ଏସଏଲଏନ ମେଡିକାଲ କଲେଜରେ ଛାତ୍ର ଅଶାନ୍ତି : ଡିନଙ୍କ ବିରୋଧରେ ଫେରାଦ ହେଲେ ଛାତ୍ରଛାତ୍ରୀ

ଟ୍ଵିଟ କରି ଜଣାଇଲେ ଅସନ୍ତୋଷ

କୋରାପୁଟ: ସହିଦ୍‌ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଛାତ୍ର ଅଶାନ୍ତି ସୃଷ୍ଟି ହୋଇଛି। କଲେଜରେ ମୌଳିକ ସୁବିଧା ସୁଯୋଗ ମିଳୁ ନ ଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ। ଏଥିନେଇ ଡିନ ତଥା କଲେଜ ଅଧ୍ୟକ୍ଷଙ୍କୁ ଅଭିଯୋଗ କଲେ ସେ ଦୁର୍ବ୍ୟବହାର କରୁଥିବା ଛାତ୍ରଛାତ୍ରୀ ଟ୍ଵିଟ କରି ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ଓ ସଚିବ ପ୍ରମୋଦ ମେହେର୍ଦ୍ଦାଙ୍କୁ ଜଣାଇଛନ୍ତି। ଏପଟେ ସମସ୍ୟାର ତାଳିପକା ସମାଧାନ ପାଇଁ ଉଦ୍ୟମ କରିଛି ଜିଲ୍ଲା ପ୍ରଶାସନ। ଆଜି ସନ୍ଧ୍ୟାରେ ଛାତ୍ରଛାତ୍ରୀଙ୍କ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଲୋଚନା କରାଯାଇଛି।
କୋରାପୁଟରେ ନବ ନିର୍ମିତ ସହିଦ୍‌ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ପ୍ରଥମ ବ୍ୟାଚ୍‌ର ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ସେମାନଙ୍କ ପାଠ ପଢା ଚାଲିଥିବାବେଳେ ଏଥିପାଇଁ ଆବଶ୍ୟକ ଉପକରଣ ନ ଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାୟୀ, କଲେଜରେ ଆବଶ୍ୟକ କଙ୍କାଳ, ହାଡ ଆଦି ନ ଥିବାରୁ ସେମାନେ ଠିକ ଭାବେ ପଢି ପାରୁ ନାହାନ୍ତି। ସେହିପରି ଏକ୍ସ-ରେ ଫିଲ୍‌ମ ଓ ଭିୟୁ ବକ୍ସ ନାହିଁ। ଅନ୍ୟାନ୍ୟ ମେଡିକାଲ ଉପକରଣ ମଧ୍ୟ ମହଜୁଦ ନାହିଁ। ତେଣୁ ଛାତ୍ରଛାତ୍ରୀଙ୍କ ପାଠପଢାରେ ଘୋର ବ୍ୟାଘାତ ସୃଷ୍ଟି ହେଉଛି। ଏଥିନେଇ ସେମାନେ କଲେଜ ଅଧ୍ୟକ୍ଷ ତଥା ଡିନଙ୍କୁ ଜଣାଇଥିଲେ। ହେଲେ ଡିନ ଏହାର ସମାଧାନ କରିବା ପରିବର୍ତ୍ତେ ଛାତ୍ରଛାତ୍ରୀଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରିଥିଲେ। ନୂଆ କଲେଜରେ ପାଠ ପଢିଲେ ଏମିତି ଅସୁବିଧା ହୁଏ ବୋଲି କହିବା ସହ କାହିଁକି ଏଠାରେ ନାମ ଲେଖାଇଲ ବୋଲି ପ୍ରଶ୍ନ କରିଥିଲେ। ପରେ ସମସ୍ତ ଛାତ୍ରଛାତ୍ରୀ ଲିଖିତ ଭାବେ ସେମାନଙ୍କ ଅଭିଯୋଗ ଜଣାଇବାକୁ ଚାହିଁଥିଲେ ମଧ୍ୟ ଡିନ ଛାତ୍ରଛାତ୍ରୀଙ୍କ ପାଖକୁ ଆସି ନ ଥିଲେ। ଫଳରେ ଛାତ୍ରଛାତ୍ରୀ ଆଉ କିଛି ବାଟ ନ ପାଇ ଟ୍ଵିଟର ଯୋଗେ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ଓ ସଚିବ ପ୍ରମୋହ ମେହେର୍ଦ୍ଦାଙ୍କୁ ଅଭିଯୋଗ କରିଛନ୍ତି। ମେଡିକାଲ କଲେଜର ଛାତ୍ର ସଂଘ ପକ୍ଷରୁ ଟ୍ଵିଟ କରାଯାଇଛି ଯେ, କଲେରେ ମୌଳିକ ସୁବିଧା ସୁଯୋଗ ମିଳୁନି। ଏପଟେ ଏଥିନେଇ ଅଭିଯୋଗ କଲେ ଦୁର୍ବ୍ୟବହାରର ସାମ୍‌ନା କରିବାକୁ ପଡୁଛି। ଛାତ୍ରଛାତ୍ରୀଙ୍କ ସମସ୍ୟା ଶୁଣିବାକୁ କର୍ତ୍ତୃପକ୍ଷ କାଲ ହୋଇ ଯାଇଥିଲାବେଳେ ଏହା କ’ଣ ଏକ ମେଡିକାଲ କଲେଜର ସ୍ଥିତ ବୋଲି ପ୍ରଶ୍ନ କରିଛନ୍ତି।
କଲେଜର ବହୁ ଛାତ୍ରଛାତ୍ରୀ ମୁଖ୍ୟମନ୍ତୀ, ସ୍ୱାସ୍ଥ୍ୟ ମନ୍ତ୍ରୀ, ସଚିବ ଓ ଜିଲ୍ଲାପାଳଙ୍କୁ ଟ୍ଵିଟ କରି ମେଡିକାଲକୁ ବଂଚାଇବା ପାଇଁ ଅନୁରୋଧ କରିଛନ୍ତି। ନ ହେଲେ ସେମାନେ ବାଧ୍ୟ ହୋଇ ରାସ୍ତାକୁ ଓହ୍ଲାଇବେ ବୋଲି ଧମକ ଦେଇଛନ୍ତିି। ଏପଟେ ସ୍ଥିତି ବିଗିଡି ଯାଉଥିବା ଦେଖି ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଛାତ୍ରଛାତ୍ରୀଙ୍କୁ ବୁଝାଇବାକୁ ଚେଷ୍ଟା କରିଛନ୍ତି। ତେବେ ଏଥିରୁ ସୁଫଳ ମିଳି ନ ଥିଲା। ପରେ ଆଜି ସନ୍ଧ୍ୟାରେ କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଛାତ୍ର ପ୍ରତିନିଧିଙ୍କ ସହ ଜିଲ୍ଲ ପ୍ରଶାସନ ପକ୍ଷରୁ ଆଲୋଚନା କରାଯାଇଛି। ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଏସପି ଡଃ କେ.ଭି. ସିଂହ, ଉପ ଜିଲ୍ଲାପାଳ କୃତ୍ତିବାସ ରାଉତଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ଦୀର୍ଘ ସମୟ ଧରି ଏହି ଆଲୋଚନା ଚାଲିଥିଲା। ଛାତ୍ରଛାତ୍ରୀଙ୍କ ଦାବି ଅନୁସାରେ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର