ଗଞ୍ଜେଇ ଚୋରା ଚାଲାଣ ମାମଲା : ୩ ଅଭିଯୁକ୍ତକୁ ୧୦ବର୍ଷ ଜେଲ ଦଣ୍ତ

ଜୟପୁର : ଜୟପୁର ସଦର ଥାନାରେ ଅର୍ନ୍ତଗତ ଡିମଳା- ଡଙ୍ଗରଛିଞ୍ଚି ଅଞ୍ଚଳରେ ଗଞ୍ଜେଇ ଚୋରା ଚାଲାଣ ନେଇ ରୁଜୁ ମାମଲାର ଶୁଣାଣି ଶେଷ ହୋଇଛି। ଆଜି ଜିଲ୍ଲା ଦୌରାଜଜ୍‌ ବିଦ୍ୟୁତ କୁମାର ମିଶ୍ର ସାକ୍ଷ୍ୟ, ପ୍ରମାଣକୁ ଭିତ୍ତି କରି ୩ ଜଣ ଅଭିଯୁକ୍ତକୁ ୧୦ବର୍ଷ ଜେଲ ଦଣ୍ତରେ ଦଣ୍ତିତ କରିଛନ୍ତି। ସୂଚନା ଅନୁଯାୟୀ, ୨୦୧୬ ମସିହା ଜୁନ୍‌ ୨୨ ତାରିଖ ପହାନ୍ତିଆ ସାଢେ଼ ୪ଟାରେ ପୁଲିସ ପାଟ୍ରୋଲି˚ କରୁଥିବା ବେଳେ ଜୟପୁର ବ୍ଲକ ଡିମଳା-ଡଙ୍ଗରଛିଞ୍ଚି ରାସ୍ତାରୁ ଗଞ୍ଜେଇ ଗାଡି ଧରିଥିଲେ। ଏଥିରେ ସଂପୃକ୍ତ ମାଛକୁଣ୍ତ ଥାନା ଅନ୍ତର୍ଗତ ବଲେଲ ଗାଁର ତ୍ରିନାଥ ବିଶୋୟୀ (୨୪), ଶ୍ୟାମ ଖିଲ (୨୮) ଓ ସ୍ଥାନୀୟ ଡଙ୍ଗାଗୁଡାର ସୂର୍ଯ୍ୟ ପ୍ରତାପ ଗରଡା (୨୮)ଙ୍କ ସମେତ ଅନ୍ୟ ଦୁଇ ଜଣକୁ ପୁଲିସ ଗିରଫ କରିଥିଲା। ୩ଟି ବସ୍ତାରୁ ୫୧ କିଲୋ ୮୧୦ ଗ୍ରାମ ଗଞ୍ଜେଇ ସହିତ କମାଣ୍ତର ମଧ୍ୟ ଜବତ କରିଥିଲେ। ଏନେଇ ଜୟପୁର ସଦର ଥାନାରେ ୮୬/୧୬ ନମ୍ବରେ ମାମଲା ରୁଜୁ କରି ୫ ଜଣ ଅଭିଯୁକ୍ତକୁ ଗିରଫ କରିଥିଲେ। ଏହି ମାମଲା ୨ ଜଣ ଅଭିଯୁକ୍ତ ଜାମିନ ପାଇ ଫେରାର ହୋଇଯାଇଥିବା ସୂଚନା ମିଳିଛି। ଆଜି ଜିଲ୍ଲା ଦୌରା ଜଜ୍‌ ବିଦ୍ୟୁତ କୁମାର ମିଶ୍ର ୧୦ଜଣଙ୍କ ସାକ୍ଷ୍ୟ, ପ୍ରମାଣ ଭିତ୍ତି କରି ତ୍ରିନାଥ ବିଶୋୟୀ, ଶ୍ୟାମ ଖିଲ ଓ ସୂର୍ଯ୍ୟ ପ୍ରତାପ ଗରଡାକୁ ୧୦ ବର୍ଷ ଜେଲ ଦଣ୍ତରେ ଦଣ୍ତିତ କରିବା ସହ ପ୍ରତ୍ୟେକଙ୍କୁ ଏକ ଲକ୍ଷ ଟଙ୍କା ଲେଖାଏଁ ଜୋରିମନାରେ ଦଣ୍ତିତ କରିଛନ୍ତି। ଜୋରିମନା ଅନାଦେୟ ହେଲେ ଅତିରିକ୍ତ ୨ ବର୍ଷ ଜେଲ ଦଣ୍ତ ଭୋଗିବା ନେଇ ରାୟ ଶୁଣାଣି କରିଛନ୍ତି। ଏହି ମାମଲାକୁ ସରକାରୀ ଓକିଲ ଶୈଳଜା ପଟ୍ଟନାୟକ ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର