ଦେବଦୂତ ସାଜିଲେ ଶୁକୁରୀ

ବଞ୍ଚିଗଲା ବୁଡ଼ି ଯାଉଥିବା ଅଢ଼େଇ ବର୍ଷର ଶିଶୁ

ଜୟପୁର: ଜୟପୁର ଟାଉନ ଥାନା ଅନ୍ତର୍ଗତ ଜୟନଗର ଅଞ୍ଚଳରେ ଆଜି ସକାଳେ ଘଟିଛି ଏକ ଅଭାବନୀୟ ଘଟଣା। ଜଗନ୍ନାଥ ସାଗରରେ ବୁଡ଼ି ଯାଉଥିବା ଜଣେ ଅଢ଼େଇ ବର୍ଷର ଶିଶୁପୁତ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ତେବେ ଏହି ଶିଶୁଟିକୁ ନୂଆ ଜୀବନ ଦେଇଛନ୍ତି ସ୍ଥାନୀୟ ଗଡ଼ିଆ ଧୋବାସାହିର ଶୁକୁରୀ ଜାନୀ। ଆଜି ସକାଳ ପ୍ରାୟ ୮ଟା ବେଳେ ଏହି ଶିଶୁଟି ବୁଡ଼ି ଯାଉଥିବା ବେଳେ ସେ ପାଣିରୁ ଉଦ୍ଧାର କରି ପ୍ରଥମେଇ ମେଡିକାଲ ନେଇଥିଲେ। ସେଠାରେ ପ୍ରାୟ ଦିନ ଯାକ କାମଧାମ ଛାଡି ଅପେକ୍ଷା କରି ରହିଥିଲେ। ଶିଶୁଟିର ଅବସ୍ଥା ଗୁରୁତର ରହିଥିବା ବେଳେ ୨୪ଘଣ୍ଟା ଧରି ନିରୀକ୍ଷଣ ପାଇଁ ରଖାଯିବ ବୋଲି ଡାକ୍ତର କହିଛନ୍ତି।
ସୂଚନା ଅନୁଯାୟୀ, ସ୍ଥାନୀୟ ଜାମ୍ବବାଡ଼ ସାହିର ଅଢ଼େଇ ବର୍ଷର ଟିଟୁ ଭତ୍ରା ବାପା, ମା’ କାମ କରିବାକୁ ଚାଲି ଯିବା ପରେ ସାଙ୍ଗ ସାଥୀଙ୍କ ସହ ଜଗନ୍ନାଥ ସାଗର କୂଳକୁ ଚାଲି ଆସିଥିଲା। ଅନ୍ୟମନସ୍କ ହୋଇ ଖେଳିବା ସମୟରେ ସେ ବୁଡ଼ି ଯାଇଥିଲା। ଶିଶୁକୁ ବୁଡ଼ି ଯାଉଥିବା ଦେଖି ଶୁକୁରୀ ପାଣି ଭିତରେ ପଶି ଉଦ୍ଧାର କରି ଆଣିଥିଲେ। ଘଟଣା ଘଟିବାର ଦୀର୍ଘ ସମୟ ଯାଏ ଶିଶୁଟିର ପରିଚୟ ଜଣାପଡ଼ି ନଥିଲା। ତେଣୁ ଏନେଇ ଚାଇଲ୍ଡ ଲାଇନକୁ ଖବର ଦିଆଯାଇଥିଲା। ଚାଇଲ୍ଡ ଲାଇନ ସଦସ୍ୟ ହେମନ୍ତ ପାତ୍ର ଓ ପୂର୍ଣ୍ଣିମା ଦାସ ପହଞ୍ଚିବା ପରେ ଶିଶୁ ସୁରକ୍ଷା ସମିତିକୁ ଖବର ଦେଇଥିଲେ। ଶିଶୁ ସୁରକ୍ଷା ସମିତିର ଦୁଇ ଜଣିଆ ଟିମ ରମେଶ ରଥ ଓ ଧର୍ମେନ୍ଦ୍ର ଜେନା ପହଞ୍ଚିଥିଲେ। ପରିବାରବର୍ଗ ପହଞ୍ଚି ନ ଥିବାରୁ ଆଜି ଶିଶୁଟିକୁ ହସ୍ତାନ୍ତର କରାଯାଇ ପାରିନି। ଆସନ୍ତାକାଲି ସିଡବ୍ଲୁସି ନିକଟରେ ଶିଶୁଟିକୁ ହାଜର କରାଯାଇ ପରିବାରକୁ ହସ୍ତାନ୍ତର କରାଯିବ।

ସମ୍ବନ୍ଧିତ ଖବର