କୋରାପୁଟ: ସେବାଶ୍ରମର ପାଚେରୀ ନିକଟରୁ ଜଣେ ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ତାଙ୍କୁ ଦୁଇ ହାତରେ ଗଭୀର ଆଘାତ ଲାଗିଥିଲା ବେଳେ କୋରାପୁଟ ଏସଏଲନଏନ ମେଡିକାଲ କଲେଜରେ ତାଙ୍କର ଚିକିତ୍ସା ଚାଲିଛି। ସୂଚନା ଅନୁସାରେ ନନ୍ଦପୁର ବ୍ଲକ ଉମ୍ବେଲ ଗ୍ରାମର ମହେଶ୍ୱର ଭୋଇଙ୍କ ପୁଅ ସୁରଜ ଭୋଇ(୫ବର୍ଷ) କୋରାପୁଟ ବ୍ଲକ ମହାଦେଇପୁଟ ସେବାଶ୍ରମରେ ରହି ପଢୁଥିଲେ। ଗତକାଲି ସନ୍ଧ୍ୟାରୁ ସେ କୁଆଡେ ନିଖୋଜ ହୋଇ ଯାଇଥିଲେ। ଏଥିନେଇ ସେବାଶ୍ରମ କର୍ତ୍ତୃପକ୍ଷ ତାଙ୍କ ଘର ଲୋକଙ୍କୁ ଜଣାଇଥିଲେ। ଘର ଲୋକ ଆଜି ମହାଦେଇପୁଟରେ ପହଞ୍ଚି ଖୋଜାଖୋଜି କରିବା ପରେ ସେବାଶ୍ରମର ପାଚେରୀ ନିକଟରୁ ଛାତ୍ରଙ୍କୁ ଉଦ୍ଧାର କରାଯାଇଥିଲା। ପରେ ତାଙ୍କୁ କୋରାପୁଟ ଏସଏଲଏନ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ତାଙ୍କର ଚିକିତ୍ସା ଚାଲିଥିବାବେଳେ ତାଙ୍କ ହାତରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି। ତାଙ୍କ ହାତକୁ ପ୍ଲାଷ୍ଟର କରାଯାଇଚି। ଏଥିନେଇ ଘର ଲୋକ କୋରାପୁଟ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ପୁଅକୁ ମାଡ ମାରି ଏମିତି ଆହତ କରାଯାଇଥିବା ଅଭିଯୋଗ ହୋଇଛି। ଅପରପକ୍ଷରେ ପାଚେରୀ ଡେଉଁଥିଲାବେଳେ ପଡି ଯାଇ ଛାତ୍ର ଜଣଙ୍କ ଆହତ ହୋଇଥିବା ସେବାଶ୍ରମ କର୍ତ୍ତୃପକ୍ଷ କହିଛନ୍ତି। ଏଥିନେଇ କୋରାପୁଟ ପୁଲିସ ତଦନ୍ତ ଆରମ୍ଭ କରିଛି ବୋଲି ଏସଡିପିଓ ବଳଭଦ୍ର ଦୀପ ସୂଚନା ଦେଇଛନ୍ତି।
ଗୁରୁତର ଅବସ୍ଥାରେ ଛାତ୍ର ଉଦ୍ଧାର
/sambad/media/post_attachments/wp-content/uploads/2018/01/jpr-1.jpg)