ଟଙ୍କା ଲୁଟ୍ ଓ ଆତ୍ମସାତ ଯୋଜନା କରି ୬ଗିରଫ

ଲକ୍ଷ୍ମୀପୁର/କାକିରିଗୁମା: ଫାଇନାନସ କଂପାନିର ଟଙ୍କା ଆତ୍ମସାତ ମାମଲାରେ କଂପାନିର ଏଜେଣ୍ଟଙ୍କ ସମେତ ୬ଜଣଙ୍କୁ ଗିରଫ କରିଛି କାକିରିଗୁମା ପୁଲିସ। ଏସଡିପିଓ ତପନ ନାରାୟଣ ରଥ ସୂଚନା ଅନୁଯାୟୀ, ଏଲଆଣ୍ଡଟି କଂପାନିର ଏଜେଣ୍ଟ ଜଗନ୍ନାଥ ନାୟକ ୪ଦିନ ତଳେ ତୋୟାପୁଟ ଅଞ୍ଚଳରୁ ଋଣ ଟଙ୍କା ଆଦାୟ କରିଥିଲେ। କିନ୍ତୁ କେଲାର ଛକ ନିକଟରେ ଦୁର୍ବୃତ୍ତ ତାଙ୍କୁ ମାଡ଼ ମାରି ୨ଲକ୍ଷ ୩୦ହଜାର ଟଙ୍କା ଛଡ଼ାଇ ନେିଥିବା ନେଇ କାକିରିଗୁମା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ କରିଥିବା ବେଳେ ଡକାୟତି ହୋଇଥିବା ନେଇ ଯେଉଁ ଅଭିଯୋଗ ହୋଇଥିଲା ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ତେଣୁ ଜଗନ୍ନାଥଙ୍କୁ ଡକାଇ ପଚରା ଉଚୁରା କରିବାରୁ ସେ ନିଜ ଦୋଷ ସ୍ବୀକାର କରି ଟଙ୍କା ଆତ୍ମସାତ ପାଇଁ ଯୋଜନା କରିଥିବା ପୁଲିସକୁ କହିଥିଲା। ଅନ୍ୟ ୫ ଜଣ ସହଯୋଗୀଙ୍କ ଏହି ଯୋଜନା କରିଥିବା ବି ପୁଲିସ ଜାଣିବାକୁ ପାଇଥିଲା। ଏହାପରେ ଲମତାପୁଟ ଅଞ୍ଚଳର ରାମ ବଡ ନାୟକ, କବି ପାଙ୍ଗି, ଗୋପୀ ପୂଜାରୀ, ଉଦ୍ଧବ ବଡ ନାୟକ ଓ ପଣ୍ତା ଖିଲଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ୬୯ ହଜାର ଟଙ୍କା, ୨ଟି ସ୍ମାର୍ଟ ଫୋନ୍‌, ୪ଟି ମୋଟର ସାଇକେଲ୍‌ ଓ ୪ଟି ମୋବାଇଲ ଫୋନ ଜବତ କରିଛି। ଏସଆଇ ସୂର୍ଯ୍ୟ ପ୍ରକାଶ ନାୟକ ଘଟଣାର ତଦନ୍ତ କରୁଛନ୍ତି।

ସମ୍ବନ୍ଧିତ ଖବର