ବିଦେଶୀ ସୃଷ୍ଟି କଲେ ସ୍ବଚ୍ଛତାର ନିଆରା ଉଦାହରଣ : ସହର ସାରା ବୁଲି ବୁଲି ଅଳିଆ ଉଠାଇଲେ ସୁଇଜରଲ୍ୟାଣ୍ଡର ତିନି ନାଗରିକ

କୋରାପୁଟ (ପତିତ ପାବନ ସାହୁ): ଗୋଟିଏ ହାତରେ ଗ୍ଲୋଭସ ଆଉ ଅନ୍ୟ ହାତରେ ଅଳିଆ ବ୍ୟାଗ। ଏମିତିରେ ସହର ସାରା ବୁଲି ବୁଲି ଅଳିଆ ଉଠାଉଥିଲେ ସୁଇଜରଲ୍ୟାଣ୍ଡରୁ ଆସିଥିବା ମାର୍ଟିନା ସ୍ଟିଗେର, ଥିଏରି ହନୁଜେକର ଓ ନାଟାଲି ଭତ୍ରା। କୋରାପୁଟ ପୌର ନିର୍ବାହୀ ଅଧିକାରୀ ବି ସାଙ୍ଗରେ ଥିଲେ। ସ୍ବଚ୍ଛ ଭାରତ ଅଭିଯାନରେ ଏମିତି ବିଦେଶୀ ଅତିଥିଙ୍କୁ ଦେଖି ତାଜୁବ ହୋଇ ଯାଇଥିଲେ ସ୍ଥାନୀୟ ‌ଅଧିବାସୀ।

ଏମିତି ଦୃଶ୍ୟ ଆଜି ଦେଖିବାକୁ ମିଳିଥିଲା କୋରାପୁଟ ସହରରେ। ସ୍ବଚ୍ଛ ଭାରତର ବାର୍ତ୍ତା ବାଣ୍ଟିବା ପାଇଁ ରାସ୍ତାକୁ ଓହ୍ଲାଇଥିଲେ ବିଦେଶୀ। ଏମାନଙ୍କ ଭିତ‌ରେ ଥିଲେ ଦୁଇ ମହିଳା ଓ ଜଣେ ଯୁବକ। ସୁଦୂର ସୁଇଜରଲ୍ୟାଣ୍ଡରୁ ଆସି କୋରାପୁଟ ସହରର ଗଳି କନ୍ଦିରେ ବୁଲି ଅଳିଆ ଉଠାଇଥିଲେ। ଖାଲି ଅଳିଆ ଉଠାଇ ନ ଥିଲେ, ବରଂ ସଫା ସୁତୁରା ରହିବାକୁ ସମସ୍ତଙ୍କୁ ନିବେଦନ କରିଥିଲେ। ପରିବେଶକୁ ସଫା ରଖିଲେ, ନିଜେ ସୁସ୍ଥ ରହିବା ସହ ଅନ୍ୟମାନେ ସୁସ୍ଥ ରହିବେ ବୋଲି ସେମାନେ କହିଥିଲେ। ସେମାନଙ୍କର ଏମିତି କାମ ଦେଖି କିଛି ସ୍ଥାନୀୟ ଲୋକେ ବି ତାଙ୍କ ସାଙ୍ଗରେ ସାମିଲ ହୋଇଥିଲେ। ଏପରିକି କୋରାପୁଟ ପୌର ନିର୍ବାହୀ ଅଧିକାରୀ ଗୌରଚନ୍ଦ୍ର ପଟ୍ଟନାୟକ ମଧ୍ୟ ହାତରେ ଅଳିଆ ବ୍ୟାଗ ଧରି ରାସ୍ତାକୁ ଓହ୍ଲାଇଥିଲେ। ଏହାକୁ କୋରାପୁଟର ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।

ଅପରପକ୍ଷରେ କୋରାପୁଟକୁ ସଫା କରିବାରେ ସେମାନଙ୍କ ଛୋଟିଆ ଅବଦାନ ରହିଥିବାରୁ ଖୁସି ଥିବା କହିଛନ୍ତି ୩ ବିଦେଶୀ ନାଗରିକ। ପୌର ନିର୍ବାହୀ ଅଧିକାରୀ ଗୌରଚନ୍ଦ୍ର ପଟ୍ଟନାୟକ କହିଛନ୍ତି ଯେ, ବିଦେଶୀ ହେଲେ ମଧ୍ୟ ସ୍ବଚ୍ଛ ଭାରତ ଅଭିଯାନରେ ନିଜକୁ ସାମିଲ କରି କୋରାପୁଟକୁ ସଫା କରିବା ପାଇଁ ସେମାନେ ଆଗେଇ ଆସିଛନ୍ତି। ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ଏହା ଅନ୍ୟମାନଙ୍କୁ ପ୍ରେରଣା ଦେବା ସହ ପରିବେଶକୁ ସ୍ବଛ ରଖିବାରେ ସହାୟକ ହୋଇ ପାରିବ।

ସମ୍ବନ୍ଧିତ ଖବର