ଜୟପୁର ସମନ୍ବିତ କ୍ରୀଡା କମ୍ପ୍ଲ‌େକ୍ସ କାମରେ ବିଳମ୍ବ : ତନାଘନା କଲେ କ୍ରୀଡାମନ୍ତ୍ରୀ, ମନ୍ଥର କାମ ଦେଖି ବିଗି‌ଡ଼ିଲେ 

ଜୟପୁର : କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ମକାପୁଟରେ କାର୍ଯ୍ୟ ଚାଲିଥିବା ସମନ୍ବିତ କ୍ରୀଡା କମ୍ପ୍ଲ‌େକ୍ସ କାମ ବିଳମ୍ବ ନେଇ ବିଗିଡିଛନ୍ତି କ୍ରୀଡା ତଥା ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା। ସେ ଆଜି ଏଠାକୁ ହଠାତ୍‌ ଆସି ବିଭିନ୍ନ କାମ ସମ୍ପର୍କରେ ଠିକାଦାର, କନିଷ୍ଠ ଯନ୍ତ୍ରୀ ଓ ବିଭାଗୀୟ ଅଧିକାରୀଙ୍କୁ ପଚାରି ବୁଝିଛନ୍ତି। ଏହାସହ କାମ ବିଳମ୍ବ ହେଉଥିବା ନେଇ ବିଗିଡିଛନ୍ତି। ଦୁଇବର୍ଷ ତଳୁ ଏହାକୁ ଟେଣ୍ଡର ଶେଷ ହୋଇଥିବା ବେଳେ କାହିଁକି କାମ ଠିକ ସମୟରେ ‌ଶେଷ ହେଲା ନାହିଁ ତାହାକୁ ନେଇ ପ୍ରଶ୍ନ ଉଠାଇଥିଲେ। ବିଭାଗୀ ଅଧିକାରୀ କରୋନା ଆଳ ଓ ଶ୍ରମିକ ନ ଥିବା‌ ହେତୁ କାମ ବିଳମ୍ବ ହେଉଥିବା ଦର୍ଶାଇଥିବାବେଳେ ଏହାକୁ ନେଇ ମନ୍ତ୍ରୀ ବିରକ୍ତି ପ୍ରକାଶ କରିଥିଲେ। ଏହାସହ ବିଧାନସଭାରେ ଜୟପୁର ବିଧାୟକଙ୍କ ପ୍ରଶ୍ନର କି ଉତ୍ତର ଦେବେ ବୋଲି କହିଥିଲେ। ତେବେ ଏ ନେଇ ‘ସମ୍ବାଦ’ ପ୍ରଥମେ ଲେଖିବା ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସେ ଏହିଠାକୁ ଆସିଥିବା ଜଣାପଡିଛି।

