ଡକାୟତି ଉଦ୍ୟମ ପଣ୍ଡ : ୭ଗିରଫ,୨ ବଲେରୋ ଓ ବାଇକ୍ ଜବତ

ବୋରିଗୁମ୍ମା : କୋରାପୁଟ ଜିଲ୍ଲା ବୋରିଗୁମ୍ମା ପୁଲିସକୁ ବଡ ଧରଣର ସଫଳତା ମିଳିଛି। ରାଜ୍ୟ ରାଜପଥ ଉପରେ ଡକାୟତି ପାଇଁ ଯୋଜନା କରୁଥିବା ୭ଜଣ ଦୁର୍ବୃତ୍ତଙ୍କୁ ପୁଲିସ ଗିରଫ କରିଛି। ‌ସେହିପରି ପୁଲିସ ୨ଟି ବଲେରୋ ଓ ଗୋଟିଏ ବାଇକ୍ ସହ ଦୁର୍ବୃତ୍ତଙ୍କ ଠାରୁ ଖଣ୍ଡା, ମାସ୍କ, ଲଙ୍କା ଗୁଣ୍ଡ ଆଦି ଜବତ କରିଛି।

ସୂଚନା ଅନୁଯାୟୀ, ଗତ ଶନିବାର ବିଳମ୍ବିତ ରାତିରେ ବୋରିଗୁମ୍ମା ଥାନା ଅନ୍ତର୍ଗତ ଚାରଗାଁ ଛକରେ କିଛି ଦୁର୍ବୃତ୍ତ ଡକାୟତି ପାଇଁ ଯୋଜନା କରୁଥିବା ନେଇ ବୋରିଗୁମ୍ମା ପୁଲିସ ନିକଟରେ ଖବର ପହଞ୍ଚିଥିଲା। ପରେ ଥାନା ଅଧିକାରୀ ସୁଦାମ ସାହୁଙ୍କ ନେତୃତ୍ବରେ ଏସ୍ଆଇ ଚିନ୍ତେଶ୍ବର ପଣ୍ଡା ଓ ଏକ ଟିମ୍ ଚାରଗାଁ ଛକରେ ଅତର୍କିତ ଭାବେ ଚଢାଉ କରି ଡକାୟତି ଯୋଜନା କରୁଥିବା ୭ଜଣ ଦୁର୍ବୃତ୍ତଙ୍କୁ ଗିରଫ କରିଥିଲେ। ପୁଲିସ ଏମାନଙ୍କ ଠାରୁ ୨ଟି ବଲେରୋ, ଗୋଟିଏ ବାଇକ୍ ସମେତ ଖଣ୍ଡା, ମାସ୍କ, ଲଙ୍କା ଗୁଣ୍ଡ ଆଦି ଜବତ କରିଥିଲା। ଏହି ଡକାୟତି ଉଦ୍ୟମ ଘଟଣାରେ କୋଟପାଡ ଅଞ୍ଚଳର ଲିମଧର ହିଆଲ, ମହମ୍ମଦ ଇକବାଲ ଓ ଫେଜ୍ ଖାନ୍‌, ମାଲକାନଗିରି ଅଞ୍ଚଳର କରୁଣାକର ନାଗା ଓ ଜିନମ ଶିବା କୁମାର, ସୁକମା ଅଞ୍ଚଳର ଭଦ୍ରାଞ୍ଚଳ ଛତ୍ରିଆ, ମୋଟୁ ଅଞ୍ଚଳର କେ. ସଦାନନ୍ଦ ରାଜୁଙ୍କୁ ଗିରଫ କରାଯାଇଥିବା ପୁଲିସ ସୂଚନା ଦେଇଛି। ଏନେଇ ବୋରିଗୁମ୍ମା ଥାନାରେ କେଶ୍ ନଂ- ୨୦୨/୧୮ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୁଦାମ ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର