ଜୟପୁର: ୨୦୧୯-୨୦ ଖରିଫ ଧାନ କିଣାରେ ୫୦୦ କୁଇଣ୍ଟାଲରୁ ଅଧିକ ଧାନ ବିକ୍ରି କରିଛନ୍ତି ଜୟପୁର କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନିପତି। ଏହାସହ ଅନ୍ୟ ୧୧ ଜଣ ଚାଷୀମଧ୍ୟ ୫୦୦ କୁଇଣ୍ଟାଲ ଧାନ ବିକ୍ରି କରିଛନ୍ତି। ତେବେ ଏହି ଚାଷୀମାନଙ୍କର ଜମିର ତଥ୍ୟ, ଚାଷ ହେଉଥିବା ଧାନର ତଥ୍ୟ ସହ ଧାନର ପରିମାଣ ସମ୍ପର୍କରେ ରିପୋର୍ଟ ଦେବାକୁ କୁହାଯାଇଛି। ଏନେଇ ଜିଲ୍ଲା ଯୋଗାଣ ବିଭାଗକୁ ଏକ ଟିମ କରି ତିନିଦିନ ମଧ୍ୟରେ ଯୁଗ୍ମ ରିପୋର୍ଟ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହି ଟିମରେ କୋରାପୁଟ, ବୋରିଗୁମ୍ମା, କୋଟପାଡ ଓ ଜୟପୁର ତହସିଲଦାର ସହ ଆରଆଇ, ଡିଆରସିଏସ ଓ ଜିଲ୍ଲା କୃଷି ଅଧିକାରୀଙ୍କ ସହ ଭିଏଲଡବ୍ଲୁଙ୍କୁ ଜମିର କିଶମ, ଧାନ ଚାଷ ଓ ଧାନର ପରିମାଣ ସମ୍ପର୍କରେ ତଦନ୍ତ କରି ତିନିଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାପାଳ ମଧୁସୂଦନ ମିଶ୍ର ଚିଠି ନମ୍ବର ୧୨୦୫/୦୭/୦୩/୨୦୨୦ରେ ଯୋଗାଣ ଅଧିକାରୀ ତୁଳାରାମ ନାଇକଙ୍କୁ ଚିଠି କରିଛନ୍ତି। ତେବେ ତିନିଦିନ ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଥିବାବେଳେ ଦୁଇଦିନ ଛୁଟି ରହିଥିବାରୁ ଏହା ହୋଇପାରି ନ ଥିବା ଜଣାପଡିଛି।
କୋରାପୁଟ ବ୍ଲକର ଡୁମୁରିପୁଟ ଲାମ୍ପସରେ ତାରାପ୍ରସାଦ ବାହିନିପତି ୨୦ ଜାନୁଆରୀରେ ଟୋକେନ ନମ୍ବର ୨୮, ୬ ଜାନୁଆରୀରେ ଟୋକେନ ନମ୍ବର ୪୩, ୩ ଫେବ୍ରୁଆରୀରେ ଟୋକେନ ନମ୍ବର ୪୨, ୨୭ ଜାନୁଆରୀରେ ଟୋକେନ ନମ୍ବର ୨୯ ଓ ୧୩ ଜାନୁଆରୀ ଟୋକେନ ନମ୍ବର ୨୭ରେ ମୋଟ ୫୦୦ କୁଇଣ୍ଟାଲ ଧାନ ବିକ୍ରି କରିଛନ୍ତି। ଏହାସହ କୋଟପାଡ ବ୍ଲକର ସତ୍ୟବାଦୀ ସାହୁ, ଜୟନ୍ତୀ ବିଷୋୟୀ, ଶତର ମହାତି,ରଞ୍ଜିତ କୁମାର ବିଷୋୟୀ, ଗୋପାଳ ଚନ୍ଦ୍ର ନାଏକ, ରଞ୍ଜିତା କୁମାର ନାଏକ, ସୀତାନାଥ ବିଶ୍ବାଳ, ବୋରିଗୁମ୍ମା ବ୍ଲକରେ ଖୀରାସିନ୍ଧୁ ଗୁଣ୍ଡା, ଜୟପୁର ବ୍ଲକରେ ଲକ୍ଷ୍ମୀ ନାରାୟଣ ତାଲ୍ଲା, ଚଇତନ ହରିଜନ ଓ ଚୈତନ୍ୟ ଗାଦବା ୫୦୦କୁଇଣ୍ଟାଲରୁ ଅଧିକ ଧାନ ବିକ୍ରି କରିଛନ୍ତି।
ତେବେ ଚଳିତ ବର୍ଷ ଖରିଫ ଋତୁରେ ଚଳିତ ମାସ୧୫ ତାରିଖରୁ କୋରାପୁଟ ସବଡିଭିନରେ ୨୬ଟି ମଣ୍ତି ଖୋଲାଯାଇଥିବା ବେଳେ ଜୟପୁର ଉପଖଣ୍ତ ଠାରେ ୬୮ଟି ସ୍ଥାନରେ ମୋଟ ୯୪ଟି ସ୍ଥାନରେ ମଣ୍ତି ଖୋଲାଯାଇ ଧାନ କିଣାଯାଇଥିଲା।
ଜିଲ୍ଲାଯୋଗାଣ ଅଧିକାରୀ ତୁଳାରାମ ନାଇକ କହିଛନ୍ତି ଯେ ଜିଲ୍ଲାରେ ଯେଉଁ ୧୨ଜଣ ଚାଷୀ ୫୦୦ କୁଇଣ୍ଟାଲରୁ ଅଧିକ ଧାନ ବିକ୍ରି କରିଛନ୍ତି ସେମାନେ ପକୃତ ଚାଷୀ କି ନାହିଁ ତାହା ଜାଣିବାକୁ ଜିଲ୍ଲାପାଳ ଚିଠି କରିଛନ୍ତି। ଆମେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ରିପୋର୍ଟ ଦେବୁ କିନ୍ତୁ ଦୁଇଦିନ ଛୁଟି ରହିଥିବାରୁ ଏହା ହୋଇପାରିନାହିଁ ବୋଲି ସେ କହିଛନ୍ତି।
ଏନେଇ ବିଧାୟକ ତାରାପ୍ରସାଦ ବାହିନିପତିଙ୍କ ସହ ଯୋଗାଯୋଗ କରିବା ପରେ ସେ କହିଛନ୍ତି ଯେ ଚାଷୀ ପଞ୍ଜୀକରଣ ବେଳେ ମୋର ନାମ ପଞ୍ଜୀକୃତ ହୋଇଥିଲା। ସେହି ହିସାବରେ ମୁଁ ୨୦ ଜାନୁଆରୀରେ ଟୋକେନ ନମ୍ବର ୨୮, ୬ ଜାନୁଆରୀରେ ଟୋକେନ ନମ୍ବର ୪୩, ୩ ଫେବ୍ରୁଆରୀରେ ଟୋକେନ ନମ୍ବର ୪୨, ୨୭ ଜାନୁଆରୀରେ ଟୋକେନ ନମ୍ବର ୨୯ ଓ ୧୩ ଜାନୁଆରୀ ଟୋକେନ ନମ୍ବର ୨୭ରେ ମୋଟ ୫୦୦ କୁଇଣ୍ଟାଲ ଧାନ ବିକ୍ରି କରିଛି। ଜିଲ୍ଲାପାଳ ଯାହା ତଦନ୍ତ କରିବାର ଅଛି ସେ କରନ୍ତୁ ମୁଁ ଏହାକୁ ସହଯୋଗ କରିବି ବୋଲି ସେ କହିଛନ୍ତି।