ଶିକ୍ଷକଙ୍କୁ ଜାଳିଦେବା ଘଟଣା:ଗୁମର ଖୋଲିବ ମୋବାଇଲ ଫୋନ

ଆମ୍ବାଗୁଡା ଛାଡି ଉମରକୋଟରେ ପରିବାର:କଲ ଡିଟେଲ୍ସ ମାଗିଛି ପୁଲିସ

ଜୟପୁର: କୋରାପୁଟ ଜିଲ୍ଲା ଡଙ୍ଗାରା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ପୂଜାରୀପୁଟ କ୍ଲଷ୍ଟର ସିଆରସିସି ସଂଯୋଜକ ସନ୍ଦୀପ ଶିଅଳଙ୍କ ମୃତ୍ୟୁକୁ ପାଖାପାଖି ୪୮ଘଣ୍ଟା ବିତିଗଲାଣି। ଏପର୍ଯ୍ୟନ୍ତ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି। ବିଶେଷ ସୁରାକ ମିଳୁ ନଥିବା ବେଳେ ସାଇଣ୍ଟିଫିକ୍‌ ଟିମ୍‌ର ରିପୋର୍ଟ ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି ପୁଲିସ। ତେବେ ତଦନ୍ତ ପରିସରକୁ ପୁଲିସ ବଢାଇ ଦେଇଛି। ପରିବାରର ଦୁଇ ଜଣ ସଦସ୍ୟଙ୍କ ଟେଲିଫନ କଲ ରେଡର୍କ ସଂପୃକ୍ତ ଟେଲିଫୋନ କଂପାନିକୁ ପୁଲିସ ମାଗିଛି।
ଏନେଇ ବୋରିଗୁମ୍ମା ଥାନା ଆଇଆଇସି ଉତ୍ତମ ମହାନ୍ତି କହିଛନ୍ତି ଯେ ଘଟଣାସ୍ଥଳରୁ ଜବତ ହୋଇଥିବା ଜନିଷକୁ ନିରୀକ୍ଷଣ କରାଯାଉଛି। ମୋବାଇଲ ଫୋନର କଲ ରେକର୍ଡ ଓ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଦିନେ କିମ୍ବା ଦୁଇଦିନ ମଧ୍ୟରେ ଏହି ରିପୋର୍ଟ ଆସିଯିବ। ଏହାପରେ ଘଟଣା ଉପରୁ ପରଦା ଉଠିବ। ସେହିପରି ପରିବାରର କେତେଜଣ ସଦସ୍ୟ ଏବଂ ସଂଦିପଙ୍କୁ ଜାଣିଥିବା କିଛି ଲୋକଙ୍କୁ ବି ତଦନ୍ତ ପରିସରଭୁକ୍ତ କରାଯାଇଛି। ମୃତ୍ୟୁ ପୂର୍ବରୁ ସଂଦିପଙ୍କ ମାନସିକ ସ୍ଥିତ ଭଲ ନଥିଲା। ସପ୍ତାହେ ତଳେ ସେ କେବିଡି ପଟେ ଯିବା ସମୟରେ ଭାରସାମ୍ୟ ହରାଇ ପଡି ଯାଇଥିଲେ। ତାଙ୍କୁ କିଛି ଆତ୍ମୀୟ ଆଣି ଘରେ ଛାଡିଥିଲେ। ସମ୍ବେଦଶୀଳ ଘଟଣା ହୋଇଥିବାରୁ ସବୁ ଦିଗକୁ ନେଇ ତଦନ୍ତ ଜାରି ରହିଥିବା ଆଇଆଇସି କହିଛନ୍ତି।
ଅନ୍ୟପକ୍ଷରେ ମୃତ ସନ୍ଦୀପଙ୍କ ଶ୍ୱଶୁର ସୁରେନ୍ଦ୍ର ଶର୍ମା କହିଛନ୍ତି ଯେ ଧାର କରଜ ଯୋଗୁଁ ଜ୍ୱାଇଁ ଗତ ୧୫ଦିନ ହେଲା ଚାପରେ ଥିଲେ। ଟଙ୍କା ଦେଇଥିବା ବ୍ୟକ୍ତି ବାରମ୍ବାର ଘରକୁ ଆସିବା ସହ ଫୋନ କରି ହଇରାଣ କରୁଥିଲେ। ସେମାନଙ୍କ ମଧ୍ୟରେ କେହି ଡଙ୍ଗରା ଜଙ୍ଗଲ ନିକଟକୁ ଡାକି ହତ୍ୟା କରିଛି। ଏହାପରେ ପ୍ରମାଣ ନଷ୍ଟ କରିବାକୁ ପୋଡି ଦେବାକୁ ଚେଷ୍ଟା କରିଛି। ପୁଲିସ ସବୁ ଦିଗକୁ ଅନୁଧ୍ୟାନ ଦେଇ ପରିବାରକୁ ନ୍ୟାୟ ଦେଉ ବୋଲି ସେ ଦାବି କରିଛନ୍ତି। ଗତକାଲି ରାତିରୁ ପରିବାର ସଦସ୍ୟ ଉମରକୋଟରେ ଥିବା ପୈତୃକ ଘରକୁ ଚାଲି ଯାଇଛନ୍ତି। ସେଠାରେ ଶେଷକୃତ୍ୟ କରାଯାଉଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ ସୋମାବାର ଦିନ ସକାଳୁ ସନ୍ଦୀପ ଶିଅଳ ସ୍କୁଲ ଯାଉଛି କହି ଘରୁ ବାହାରିଥିଲେ। ପରେ ତାଙ୍କ ଫୋନ ବନ୍ଦ ହୋଇଯାଇଥିବା ବେଳେ ରାତି ପ୍ରାୟ ୧୧ଟାରେ ଡଙ୍ଗରା ନିକଟରେ ତାଙ୍କ ଅର୍ଧଦଗ୍ଧ ଶବ ପଡିଥିବା ଏବଂ ନିକଟରେ ଗ୍ଲାମର ଗାଡି ରହିଥିବା ସୂଚନା ମିଳିଥିଲା। ପରଦିନ ପୁଲିସ ପକ୍ଷରୁ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା।

ସମ୍ବନ୍ଧିତ ଖବର