କୋରାପୁଟ: ସହର ସାରା ସିସିଟିଭି ଲାଗିଛି। ହେଲେ କାମ କରୁନି। ଖାଲି ତୁଛାରେ ଖୁଣ୍ଟରେ ଝୁଲୁଛି। ଏହାର ସୁଯୋଗ ନେଇ ମାତିଛନ୍ତି ଅପରାଧୀ। କୋରାପୁଟରେ ଦିନକୁ ଦିନ ଚୋରି, ଲୁଟ, ରାହାଜାନୀ ସହ ଅନ୍ୟ ଅପରାଧ ବଢି ବଢି ଚାଲିଛି। ଦୁଇ ଦିନ ଭିତରେ କୋରାପୁଟରେ ଦୁଇଟି ବଡ ଧରଣର ଲୁଟପାଟ ହୋଇଥିଲା ବେଳେ ପୁଲିସକୁ ଏହାର ସୁରାକ ଖୋଜିବା ପାଇଁ କାଠିକର ପାଠ ହେଉଛି।
କୋରାପୁଟ ସହରରେ ଆଇନ୍ ଶୃଙ୍ଖଳା ବ୍ୟବସ୍ଥାକୁ ସଜାଡିବା ଓ ଅପରାଧ ନିୟନ୍ତ୍ରଣ କରିବା ପାଇଁ ସିସିଟିଭି କ୍ୟାମେରା ଲଗାଯାଇଛି। ପ୍ରଥମ ପର୍ଯ୍ୟାୟରେ ସହରର ୬ଟି ସ୍ଥାନରେ ୧୪ଟି କ୍ୟାମେରା ଲାଗିଛି। ଆରଟିଓ କାର୍ଯ୍ୟାଳୟ ଛକ ନିକଟରେ ୨ଟି, ରାୟଗଡା ଛକରେ ୩ଟି, ଟ୍ରେଜେରି ଛକ ନିକଟରେ ଗୋଟିଏ, ଏସ୍ପି କାର୍ଯ୍ୟାଳୟ ସମ୍ମୁଖ ଛକରେ ୩ଟି, ବସ୍ଷ୍ଟାଣ୍ତରେ ୨ଟି ଏବ˚ ମ୍ୟୁନିସିପାଲିଟି ଛକରେ ୩ଟି କ୍ୟାମେରା ଲାଗିଛି। ଏଥିପାଇଁ କୋରାପୁଟ ଆ˚ଚଳିକ ଉନ୍ନୟନ ସ˚ସ୍ଥା (କ୍ରିଟ୍) ଖର୍ଚ୍ଚ କରିଛି ୬ଲକ୍ଷ ଟଙ୍କା। କ୍ୟାମେରା ଗୁଡିକ ତାର ବିହୀନ ଏବ˚ ଵାଇଫାଇ ଜରିଆରେ କାର୍ଯ୍ୟ କରୁଛି। ୨୦୧୬ ଅକ୍ଟୋବରରେ ଏହି କ୍ୟାମେରା ଲାଗିଥିଲା ବେଳେ ପରବର୍ତୀ ପର୍ଯ୍ୟାୟରେ ଅନ୍ୟ ଛକ ଗୁଡିକରେ କ୍ୟାମେରା ଲଗାଇବାକୁ ଯୋଜନା କରାଯାଇଥିଲା। ଏପରିକି ସେତେବେଳେ ତତ୍କାଳୀନ ଜିଲ୍ଲାପାଳ ଏଥିନେଇ ଘୋଷଣା କରିବା ସହ ପ୍ରଶାସନ ପକ୍ଷରୁ ସହରର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ଆଉ ୧୦ଟି କ୍ୟାମେରା ଖୁବଶୀଘ୍ର ଲାଗିବ ବୋଲି କହିଥିଲେ। ଏହି କ୍ୟାମେରା ଗୁଡିକରେ ଲୋକଙ୍କ ଗତିବିଧି ଲକ୍ଷ୍ୟ କରିବା ପାଇଁ କୋରାପୁଟ ଟାଉନ ଥାନାରେ ରହିଥିଲା ନିୟନ୍ତ୍ରଣ କକ୍ଷ। ପ୍ରଥମ କେତେଦିନ ପୁଲିସକୁ ବିଭିନ୍ନ ମାମଲାରେ ଏହି କ୍ୟାମେରା ବେଶ ସହାୟକ ହେଲା। ଟ୍ରାଫିକ ନିୟନ୍ତ୍ରଣ ଓ ଅପରାଧୀ ଚିହ୍ନଟ କ୍ଷେତ୍ରରେ ଏହା ସାହାଯ୍ୟ କଲା। ଫଳରେ ପୁଲିସ ପ୍ରଶାସନ ଉତ୍ସାହିତ ହୋଇ ପଡିଥିଲେ। ବସଷ୍ଟାଣ୍ଡ ପରି ସ୍ଥାନରେ ଛୋଟମୋଟ ଅପରାଧ କ୍ୟାମେରା ଲେନସରେ ଧରାପଡି ଯାଉଥିଲା। ଫଳରେ ଚୋରି, ପକେଟମାର ଆଦି କମିଗଲା। ତେଣୁ ଲୋକେ ସହରରେ ଆଉ କେବେ ନୂଆ କ୍ୟାମେରା ଲାଗିବ ତାକୁ ଅପେକ୍ଷା କରି ରହିଥିଲେ। ହେଲେ ଏ ଭିତରେ ନୂତନ କ୍ୟାମେରା ଲାଗିବା ତ ଦୂରର କଥା, ବରଂ ଲାଗିଥିବା କ୍ୟାମେରା ଭିତରୁ ଗୋଟିଏ ଗୋଟିଏ ଖରାପ ହୋଇଗଲା। କ୍ୟାମେରା ଲାଗିବାର ୬ ମାସ ଭିତରେ ପାଖାପାଖି ଅଧା କ୍ୟାମେରା ଅଚଳ ହୋଇଗଲା। ତଥାପି କିଛି ମରାମତି କରାଯାଇ କାମ ଚାଲିଲା। କ୍ୟାମେରା ଅଚଳ ହୋଇ ପଡିବାରୁ ପୁଲିସ ପ୍ରଶାସନ କ୍ରିଟକୁ ଚିଠି ଲେଖିଲା। ଚିଠି ପାଇ ଗାଲେଇଲା କ୍ରିଟ। ଅପରପକ୍ଷରେ ପାଖାପାଖି ୬ ମାସ ହେଲା ସହରର ସମସ୍ତ ସିସିଟିଭି କ୍ୟାମେରା ଅଚଳ ହୋଇ ପଡିଛି। କିଛି କ୍ୟାମେରାର ବୈଷୟିକ ତ୍ରୁଟି ଦେଖା ଦେଖା ଦେଇଥିଲା ବେଳେ କିଛି କ୍ୟାମେରା ପବନରେ ବୁଲି ଯାଇଛି। କିଛି କ୍ୟାମେରା ଖରାପ ମଧ୍ୟ ହୋଇ ଗଲାଣି। ଏଥିନେଇ କୋରାପୁଟ ଟାଉନ ଥାନା ପୁଲିସ କ୍ରିଟକୁ ଲିଖିତ ଭାବେ ଜଣାଇ ଦେଇଛି। କ୍ୟାମେରା ମରାମତି ପାଇଁ ଅନୁରୋଧ କରିଛି। କିନ୍ତୁ କ୍ରିଟର ନିଦ ଭାଙ୍ଗିନି। କ୍ୟାମେରା ସବୁ ଅଚଳ ହୋଇ ପଡିଥିଲା ବେଳେ ଏହା ଅପରାଧୀଙ୍କୁ ସୁହାଉଛି। କିଛି ଦିନ ହେଲାଣି ସହରରେ ଅପରାଧ ବୃଦ୍ଧି ପାଇଛି। ବିଶେଷକରି ଚୋରି ଓ ଲୁଟ ବଢିଛି। ତିନି ଦିନ ପୌରପାଳିକା ଛକରୁ ଡିକି ଭାଙ୍ଗି ୮୯ ହଜାର ଟଙ୍କା ଚୋରି ହୋଇଥିଲା।
ସିସିଟିଭି କ୍ୟାମେରା ଲାଗିଥିଲେ ଚୋରଙ୍କ ଗତିବିଧି ଜଣାପଡିବାର ସମ୍ଭାବନା ରହିଥିଲା। ସେହିପରି ଗତ ସପ୍ତାହରେ କୋରାପୁଟ ବସଷ୍ଟାଣ୍ଡ ନିକଟରେ ଥିବା ଏକ ଦୋକାନରୁ ଲକ୍ଷାଧିକ ଟଙ୍କା ଚୋରି ହୋଇଥିଲା। ବସଷ୍ଟାଣ୍ଡରେ ନିତି ଛୋଟ ଛୋଟ ଚୋରି ହେଉଛି। ସେହିପରି ଦୁଇ ଦିନ ତଳେ ସହର ଉପକଣ୍ଠ ମସ୍ତିପୁଟ ପାଖରୁ ସାଢେ ୯ଲକ୍ଷ ଟଙ୍କା ମାଉଜର ମୁନରେ ଲୁଟ ହେଲା। ଅପରାଧୀମାନେ କୋରାପୁଟ ସହର ଦେଇ ବୋରିଗୁମ୍ମା ଆଡକୁ ଚାଲିଗଲେ। ଏହା ବାଦ୍ ଜୟପୁର ଓ ସେମିଳିଗୁଡା ଅଂଚଳରେ ଘଟୁଥିବା ଅପରାଧୀମାନେ ଏହି କୋରାପୁଟ ଦେଇ ଫେରାର ହେଇ ଯାଉଛନ୍ତି। ସହରର ରାଜପଥରେ ଲାଗିଥିବା କ୍ୟାମେରା ଗୁଡିକ ଠିକ ଭାବେ କାମ କରୁଥିଲେ ଅପରାଧୀଙ୍କୁ ଚିହ୍ନଟ କରିବାରେ ସୁବିଧା ହୋଇପାରନ୍ତା ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି। ଅପରପକ୍ଷରେ କ୍ରିଟର ଅଧ୍ୟକ୍ଷ ଅଶୋକ ପାଙ୍ଗୀ କହିଛନ୍ତି ଯେ, କ୍ୟାମେରା ଗୁଡିକ ଅତି ନିମ୍ନମାନର ଥିଲା। ଏହା କିଣିବାରେ ହେରଫେର ହୋଇଥିବାରୁ ଏହାର ତଦନ୍ତ କରିବାକୁ କୁହାଯାଇଛି। ଏପଟେ ନୂତନ କ୍ୟାମେରା ଲାଗିବା ପାଇଁ ଖୁବଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
କୋରାପୁଟରେ ବଢୁଛି ଲୁଟ୍, ରାହାଜାନୀ : କ୍ୟାମେରା ଲଗାଇ ଶୋଇଛି କ୍ରିଟ୍
ଅପରାଧୀଙ୍କୁ ସୁହାଉଛି ଅଚଳ କ୍ୟାମେରା
/sambad/media/post_attachments/wp-content/uploads/2019/06/cctv-camera.png)