ଦୁର୍ଘଟଣାରେ ଗୁରୁତର ଛାତ୍ର ମୃତ

ଦଶମନ୍ତପୁର: ସଡ଼କ ଦୁର୍ଘଟଣାରେ ଗୁରୁତର ଥିବା ଦଶମନ୍ତପୁର ଗ୍ରାମର ଜଣେ ଛାତ୍ରଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଗତ ୧୧ତାରିଖ ସଂଧ୍ୟା ୬ଟାରେ ଦଶମନ୍ତପୁର ଗ୍ରାମର ଆଦିତ୍ୟ ହାଁସଦା ନିଜର ଜଣେ ସାଙ୍ଗଙ୍କ ସହ ସ୍ଥାନୀୟ କଲେଜ ନିକଟକୁ ବୁଲିବାକୁ ଯାଇ ଘରକୁ ଫେରୁଥିଲେ। ତେବେ ଏହି ସମୟରେ ହଠାତ୍ ଏକ ବାଇକ୍ ପଛପଟୁ ଧକ୍କା ଦେବାରୁ ଆଦିତ୍ୟଙ୍କ ଗୋଟିଏ ଗୋଡ ଭାଙ୍ଗି ଯିବା ସହ କାନ ଛିଣ୍ଡି ଯାଇଥିଲା। ଏପରିକି ମୁଣ୍ଡରେ ପ୍ରବଳ ଆଘାତ ଲାଗିବା ସହ ପାଟିରୁ ରକ୍ତସ୍ରାବ ହୋଇଥିଲା। ପରେ ସ୍ଥାନୀୟ ବାସିନ୍ଦା ଆଦିତ୍ୟଙ୍କୁ ଉଦ୍ଧାର କରି ଦଶମନ୍ତପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଇଥିଲେ। ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ ରହିବାରୁ କୋରାପୁଟ ଏସଏଲଏନ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ୨ଦିନ ଧରି ଚିକିତ୍ସା ହେବା ପରେ ମଧ୍ୟ ସ୍ବାସ୍ଥ୍ୟାବସ୍ଥାରେ କୌଣସି ପରିବର୍ତନ ନହେବାରୁ ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଥିଲ। କିନ୍ତୁ ଆଜି ସକାଳ ୧୧ଟାରେ ଚିକିତ୍ସାଧୀନ ଅବସ୍ଥାରେ ଆଦିତ୍ୟଙ୍କ ମୃତ୍ୟୁ ହୋଇଯାଇଥିଲା। ମୃତ ଆଦିତ୍ୟଙ୍କ ବାପା ସାହୁନା ହାଁସଦାଙ୍କ ଦୀର୍ଘ ବର୍ଷ ତଳେ ମୃତ୍ୟୁ ଘଟିଛି। ଏହାପରଠାରୁ ମା’ ସୁମି ମାଝୀ ବହୁ କଷ୍ଟରେ ଆଦିତ୍ୟଙ୍କୁ ପାଠ ପଢାଉଥିଲେ। ତେବେ ଆଦିତ୍ୟଙ୍କ ମୃତ୍ୟୁ ପରେ ସୁମି ସଂପୂର୍ଣ୍ଣ ଭାବେ ଦୁଃଖରେ ଭାଙ୍ଗି ପଡିଛନ୍ତି। ପ୍ରକାଶ ଥାଉକି, ଆଦିତ୍ୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପଢୁଥିଲେ। ମୃତ ଅାଦିତ୍ୟଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଆଜି ସଂଧ୍ୟାରେ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ସାଙ୍ଗସାଥୀଙ୍କ ଦ୍ବାରା ଦଶମନ୍ତପୁରରେ ଏକ ନିରବ କ୍ୟା‌ଣ୍ଡେଲ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା।

ସମ୍ବନ୍ଧିତ ଖବର