ଏ ନେଇ ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ଯେ କାମ ବିଳମ୍ବ ହେବା ନେଇ ମୁଁ ଅସନ୍ତୋଷ ପ୍ରକାଶ କରିଥିଲି। କରୋନା ହେତୁ କାମ ୬ ମାସ ହେବ ବନ୍ଦ ଥିଲା। ଦେଢମାସ ହେବ କାମ ଜୋରସୋରରେ ଚାଲିଛି। ଆସନ୍ତା ଦୁଇମାସ ମାସ ପୁଣିଥରେ ଜୟପୁର ଗସ୍ତରେ ଆସି କାମ ନେଇ ସମୀକ୍ଷା କରିବି। ଏବେ ଗ୍ୟାଲେରୀ ଚାଲିଥିବାବେଳେ ଫୁଟବଲ ଗ୍ରାଉଣ୍ଡ, ୪୦୦ ମିଟର ରନିଂ ଟ୍ରାକ୍, ସନ୍ତାରଣାଗାର କାମ ଚାଲିଛି। ଦୁଇମାସ ମଧ୍ୟରେ କାର୍ଯ୍ୟ ଶେଷ ହେବ ବୋଲି ଆଶା କରିଛି। ସବଲିଜିଂ ନେଇ କାମ କରି ଚାଲିଥିବା ନେଇ ମୋ ନିକଟରେ କୌଣସି ସୂଚନା ନାହିଁ। ଗତମାସରେ ଓ୍ବାପକୋସ ପକ୍ଷ ଏଜେନ୍ସିକୁ ଡାକି ସମୀକ୍ଷା କରିବି। ଯଦି ସେପରି କୌଣସି ଘଟଣା ହୋଇଥାଏ ତେବେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ମିଳିଥିବା ସୂଚନା ମୁତାବକ, କୋରାପୁଟ ଜିଲ୍ଲା ଜୟପୁର ଉପଖଣ୍ଡରେ ୧୨ ଏକର ଜମିରେ ପ୍ରତିଷ୍ଠା ହେବ ସମନ୍ବିତ କ୍ରୀଡା କମ୍ପ୍ଲ‌େକ୍ସ। ଏହିଠାରେ ୪୦୦ ମିଟରରଏକ ରନିଂ ଟ୍ରାକ୍, ଏକ ଫୁଟବଲ ଗ୍ରାଉଣ୍ଡ, ଏକ ଇଣ୍ଡ‌ୋର ଷ୍ଟାଡିୟମ, ସନ୍ତରଣଗାର, ଏକ ଜିମ୍‌ ଓ ଭଲିବଲ କୋର୍ଟ ରହିବାକୁ ଯୋଜନା ହୋଇଥିଲା। ଏଥିପାଇଁ ୨୦୧୪ ଜାନୁଆରୀ ୧୪ ତାରିଖରେ ତତକାଳୀନ ଯୁବ ଓ କ୍ରୀଡା ମନ୍ତ୍ରୀ ରମେଶ ମାଝି ଓ ଜୟପୁର ବିଧାୟକ ରବି ନାରାୟଣ ଭିତ୍ତିପ୍ରସ୍ତର ପକାଇଥିଲେ।  ଏହାପରେ ଏହି ୧୨ ଏକର ଜମିକୁ କାନ୍ଥ ପକାଯାଇଥିବାବେଳେ  ୨୦୧୮ ମସିହା ନଭେମ୍ବର ମାସରେ ତତ୍କାଳୀନ କ୍ରୀଡା ସଚିବ ବିଶାଲ ଦେବ୍‌ ଜୟପୁର ଗସ୍ତରେ ଆସି ସମନ୍ବିତ କ୍ରୀଡା କମ୍ପ୍ଲ‌େକ୍ସ କରିବାକୁ କହିଯାଇଥି‌‌ଲା। ଏହା ୨୦୧୯ ଶେଷ ସୁଦ୍ଧା ଶେଷ ହେବା କଥା।  ତାହା ୨୦୨୧ ଯାଏ ଶେଷ ହେବ କି ନାହିଁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହା ପରେ ଏଥିପାଇଁ ପ୍ରାୟ ୧୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଲା। ଏଥିପାଇଁ ୨୦୧୮ ମସିହା ୨୪ ନଭ‌େମ୍ବରରେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିଲାବେଳେ ଗୁରଗାଓଁର ୱାପକୋସ ଲିମିଟେଡ୍‌ ନାମକ ଏକ ନିର୍ମାଣକାରୀ ସଂସ୍ଥାକୁ କାର୍ଯ୍ୟ ପାଇଁ ଦିଆଯାଇଥିଲା। ଏକ ବର୍ଷ ସୁଦ୍ଧା କାର୍ଯ୍ୟ‌ ଶେଷ କରିବାକୁ କୁହାଯାଇଥିଲାବେଳେ ଏବେ ଯାଏ କାର୍ଯ୍ୟ ଶେଷ ହୋଇପାରିନାହିଁ।

ସମ୍ବନ୍ଧିତ ଖବର