ଝାମ୍ପିନେଲେ ୪ଲକ୍ଷ ଟଙ୍କା

କାଜୁ ବ୍ୟବସାୟୀଙ୍କ ଠାରୁ ଲୁଟ୍ ସିସିଟିଭିରେ କଏଦ ଲୁଟ୍ ଦୃଶ୍ୟ

ଜୟପୁର: କିଛି ଦିନର ନିରବତା ପରେ ପୁଣି ଜୟପୁର ସହରରେ ହୋଇଛି ବଡ଼ ଧରଣର ଲୁଟ୍। ତାହା ମଧ୍ୟ ସଫା ଦିବାଲୋକରେ। ଏଥର ଲୁଟର ଶିକାର ହୋଇଛନ୍ତି ଜଣେ କାଜୁ ବ୍ୟବସାୟୀ। ଦୁଇ ଜଣ ଲୁଟେରା ବାଇକରେ ଆସି ଆଖି ପିଛୁଳାକେ ୪ଲକ୍ଷ ଟଙ୍କାର ବ୍ୟାଗ୍ ଛଡ଼ାଇ ନେଇ ଚମ୍ପଟ ମାରିଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନ ପ୍ରାୟ ଗୋଟାଏ ବେଳେ ସ୍ଥାନୀୟ ନୂଆସାହି ଭିଆଇ ଲାଇନର କାଜୁ ବ୍ୟବସାୟୀ ଶ୍ରୀକାନ୍ତ ସାବତ ବ୍ୟାଙ୍କରୁ ୪ଲକ୍ଷ ଟଙ୍କା ଉଠାଇଥିଲେ। ଘରକୁ ଫେରିବା ପରେ ସ୍କୁଟିରୁ ଟଙ୍କା ଭର୍ତି ବ୍ୟାଗ ବାହାର କରିବା ସମୟରେ ଦୁଇ ଜଣ ଲୁଟେରା ବାଇକରେ ପହଞ୍ଚିଥିଲେ। ତାଙ୍କ ହାତରୁ ଟଙ୍କା ବ୍ୟାଗ୍ ଝାମ୍ପି ନେଇ ଆଖି ସାମ୍ନାରେ ହିଁ କେଉଁ ଆଡ଼େ ଉଭାନ ହୋଇଯାଇଥିଲେ। ଏନେଇ ଶ୍ରୀ ସାବତ ଜୟପୁର ଟାଉନ ଥାନାରେ ଏତଲା ଦେଇଛନ୍ତି। ଲୁଟ୍ ସମୟର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ମୋଦୀଙ୍କ ଜୟପୁର ଗସ୍ତ ପାଇଁ ପୁଲିସ ଗତ ଦୁଇ ଦିନ ହେଲା ବ୍ୟସ୍ତ ରହିଥିବା ବେଳେ ଏହାର ସୁଯୋଗ ନେଇ ଲୁଟ୍ ହୋଇଥିବା କୁହାଯାଉଛି।

ସମ୍ବନ୍ଧିତ ଖବର