ଏସଏଲଏନ ମେଡିକାଲ କଲେଜରେ ମିଳୁନି ମୌଳିକ ସୁବିଧା :ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଦୁଃଖ ଜଣାଇଲେ ଛାତ୍ରଛାତ୍ରୀ

କୋରାପୁଟ: ମେଡିକାଲ କଲେଜ ବାହାରକୁ ଚକାଚକ ଦିଶୁଛି ହେଲେ, ଭିତରେ ଫମ୍ପା। ହଷ୍ଟେଲକୁ ପାଣି ଆସୁନି। ଶୌଚାଳୟ ସଫା ହେଉନି। ପାଠାଗାରରେ ବହି ମିଳୁନି କି ପାଠ୍ୟକ୍ରମ ପାଇଁ ଉପକରଣ ମିଳୁନି। ଏମିତି ମାଳ ମାଳ ଅଭିଯୋଗ ଆଣିଛନ୍ତି ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ଛାତ୍ରଛାତ୍ରୀ। ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ସାମ୍‌ନାରେ ଓଗାଳିଛନ୍ତି ସେମାନଙ୍କ ଅସନ୍ତୋଷ। ବଖାଣିଛନ୍ତି ମେଡିକାଲ କଲେଜର ଯାବତୀୟ ଅବ୍ୟବସ୍ଥା। ମନ୍ତ୍ରୀ ଏସବୁ ଶୁଣି ବିରକ୍ତ ହୋଇଛନ୍ତି। ୧୫ଦିନ ମଧ୍ୟରେ ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ କରିବାକୁ ଡିଏମଇଟି ଓ କଲେଜ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
କୋରାପୁଟରେ ନବ ନିର୍ମିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ପ୍ରଥମ ବ୍ୟାଚ୍‌ର ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ସେମାନଙ୍କ ପାଠପଢା ଚାଲିଥିବା ବେଳେ ଏଥିପାଇଁ ଆବଶ୍ୟକ ଉପକରଣ ନ ଥିବା ଛାତ୍ରଛାତ୍ରୀ ଅଭିଯୋଗ କରି ଆସୁଛନ୍ତି। ଏଥିନେଇ ଗତ ସପ୍ତାହରେ ଛାତ୍ରଛାତ୍ରୀ ଟ୍ଵିଟ ଜରିଆରେ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ଓ ସଚିବ ପ୍ରମୋହ ମେହେର୍ଦ୍ଦାଙ୍କୁ ଅଭିଯୋଗ କରିଥିଲେ। ପରେ ପ୍ରଶାସନ ଏଥିରେ ମୁଣ୍ଡ ପୂରାଇଥିଲା। ଜିଲ୍ଲାପାଳ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ପରେ ପରିସ୍ଥିତି ଥଣ୍ଡା ପଡିଥିଲା। କିନ୍ତୁ ଛାତ୍ର ଅସନ୍ତୋଷ ଭିତରେ ଭିତରେ କୁହୁଳୁଥିଲା।

ଏପଟେ ଆଜି ସ୍ୱାସ୍ଥ୍ୟମନ୍ତ୍ରୀ କୋରାପୁଟ ଗସ୍ତ ଅବସରରେ ଛାତ୍ରଛାତ୍ରୀଙ୍କ ସହ ମିଶିବାକୁ ଚାହିଁଥିଲେ। ସେମାନେ ଛାତ୍ରଛାତ୍ରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ କଥାବାର୍ତ୍ତା କରିବା ସହ ସେମାନଙ୍କ ଅଭିଯୋଗ ଜାଣିବାକୁ ଚାହିଁଥିଲେ। ଏହାପରେ ଛାତ୍ରଛାତ୍ରୀ ଗଣ୍ଡ ଗଣ୍ଡା ଅଭିଯୋଗର ପସରା ଖୋଲିଥିଲେ। ସେମାନଙ୍କ ଅଭିଯୋଗ ଅନୁଯାୟୀ, କଲେଜରେ ଆବଶ୍ୟକ କଙ୍କାଳ, ହାଡ ଆଦି ନ ଥିବାରୁ ସେମାନେ ଠିକ ଭାବେ ପଢି ପାରୁ ନାହାନ୍ତି। ସେହିପରି ଏକ୍ସ-ରେ ଫିଲମ ଓ ଭିୟୁ ବକ୍ସ ନାହିଁ। ଅନ୍ୟାନ୍ୟ ମେଡିକାଲ ଉପକରଣ ମଧ୍ୟ ମହଜୁଦ ନାହିଁ। ତେଣୁ ଛାତ୍ରଛାତ୍ରୀଙ୍କ ପାଠପଢାରେ ଘୋର ବ୍ୟାଘାତ ସୃଷ୍ଟି ହେଉଛି। ଏପଟେ ହଷ୍ଟେଲକୁ ପାଣି ଆସୁନି। ଶୌଚାଳୟ ଗୁଡିକ ସଫା ହେଉ ନ ଥିବା ବେଳେ କଲେଜରେ ଦିଆଯାଉଥିବା ଖାଦ୍ୟର ମାନ ବିଲକୁଲ ଭଲ ନୁହେଁ। କ୍ୟାମ୍ପସରେ ଓ୍ଵାଇ-ଫାଇ ସୁବିଧା ନ ଥିବାରୁ ଛାତ୍ରଛାତ୍ରୀ ବହୁ ହଇରାଣର ସମ୍ମୁଖୀନ ହେଉଛନ୍ତି। ଏପଟେ ପାଠାଗାରରେ ବହି ପ୍ରଦାନ କରାଯାଉନାହିଁ। ଖେଳ ପଡିଆ ନ ଥିବାବେଳେ ଜିମରେ ଟ୍ରେନର ନାହାନ୍ତି।
ଛାତ୍ରଛାତ୍ରୀ ଏମିତି ଅଭିଯୋଗ କରିବା ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ କର୍ତ୍ତୃପକ୍ଷଙ୍କ ଉପରେ ବିରକ୍ତ ହୋଇଥିଲେ। କର୍ତ୍ତୃପକ୍ଷ ଦୋଷ ଠେଲିବାକୁ ଉଦ୍ୟମ କରିଥିଲା ହେଁ ମନ୍ତ୍ରୀ ଏହା ଶୁଣି ନ ଥିଲେ। ଆସନ୍ତା ୧୫ଦିନ ମଧ୍ୟରେ ଛାତ୍ରଛାତ୍ରୀଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ସେ ଡିଏମଇଟି, କଲେଜ ଅଧ୍ୟକ୍ଷ ଓ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏପଟେ ମନ୍ତ୍ରୀଙ୍କ ସହ ଛାତ୍ରଛାତ୍ରୀ ଏକାନ୍ତରେ ଆଲୋଚନା କରିବାକୁ ଚାହିଁଥିଲେ ମଧ୍ୟ ଏହା ହୋଇ ପାରି ନ ଥିଲା। ସମସ୍ତ ଅଭିଯୋଗ ଗୁଡିକ ମେଲ କରିବାକୁ ମନ୍ତ୍ରୀ କହିଥିଲେ। ପରେ ମନ୍ତ୍ରୀ କଲେଜର ଫାକଲ୍ଟିମାନଙ୍କ ସହ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର