କୋରାପୁଟ: ସୁନାବେଡାର ଏକ ସ୍କୁଲରୁ ଜଣେ ଛାତ୍ରଙ୍କୁ ନିର୍ଯାତନା ଅଭିଯୋଗ ଆସିଛି । ସହରର ନେତାଜୀ ଇଂଲିସ ମିଡିୟମ ସ୍କୁଲର ଛାତ୍ରଙ୍କୁ ସ୍କୁଲ କର୍ତ୍ତୃପକ୍ଷ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ସଂପୃକ୍ତ ଛାତ୍ରଙ୍କ ସମ୍ପର୍କୀୟ ଏ ନେଇ ସୁନାବେଡା ଥାନାରେ ଅଭିଯୋଗ କରିଛନ୍ତି ।
ଅଭିଯୋଗ ଅନୁସାରେ, ଗତ ୩୦ ତାରିଖରେ ସ୍କୁଲ ପ୍ରଧାନ ଶିକ୍ଷକ ସଂପୃକ୍ତ ଛାତ୍ରଙ୍କ ବାପାଙ୍କୁ ଫୋନ କରି ସ୍କୁଲ ଭିତରେ ପୁଅ ବିଶୃଙ୍ଖଳା କରୁଥିବା ଅଭିଯୋଗ କରିଥିଲେ । ଏହା ପରେ ସ୍କୁଲ କର୍ତୃପକ୍ଷ ସଂପୃକ୍ତଙ୍କ ଛାତ୍ରଙ୍କ ଚୁଟି କାଟିବା ସହ ତାଙ୍କୁ ଆଣ୍ଠେଇ ଅପମାନିତ କରିଥିବା ଓ ଏହାପରେ ଭୟରେ ସେ କେଉଁଆଡେ ଚାଲିଯାଇଥିବା ଥାନାରେ ଅଭିଯୋଗ ହୋଇଛି । ତେବେ ସଂପୃକ୍ତ ଛାତ୍ର ଘରକୁ ଫେରିଆସିଛନ୍ତି । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି, ଥାନାରେ ଏତଲା ହୋଇଛି । ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ।
ଏ ଘଟଣା ନେଇ ଛାତ୍ରଙ୍କର ମାଉସୀ ସୁନାବେଡା ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ଅଭିଯୋଗ ପତ୍ରରେ ଦର୍ଶାଯାଇଛି ଯେ, ଗତ ୩୦ ତାରିଖ ଦିନ ସ୍କୁଲ୍ ପରିସରରେ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ଉପସ୍ଥିତିରେ ସଂପୃକ୍ତଙ୍କ ଛାତ୍ରଙ୍କୁ ଆଣ୍ଠେଇ, ତାଙ୍କ ଚୁଟି କାଟି ଅପମାନିତ କରାଯାଇଥିଲା। ଏହା ପରେ ସେ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିଲେ। ତେଣୁ ଲଜ୍ଜା ଓ ଅପମାନରେ ସେ ଘର ଛାଡି ଚାଲିଯାଇଥିବା ଅଭିଯୋଗ ହୋଇଛି। ସ୍କୁଲ ପ୍ରିନସପାଲ କହିଛନ୍ତି କି ସ୍କୁଲର ନିୟମ ଅନୁସାରେ ସଂପୃକ୍ତଙ୍କ ଛାତ୍ରଙ୍କୁ ତାଗିଦ୍ କରାଯାଇଥିଲା।
ସଂପୃକ୍ତଙ୍କ ଛାତ୍ର ଜଣକ ସ୍କୁଲ୍ ପରିସରରେ ଏକାନ୍ତରେ ଝିଅ ପିଲାଙ୍କ ସହ କଥାହେବାକୁ ନେଇ ଓ ଚୁଟି କାଟିବା ପାଇଁ ତାଗିଦ୍ କରିବା ସତ୍ୱେ ନ କାଟିବାରୁ ଏପରି କରାଯାଇଥିବା ସେ ସ୍ୱୀକାର କରିଛନ୍ତି। ଅପରପକ୍ଷେ ସୁନାବେଡା ପୁଲିସ୍ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛି।