ଜୟପୁର: ପୌରପାଳିକାର ୬ମୂଲ୍ୟବାନ ଜମି ଏବେ ଆଇନଜାଲରେ ଛନ୍ଦି ହୋଇ ରହିଛି। ବିଭିନ୍ନ ସାହି ଓବସ୍ତି ଅଂଚଳରେ ପୌରପାଳିକାର ଜମି ଜବରଦଖଲ ଶତାଧିକ ହୋଇଥିଲେ ହେଁ କିଛି ମୂଲ୍ୟବାନ୍ ଜମି ଆଇନଜାଲରେ ରହିଥିବାରୁ ପୌରପାଳିକା ପକ୍ଷରୁ ଉକ୍ତ ମୂଲ୍ୟବାନ୍ ଜମିରେ କରାଯିବାକୁ ଥିବା ବହୁ ପ୍ରକଳ୍ପ ଶେଷ ମୂହର୍ତ୍ତରେ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିଥିବା କହିଛନ୍ତି ପୌରକାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ। ହାନାଗୁଡା ଅଚଂଳରେ ପ୍ରାୟ ୩ଏକର ଜମିରେ ଅନିମାଲ୍ ବାର୍ଥ କଣ୍ଟ୍ରୋଲ ୟୁନିଟ୍ ଓ ଅତ୍ୟାଧୁନିକ କଲ୍ୟାଣ ମଣ୍ଡପ ତିଆରି କରିବାର ଯୋଜନା ପୌରପାଳିକା ପକ୍ଷରୁ କରାଯାଇଥିଲା। ତେବେ ଜମି ଜବରଦଖଲରେ ରହିଥିବାରୁ ଏହାକୁ ଉଚ୍ଛେଦ କରିବାକୁ ପୌରପାଳିକା ପ୍ରୟାସ କରିଥିଲା। କିନ୍ତୁ ଜବରଦଖଲକାରୀ ମାନେ ହାଇକୋର୍ଟର ଦ୍ବାରସ୍ଥ ହେବା ପରେ ଏହି ପ୍ରକଳ୍ପକୁ ସ୍ଥାନାନ୍ତର କରାଯାଇଥିଲା। ସେଭଳି ଇରିଗେସନ୍ କଲୋନୀରେ ୨ଏକର ଜମିରେ କଲ୍ୟାଣ ମଣ୍ଡପ କରିବାକୁ ଯୋଜନା କରିଥିଲା ପୌରପାଳିକା। ତେବେ ଜଣେ ବ୍ୟକ୍ତିଙ୍କ ନାଁରେ ଏହି ଜମି ରହିଥିବା ସେ ଦର୍ଶାଇବା ସହ ଆରଓଆର (ମାଲିକାନା ସତ୍ତ୍ବ) ଦେଖାଇଥିଲେ। ସେଭଳି ସେ ବି ହାଇକୋର୍ଟର ଦ୍ବାରସ୍ଥ ହେବା ପରେ ଏହି ପ୍ରକଳ୍ପକୁ ବି ସ୍ଥାନାନ୍ତର କରାଯାଇଥିଲା। ସେଭଳି ଲକ୍ଷ୍ମୀନଗରରେ ୩ଡେସିମିଲ୍ ଜମିକୁ ଗୋଟିଏ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ନିଜ ଅଧିନରେ ରଖିଛି। ସେଠାରେ ପାର୍କ କରିବା ପାଇଁ ପୌରପାଳିକା ପକ୍ଷରୁ ଯୋଜନା କରିବାରେ ଉକ୍ତ ସ୍କୁଲ ପରିଚାଳକ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। ସେଭଳି ସରକାରୀ ମହିଳା ମହାବିଦ୍ୟାଳୟ ପାର୍ଶ୍ବରେ ପୌରପାଳିକାର ଜମିକୁ ଏକ ଗ୍ୟାରେଜ ମାଲିକ ଜବରଦଖଲରେ ରଖିଥିବା କହିଛନ୍ତି ପୌରପାଳିକା ନିର୍ବାହୀ ଅଧିକାରୀ। ଉଚ୍ଛେଦ କରିବାକୁ ଯିବାରେ ସେ ବି ହାଇକୋର୍ଟର ଆଶ୍ରୟ ନେଇଥିଲେ। ସେଭଳି ସହର ମଧ୍ୟରେ ପୁରୁଣା ବସଷ୍ଟାଣ୍ଡ ନିକଟରେ ଟ୍ରାଫିକ ଛକ ଠାରେ ଥିବା ବସ ଟିକେଟ୍ ସଂରକ୍ଷଣ କାଉଣ୍ଟରକୁ ବି ଉଚ୍ଛେଦ କରିବାକୁ ପୌରପାଳିକା ପ୍ରୟାସ କରିବାରେ ଟିକେଟ ସଂରକ୍ଷଣ କାଉଣ୍ଟର ପକ୍ଷରୁ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ଏପରିକି ଏମାନେ ପୌରପାଳିକାକୁ ଏଥିରେ ସଂପୃକ୍ତ ନ କରି ରାଜସ୍ବ ବିଭାଗକୁ ନେଇ ମାମଲା ରୁଜୁ କରିଥିବା କହିଛନ୍ତି ନିର୍ବାହୀ ଅଧିକାରୀ। ସେଭଳି ଦୈନିକ ବଜାର ନିକଟସ୍ଥ ଚାଉଲଟ୍ରୀକୁ ନେଇ ଦୀର୍ଘ ବହୁ ବର୍ଷ ଧରି ଚାଳିଥିବା ହାଇକୋର୍ଟ ମାମଲାରେ ପୌରପାଳିକା ଜିତିବା ସହ ପୁରୁଣା ଷ୍ଟଲ ଗୁଡିକୁ ପୁନଃରୁଦ୍ଧାର କରିବା ସହ ପୁଣି ଧର୍ମଶାଳା ଆରମ୍ଭ କରିବାକୁ ଯୋଜନା କରିଛି ପୌରପାଳିକା। ଷ୍ଟଲ ପାଇଁ ଟେଣ୍ଡର ସରିଥିବା କହିଛନ୍ତି ନିର୍ବାହୀ ଅଧିକାରୀ। ଦୈନିକ ବଜାର ମଧ୍ୟରେ ଥିବା ଏକ ଷ୍ଟଲକୁ ପୌରପାଳିକା ନିଜ ଅଧିନକୁ ଆଣି ସାରିଥିଲେ ହେଁ ବ୍ୟବସାୟୀ ଜଣକ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିବା କହିଛନ୍ତି ନିର୍ବାହୀ ଅଧିକାରୀ। ଏହି ସ୍ଥିତିରେ ପୌରପାଳିକାର ବହୁ ମୂଲ୍ୟବାନ ଜମି ଏବେ ଆଇନର ଜାଲରେ ଛନ୍ଧି ହୋଇ ରହିଛି।

Advertisment