ଭୁବନେଶ୍ବର: ସମ୍ବଲପୁରରେ ସିଣ୍ଟେକ୍ସ ବିଏପିଏଲ୍ ଲିମିଟେଡ୍‌ ୪୭୯.୪୭ କୋଟି ଟଙ୍କା ନିବେଶରେ ଏକ କାରଖାନା ସ୍ଥାପନ କରି‌ବ। ସେଥିରେ ସିପିଭିସି, ୟୁପିଭିସି ଓ ଏସ୍‌ଡବ୍ଲୁଆର୍‌ ଫିଟିଙ୍ଗ୍‌ସ ଓ ପ୍ଲାଷ୍ଟିକ ଟାଙ୍କି ନିର୍ମାଣ କରାଯିବ। ଆଜି ଏହି ପ୍ରକଳ୍ପ ସମେତ ୧୩୯୭.୧୮ କୋଟି ଟଙ୍କାର ୮ଟି ନୂଆ ନିବେଶ ପ୍ରକଳ୍ପକୁ ରାଜ୍ୟସ୍ତରୀୟ ସିଙ୍ଗଲ୍‌ ୱିଣ୍ଡୋ କର୍ତ୍ତୃପକ୍ଷଙ୍କ ବୈଠକରେ ମଞ୍ଜୁରି ପ୍ରଦାନ କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ରାଜ୍ୟରେ ୨୮୬୦ କୋଟି ଟଙ୍କାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଆଜି ବୈଠକରେ ମଞ୍ଜୁର ହୋଇଥିବା ପ୍ରକଳ୍ପଗୁଡ଼ିକ ସମ୍ବଲପୁର, କୋରାପୁଟ, ବାଲେଶ୍ବର, ଖୋର୍ଦ୍ଧା, ସୁନ୍ଦରଗଡ଼ ଓ ଯାଜପୁର ଜିଲ୍ଲାରେ କାର୍ଯ୍ୟକାରୀ ହେବ।

Advertisment

ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମଞ୍ଜୁର ହୋଇଥିବା ପ୍ରକଳ୍ପଗୁଡ଼ିକ ପ୍ଲାଷ୍ଟିକ, ଆଲୁମିନିୟମ, ଇସ୍ପାତ ଆନୁଷଙ୍ଗିକ, ଆଇଟି ଓ ଏଗ୍ରୋ ପ୍ରୋସେସିଂ କ୍ଷେତ୍ରରେ କାର୍ଯ୍ୟକାରୀ କରାଯିବ। ବ‌ାଲେଶ୍ବରରେ ଏଚ୍‌ଆଇଏଲ୍‌ ଇଣ୍ଡିଆ ୨୫୦ କୋଟି ଟଙ୍କା ନିବେଶ କରି ପିଭିସି ଓ ସିପିଭିସି ପାଇପ୍‌ ତିଆରି କରିବ। ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ୍‌ ସମ୍ବଲପୁରର ଲପଙ୍ଗାରେ ହ୍ବାଇଟ୍‌ ଫ୍ୟୁଜଡ୍‌ ଆଲୁମିନା ଉତ୍ପାଦନ କାରଖାନା ସ୍ଥାପନ କରିବାରେ ୨୪୧ କୋଟି ଟଙ୍କା ନିବେଶ କରିବ। ଖୋର୍ଦ୍ଧାରେ ଅନୁଜ ଅଟୋଗ୍ରାଫ୍‌ ବିଜ୍‌ନେସ୍ ପାର୍କ ପକ୍ଷରୁ ୧୦୫.୩୦ କୋଟି ଟଙ୍କା ବିନିଯୋଗରେ ଏକ ଆଇଟି ପାର୍କ ନିର୍ମାଣ କରାଯିବ। ପ୍ଲାଷ୍ଟିକ୍ କଣ୍ଟେନର ଓ ବକ୍ସ ତିଆରି କରିବା ଲଗି ମେଗା ଫ୍ଲେକ୍ସ ପ୍ଲାଷ୍ଟିକ୍ସ ପକ୍ଷରୁ ଖୋର୍ଦ୍ଧାରେ ୬୨.୩୮ କୋଟି ଟଙ୍କା ନିବେଶରେ ଏକ କାରଖାନା ସ୍ଥାପନ କରାଯିବ।ସେହିପରି, ସାନ୍ଧୁ ଟ୍ୟୁବ୍‌ସ ପକ୍ଷରୁ ଯାଜପୁରର କଳିଙ୍ଗନଗରଠାରେ ୯୯.୫୪ କୋଟି ଟଙ୍କା ବିନିଯୋଗରେ ଏକ ଏଚ୍‌ଆର୍‌ ଓ ସିଆର୍‌ ‌କଏଲ୍‌ ପ୍ରୋସେସିଂ କାରଖାନା ସ୍ଥାପନ କରାଯିବ। କେଏଆଇ ଷ୍ଟିଲ୍‌ ସୁନ୍ଦରଗଡ଼ରେ ୮୯.୪୪ କୋଟି ଟଙ୍କା ନିବେଶ କରି ଟିଏମ୍‌ଟି ବାର୍ କାରଖାନା ବସାଇବ। ଜିଜିଏଲ୍‌ ଚାଲେଟ୍‌ ପକ୍ଷରୁ କୋରାପୁଟରେ ୭୦ କୋଟି ଟଙ୍କା ନିବେଶରେ ପ୍ଲାଏ ବୋର୍ଡ କାରଖାନା ସ୍ଥାପନ କରାଯିବ।