ଆଜିଠୁ ନକ୍ସଲଙ୍କ ଭାରତ ବନ୍ଦ:ଓଏସଆରଟିସିର ୨୫ବସ ଚଳାଚଳ ବନ୍ଦ

ସୀମାନ୍ତ ଥାନାରେ ହାଇଆଲର୍ଟ

ଜୟପୁର:  ଆସନ୍ତାକାଲି ଠାରୁ ସପ୍ତାହେ ବ୍ୟାପୀ ବନ୍ଦ ପାଳନ ପାଇଁ ଡାକରା ଦେଇଛନ୍ତି ନକ୍ସଲ। ଏହାକୁ ଦୃଷ୍ଟିରେ ରଖି ୨୫ରୁ ୩୧ତାରିଖ ପର୍ଯ୍ୟନ୍ତ ରାଜ୍ୟ ସଡକ ପରିବହନ ନିଗମ ପକ୍ଷରୁ ୧୭ଟି ରୁଟ‌େର ୨୫ଟି ବସ ଚଳାଚଳକୁ ବନ୍ଦ କରାଯାଇଛି ବୋଲି ଡିଟିଏମ୍ ନିହାର ରଂଜନ ପରିଡା କହିଛନ୍ତି।

ପ୍ରକାଶଯୋଗ୍ୟ, ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନାଞ୍ଚଳ ସମେତ ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲା ଅନ୍ତର୍ଗତ କୋଣ୍ଟା ବ୍ଲକର ଆଭ୍ୟନ୍ତରୀୟ ଅଂଚଳରେ ନକ୍ସଲଙ୍କ ପକ୍ଷରୁ ଭାରତ ବନ୍ଦ ପାଇଁ ଡାକରା ଦିଆଯାଇଛି। ସେଭଳି ରାୟଗଡ଼ା ଜିଲ୍ଲାରେ ବି ବନ୍ଦ ପାଳନ ପାଇଁ ନକ୍ସଲ ପୋଷ୍ଟର ମାରିଥିଲେ। ଏଥିରେ କ୍ରାନ୍ତିକାରୀଙ୍କ ଆନ୍ଦୋଳନକୁ ଦମନ କରିବା ପାଇଁ ସରକାର ଯୋଜନା କରୁଥିବା ନେଇ ଉଲ୍ଲେଖ ହୋଇଛି। ତେଣୁ ସରକାରଙ୍କୁ ସିଧାସଳଖ ବିରୋଧ କରି ସପ୍ତାହେ ବ୍ୟାପୀ ବନ୍ଦ ପାଳନ ପାଇଁ ନକ୍ସଲ ଡାକରା ଦିଆଯାଇଛି। ଦୁଇ ରାଜ୍ୟରେ ଏମିତି ବ୍ୟାନର ମାରି ନକ୍ସଲ ବନ୍ଦ ଆହ୍ବାନ ଦେବାପରେ ଉଭୟ ରାଜ୍ୟର ପୁଲିସ ଆବଶ୍ୟକ ପଦକ୍ଷେପ ନେବା ଆରମ୍ଭ କରିଛି। ରାଜ୍ୟ ସୀମାରେ କମ୍ବିଂ ଅପରେସନକୁ ଜୋରଦାର୍ କରାଯିବା ସହ ସର୍ଚ ଅପରେସନ ଜାରି କରିଛି। ସନ୍ଦିଗ୍ଧ ଗତିବିଧି ଉପରେ ବିଏସଏଫ ନଜର ରଖିଛି। ଗୁଇନ୍ଦା ବିଭାଗକୁ ସଜାଗ ରହିବାକୁ ନିର୍ଦେଶ ଦିଆଯାଇ ଆବଶ୍ୟକ ପଡ଼ିଲେ ବିଏସଏଫକୁ ଅପରେସନ ପାଇଁ ପଠାଇବାକୁ ନିର୍ଦେଶ ଦିଆଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି। ସେଭଳି ସମସ୍ତ ସୀମାନ୍ତ ଥାନା ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି ବୋଲି ସୂଚନା ମିଳିଛି।

ରାଜ୍ୟ ସଡକ ପରିବହନ ନିଗମ ପକ୍ଷରୁ ଜୟପୁର-ଭଦ୍ରାଚଳମ, ଜୟପୁର-ମୋଟୁ, କୋରାପୁଟ-ଗୁପ୍ତେଶ୍ବର, ଜୟପୁର-କୋଟିଆ, ଇନ୍ଦ୍ରାବତୀ-ଚିତ୍ରାକୋଣ୍ଡା, ଜୟପୁର-କାଶୀପୁର, ଜୟପୁର-ଭବାନୀପାଟଣା, ଜୟପୁର-ଫୁଲବାଣୀ, ଜୟପୁର-କୋଟାଗାଁ ଭଳି ୧୭ଟି ରୁଟର ୨୫ଟି ବସ ଚଳାଚଳକୁ ବାତିଲ୍ କରାଯାଇଛି ବୋଲି ଡିଟିଏମ୍ ନିହାର ରଂଜନ ପରିଡା କହିଛନ୍ତି। ସେଭଳି କିଛି ମାଓ ଇଲାକାକୁ ଯାଉଥିବା ଘରୋଇ ବସ ଗୁଡିକ ବି ଏହି ସମୟରେ ଚଳାଚଳ କରିବନି ବୋଲି ଘରୋଇ ବସ ମାଲିକ ସଂଘ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର