: କୋରାପୁଟ ଜିଲ୍ଲାରେ ୩୩୩ଟି ପ୍ରାଥମିକ ବିଦ୍ୟାଳୟ ବନ୍ଦ ହେବ। ଏହି ବିଦ୍ୟାଳୟଗୁଡିକରେ ଉପସ୍ଥାନ ୨୦ କିମ୍ବା ଏହାଠାରୁ କମ୍ ହୋଇଥିବାରୁ ଏଗୁଡିକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ସେହିପରି ୨୦ରୁ ଅଧିକ ଛାତ୍ରଛାତ୍ରୀ ଥିଲେ ମଧ୍ୟ ୧ କିମି ଦୂରତା ଭିତରେ ଅନ୍ୟ ବିଦ୍ୟାଳୟ ଥିବାରୁ ଆଉ ୩୬ଟି ବିଦ୍ୟାଳୟ ବନ୍ଦ ହେବ। ଏମିତିରେ ଜିଲ୍ଲାରୁ ୩୬୯ ଟି ବିଦ୍ୟାଳୟ ଇତିହାସ ପାଲଟିବାକୁ ଯାଉଛି। ଅପରପକ୍ଷରେ ୧୧୭ଟି ବିଦ୍ୟାଳୟରୁ ଷଷ୍ଠରୁ ଅଷ୍ଟମ ଶ୍ରେଣୀରକୁ ବାଦ ଦିଆଯାଇ କେବଳ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ପାଠ ପଢା ହେବ। ଏଥିନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ବନ୍ଦ ହେବାକୁ ଥିବା ଏହି ସ୍କୁଲଗୁଡିକ ନିକଟସ୍ଥ ବିଦ୍ୟାଳୟ ମିଶ୍ରଣ କରାଯିବ। ଏଠାରେ ଥିବା ଶିକ୍ଷକଙ୍କୁ ଅନ୍ୟ ସ୍କୁଲଗୁଡିକୁ ବଦଳି କରାଯିବ। ସେହିପରି ଛାତ୍ରଛାତ୍ରୀଙ୍କୁ ନିକଟସ୍ଥ ସ୍କୁଲରେ ପଢାଇବାର ବ୍ୟବସ୍ଥା କରାଯିବ।
ସରକାରୀ ବିଦ୍ୟାଳୟଗୁଡିକରେ କିଛି ବର୍ଷ ହେଲା ଛାତ୍ରଛାତ୍ରୀ କମିବାରେ ଲାଗିଛନ୍ତି। ସରକାରୀ ବିଦ୍ୟାଳୟ ପ୍ରତି ପିଲା ମୁହଁ ମୋଡିବା ପରେ ଉପସ୍ଥାନ କମ୍ ରହୁଛି। ଅପରପକ୍ଷରେ ବିଦ୍ୟାଳୟଗୁଡିକରେ ଅଧିକ ଛାତ୍ରଛାତ୍ରୀ ଦେଖାଇବା ପାଇଁ କୋରାପୁଟ ଜିଲ୍ଲାର କେତେକ ସ୍କୁଲରେ ଭୂତ ପିଲା ପଢୁଥିବା ଅଭିଯୋଗ ହେଉଥିଲା। ସ୍କୁଲରେ ଯେତିକି ପିଲା ନ ଥିବେ ତାକୁ ବଢାଇ ଚଢାଇ ଖାତାରେ ଦର୍ଶାଯାଉଥିଲା। ପ୍ରଶାସନ ପକ୍ଷରୁ ଏଥିରେ କଟକଣା ଲଗାଯିବା ପରେ ଜିଲ୍ଲାରେ ବହୁ ପିଲା କମି ଯାଇଛନ୍ତି। କିଛି ସ୍କୁଲରେ ଛାତ୍ରଛାତ୍ରୀଙ୍କ ସ˚ଖ୍ୟା ୨୦ କିମ୍ବା ଏହାଠାରୁ କମ୍ ରହିଥିଲେ। ଏମିତି ସ୍କୁଲକୁ ବନ୍ଦ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ କିଛି ମାନଦଣ୍ଡ ରଖାଯାଇଥିଲା। ପ୍ରଥମେ, ଯେଉଁ ସ୍କୁଲରେ ୨୦ କିମ୍ବା ଏହାଠାରୁ କମ ଛାତ୍ରଛାତ୍ରୀ ରହିଥିବେ। ଦ୍ବିତୀୟରେ, ବିଦ୍ୟାଳୟରେ ୨୦ରୁ ୨୫ ପିଲା ଥିଲେ ମଧ୍ୟ ୧ କିମି ଦୂରତା ଭିତରେ ଆଉ ଏକ ବିଦ୍ୟାଳୟ ରହିଥିଲେ ଏହାକୁ ବନ୍ଦ କରାଯିବ। ସେହିପରି ଯେଉଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡିକରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଅଳ୍ପ ପିଲା ହେଉଥିବେ, ସେଠାରେ କେବଳ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପଢାହେବ।
ସରକାରଙ୍କ ଏହି ନିଷ୍ପତ୍ତି ପରେ କୋରାପୁଟ ଜିଲ୍ଳାରେ ସର୍ଭେ କରାଯିବା ସହ ବିଭିନ୍ନ ବିଦ୍ୟାଳୟଗୁଡିକୁ ଯାଂଚ କରାଯାଇଥିଲା। ଏଥିରେ ଜଣାପଡିଥିଲା ଯେ, ନୂତନ ଶିକ୍ଷା ନିୟମ ଅନୁସାରେ, କୋରାପୁଟ ଜିଲ୍ଲାରେ ୪୯୪ ଟି ବିଦ୍ୟାଳୟ ବନ୍ଦ ହେବ ବୋଲି ଆଶଙ୍କା ପ୍ରକାଶ ପାଇଥିଲା। ଏଥିନେଇ ସରକାରଙ୍କୁ ମଧ୍ୟ ଅବଗତ କରାଯାଇଥିଲା। ତେବେ କିଛି ବିଦ୍ୟାଳୟ ସଂପର୍କରେ ପୁନଃ ବିଚାର କରିବା ପାଇଁ ସରକାର ଜିଲ୍ଲା ଶିକ୍ଷା ବିଭାଗକୁ ଜଣାଇଥିଲେ। ବିଭିନ୍ନ ମାନଦଣ୍ଡକୁ ଲକ୍ଷ୍ୟରେ ରଖି ଓ ଭୌଗଳିକ ପରିବେଶକୁ ଆଖି ଆଗରେ ରଖି ସରକାର ୩୬୯ ଟି ବିଦ୍ୟାଳୟକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିରେ ୩୩୩ଟି ବିଦ୍ୟାଳୟରେ ୨୦ କିମ୍ବା ଏହାଠାରୁ କମ ଛାତ୍ରଛାତ୍ରୀ ରହିଥିଲେ। ସେହିପରି ୨୦ରୁ ୨୫ ପିଲା ଥିଲେ ମଧ୍ୟ ୧ କିମି ଦୂରତା ଭିତରେ ଆଉ ଏକ ବିଦ୍ୟାଳୟ ଥିବାରୁ ଆଉ ୩୬ଟି ବିଦ୍ୟାଳୟକୁ ବନ୍ଦ କରି ଦିଆଯାଇଛି। ଅପରପକ୍ଷରେ ୧୧୭ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡିକରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଅଳ୍ପ ପିଲା ହେବାରୁ ଏଠାରେ କେବଳ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପଢାହେବ।
ଜିଲ୍ଳାରେ ଏବେ ପ୍ରାୟ ଅଢେଇ ହଜାର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଥିଲାବେଳେ ଏଥିରୁ ପାଖାପାଖି ୪ ଶହ ବିଦ୍ୟାଳୟ ବନ୍ଦ ହୋଇଯିବ। ଦଶମନ୍ତପୁର ବ୍ଲକରେ ସର୍ବାଧିକ ୬୬ ଟି ବିଦ୍ୟାଳୟ ବନ୍ଦ ହେବାକୁ ଯାଉଥିଲାବେଳେ କୁନ୍ଦୁରାରେ ସର୍ବନିମ୍ନ ୮ଟି ବିଦ୍ୟାଳୟ ବନ୍ଦ ହେବ ବୋଲି ଜଣାପଡିଛି। କୋରାପୁଟ ବ୍ଲକରେ ୨୭, କୋରାପୁଟ ପୌରାଞ୍ଚଳରେ ୭, ଜୟପୁର ବ୍ଲକରେ ୨୪ ଓ ପୌରାଞ୍ଚଳରେ ୩ଟି ବିଦ୍ୟାଳୟରେ ତାଲା ପଡିବ। ଏହି ବିଦ୍ୟାଳୟଗୁଡିକୁ ନିକଟସ୍ଥ ବିଦ୍ୟାଳୟ ସହ ମିଶ୍ରଣ କରି ଏଠାରେ ପୂର୍ବ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ନାମ ଲେଖା ହେବ। ସେହିପରି ଆବଶ୍ୟକତା ଅନୁସାରେ, ବନ୍ଦ ହେବାକୁ ଥିବା ବିଦ୍ୟାଳୟର ଶିକ୍ଷକଙ୍କୁ ନିକଟସ୍ଥ ବିଦ୍ୟାଳୟରେ ନିଯୁକ୍ତି ମିଳିବ। ଆବଶ୍ୟକତା ନ ଥିଲେ ଅନ୍ୟ କେଉଁ ବିଦ୍ୟାଳୟକୁ ବଦଳି କରାଯିବ ବୋଲି ଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/school.png)